ଗଞ୍ଜାମ: ଭତ୍ତା ପାଇଁ ଜୀବନ ହାରିଲେ ବୃଦ୍ଧା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ମର୍ଦ୍ଦକୋଟ ପଞ୍ଚାୟତ ଚଢ଼ିଆପଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା । ଗାଁର ସାବିତ୍ରୀ ଦୋରା ନାମକ ବୃଦ୍ଧା ମହିଳା ଭତ୍ତା ଟଙ୍କା ନପାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତିନି ମାସ ହେଲା ମିଳିଲାନି ଭତ୍ତା । ଆର୍ଥିକ ଅନଟନ ଓ ଚିନ୍ତାରେ ଶେଷରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ଏହି ଘଟଣା ପରେ ଭତ୍ତା ବଣ୍ଟନ ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ତିନି ମାସ ଧରି ସେ ସରକାରୀ ଭତ୍ତା ପାଇନଥିଲେ । ଭତ୍ତା ଟଙ୍କା ଉପରେ ନିର୍ଭର କରି ଚଳୁଥିବା ସାବିତ୍ରୀ ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିପାରୁନଥିଲେ । ଏହାକୁ ନେଇ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ ବୋଲି ପରିବାର ଲୋକ କହିଛନ୍ତି ।ପରିବାର ଲୋକଙ୍କ କହିବା ଅନୁସାରେ, ଭତ୍ତା ନମିଳିବା ଯୋଗୁଁ ସେ ବାରମ୍ବାର ଚିନ୍ତିତ ରହୁଥିଲେ । ଶେଷରେ ସେ କୀଟନାଶକ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚାଇ ହୋଇପାରିନଥିଲା । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ତେବେ ପ୍ରକୃତରେ ଭତ୍ତା ନମିଳିବା ଯୋଗୁଁ ଏହି ଘଟଣା ଘଟିଛି କି ଅନ୍ୟ କୌଣସି କାରଣ ରହିଛି, ସେନେଇ ତଦନ୍ତ ଜରୁରୀ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ସେପଟେ ବିଜେଡି ମଧ୍ୟ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।










