41.1 C
Bhubaneswar
Sunday, April 28, 2024
Homeଓଡିଶାଭାରୀ ବର୍ଷା ସମ୍ଭାବନା କମ୍‌, ରାଜ୍ୟ ସାରା ହାଲୁକା ବର୍ଷିବ

ଭାରୀ ବର୍ଷା ସମ୍ଭାବନା କମ୍‌, ରାଜ୍ୟ ସାରା ହାଲୁକା ବର୍ଷିବ

ଭୁବନେଶ୍ୱର: ୨ ଦିନ ହେବ ଆକାଶ ମେଘାଚ୍ଛନ୍ନକୁ ପାଗ କୋହଲା । ଉତ୍ତରା ପବନ ବହୁଛି, ଆକାଶରେ ବାଦଲ ଭାସୁଛି, ପାଗ ଘୋଟିକି ଆସୁଛି, ହେଲେ ରାଜ୍ୟର କୌଣସି ସ୍ଥାନରେ ସ୍ୱାଭାବିକ ବର୍ଷା ହେଉନାହିଁ । ଜୁଲାଇ ୧୮ରୁ ୨୪ ମଧ୍ୟରେ ହୋଇଥିବା ୧୦୦ ମିମିରୁ ଊର୍ଦ୍ଧ୍ୱ ବର୍ଷା ବଳରେ ରାଜ୍ୟରେ ଚାଷ କାର୍ଯ୍ୟ କିଛି ହୋଇଛି । ଏହି ସ୍ଥିତିରେ ରାଜ୍ୟରେ ପୁଣି ନିଅଣ୍ଟିଆ ବର୍ଷା ନଜରକୁ ଆସିଛି । ଗତ ୪ ଦିନ ହେବ ରାଜ୍ୟରେ ବର୍ଷାର ପରିମାଣ କ୍ରମାଗତ ଭାବେ ହ୍ରାସ ପାଇଥିବାବେଳେ ଏବେସୁଦ୍ଧା ସ୍ୱାଭାବିକରୁ ୨୨% କମ୍ (୪୧୩.୨ ମିମି) ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ନିଅଣ୍ଟିଆ ବର୍ଷା ଜାରି ରହିଥିବାବେଳେ ଏବେ କେନାଲ ଜଳସେଚନ ଉପରେ ଚାଷୀ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଛି । ସବୁଠୁ ଚିନ୍ତାର ବିଷୟ ଯେ ଉତ୍ତର କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ବି ରାଜ୍ୟକୁ ଅଧିକ ବର୍ଷା ସମ୍ଭାବନା ନାହିଁ । ଏନେଇ ବୁଧବାର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର ବିଶ୍ୱାସ ସୂଚନା ଦେଇଛନ୍ତି ।

ଆସନ୍ତା ୪ ଦିନ ଲଘୁଚାପ ସକାଶେ ପାଗ କୋହଲା ରହିବ । ଲଘୁଚାପ ସକ୍ରିୟ ହେବାର ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର ଅତିକ୍ରମ କରିବାର ସମ୍ଭାବନା ରହିଛି; ଯାହାର ପ୍ରଭାବରେ ୨୮ରୁ ୩୦ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହି ସମୟରେ ସମୁଦ୍ରରେ ୪୦ରୁ ୫୦ କିମି ବେଗରେ ପବନ ବୋହିବ । ତେଣୁ ସମୁଦ୍ରକୁ ଯିବା ବେଳେ ସତର୍କତା ଅବଲମ୍ବନ କରିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ରାଜ୍ୟର କିଛି ହାତଗଣତି ଜିଲ୍ଲାକୁ ଭାରୀ ବର୍ଷା ସମ୍ଭାବନା ଥିବାବେଳେ ବାକି ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଗୁରୁବାର ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼, ଅନୁଗୁଳ, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା ଓ ଢେଙ୍କାନାଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତା ୧ ତାରିଖ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ଶ୍ରୀ ବିଶ୍ୱାସ କହିଛନ୍ତି ।

ଏବେ ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଥିବାରୁ ରାଜ୍ୟରେ ବହୁ ନଦୀ ଫୁଲୁଥିବା ନଜରକୁ ଆସିଛି । ଅବଶ୍ୟ ଏବେଯାଏଁ କେଉଁଠି ବି ଜଳସ୍ତର ବିପଦ ସଙ୍କେତ ଉପରକୁ ଯାଇନାହିଁ । ହେଲେ ଏହା ମଧ୍ୟରେ ହୀରାକୂଦର ୧୪ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଗତ ୩ ଦିନ ହେବ ପ୍ରାୟ ୧୦ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ବୁଧବାର ଆଉ ୪ଟି ଖୋଲାଯାଇଛି । ବାମ ପଟୁ ୯ଟି ଓ ଡାହାଣପଟୁ ୫ଟି ଗେଟ୍ ଖୋଲା ହୋଇଛି । ମିଳିଥିବା ସୂଚନା ମୁତାବକ, ଉପରମୁଣ୍ଡରେ ଅଧିକ ବର୍ଷା ହେତୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ବୃଦ୍ଧି ପାଇବା ଆଶଙ୍କାରେ ଆଗୁଆ ସତର୍କତା ମୂଳକ ପକ୍ଷେ ସ୍ୱରୂପ ବୁଧବାର ଆହୁରି ୪ ଟି ଗେଟ୍ ଖୋଲିବା ପାଇଁ ଜଳଭଣ୍ଡାର ନିୟନ୍ତ୍ରଣ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ ।

ଶେଷ ଖବର ଅନୁଯାୟୀ ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇ ୬୦୭.୧୭ ଫୁଟ ରହିଛି । ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୫,୭୫୦ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ମୋଟ ୨,୨୫,୪୪୩ ଘନଫୁଟ ଜଳ ନିଷ୍କାସିତ ହେଉଛି । ସେଥି ମଧ୍ୟରୁ ଖୋଲାଯାଇଥିବା ୧୪ ଟି ସ୍ଲୁଇସ୍ ଗେଟ୍ ମଧ୍ୟଦେଇ ୨,୦୪,୬୬୧ ଘନଫୁଟ ଜଳ ନିଷ୍କାସିତ ହେଉଛି । ଏହି ସମୟରେ ଶକ୍ତି ଉତ୍ପାଦନ ପାଇଁ ପାୱାର କେନାଲରେ ୧୬,୫୫୫ ଘନଫୁଟ, ବରଗଡ଼ ମୁଖ୍ୟ କେନାଲରେ ୩,୧୭୮ ଘନଫୁଟ, ସାସନ କେନାଲରେ ୫୦୦ ଓ ସମ୍ବଲପୁର ଡିଷ୍ଟ୍ରିବ୍‌ୁଟାରିରେ ୭୭ ଘନଫୁଟ ଜଳ ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନ ସକାଶେ ୨୭୨ ଘନଫୁଟ ଜଳ ନିଷ୍କାସନ କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ୩୪.୭୧ ମିଲିମିଟର ଓ ତଳମୁଣ୍ଡରେ ୧୬.୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ହୀରାକୁଦ ମୁଖ୍ୟ ବନ୍ଧ ନିୟନ୍ତ୍ରଣ କକ୍ଷ୍ୟ ସୂତ୍ରରୁ ମିଳିଥିବା ସୂଚନାରୁ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking