ନୂଆଦିଲ୍ଲୀ : ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦୁଇ ଗୁରୁତ୍ୱପୂର୍ଣ୍ଣ ୟୁରୋପୀୟ ରାଷ୍ଟ୍ର ଗସ୍ତରେ ବାହାରିଛନ୍ତି। ଏହି ଯାତ୍ରା ସମୟରେ, ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ କରିବେ। ଉଭୟ ଦେଶ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହିତସେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଗସ୍ତ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା ଏବଂ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବାରେ ଭାରତର ଏକ ପ୍ରମୁଖ ପଦକ୍ଷେପ ହେବ ବୋଲି କୁହାଯାଉଛି।ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରଥମ ରହଣି ଫ୍ରାନ୍ସର ନିସ୍ରେ ହେବ। ସେ ଜୁନ୍ ୧୪ ତାରିଖରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ବୈଠକର ଏକ ପ୍ରମୁଖ ବିଷୟ ପ୍ରତିରକ୍ଷା ସହଯୋଗ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ,ସାମୁଦ୍ରିକ କ୍ଷେତ୍ରରେ ବଢୁଥିବା ରଣନୈତିକ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଦୁଇ ଦେଶ ବିଶେଷ ଭାବରେ ସେମାନଙ୍କର ସାମରିକ କ୍ଷମତା ଏବଂ ପ୍ରତିରକ୍ଷା ସହଭାଗୀତାକୁ ଆହୁରି ମଜବୁତ କରିବା ବିଷୟରେ ଆଲୋଚନା କରିବେ। ଦୁଇ ନେତା ଇଣ୍ଡିଆ ଇନୋଭେଟ୍ସ କାର୍ଯ୍ୟକ୍ରମର ମଧ୍ୟ ଉଦ୍ଘାଟନ କରିବେ। ଏଥିରେ ଷ୍ଟାର୍ଟଅପ୍ ଏବଂ ଭେଞ୍ଚର କ୍ୟାପିଟାଲ ପାଣ୍ଠି ଅଂଶଗ୍ରହଣ କରିବେ।










