37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବ୍ୟାଙ୍କ୍ ଡୁବିଲେ ଗ୍ରାହକ ପାଇବେ ୫ଲକ୍ଷ

ବ୍ୟାଙ୍କ୍ ଡୁବିଲେ ଗ୍ରାହକ ପାଇବେ ୫ଲକ୍ଷ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିଲା କେନ୍ଦ୍ର କ୍ୟାବିନେଟ୍ ବୈଠକ । ଏଥିରେ ଡିପୋଜିଟ୍ ଇନ୍‌ସ୍ୟୁରାନ୍ସ ଆଣ୍ଡ୍ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ଆକ୍ଟ (ଡିଆଇସିଜିସି)କୁ ଅନୁମୋଦନ ମିଳିଛି । ଏଣିକି କୌଣସି ବ୍ୟାଙ୍କ୍ ଯଦି ଡ଼ୁବିଯାଏ, ତେବେ ଜମାକର୍ତ୍ତାଙ୍କର ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ସୁରକ୍ଷିତ ରହିବ । ୯୦ ଦିନ ମଧ୍ୟରେ ଜମାକର୍ତ୍ତା ଏହି ଅର୍ଥ ଫେରସ୍ତ ପାଇବେ । ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅନୁସାରେ ଜମାକର୍ତ୍ତାମାନଙ୍କୁ ବ୍ୟାଙ୍କ୍ ଡୁବିଯିବା କ୍ଷେତ୍ରରେ ମାତ୍ର ୧ ଲକ୍ଷ ଟଙ୍କାର ଅର୍ଥ ରାଶି ଫେରସ୍ତ ମିଳୁଥିଲା । ସରକାର ୨୦୨୦ରେ ହିଁ ଏହି ଯୋଜନା ସମ୍ବନ୍ଧରେ ଘୋଷଣା କରିଥିଲେ । ବୁଧବାର ଏହି ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି । ଆଗାମୀ ସମୟରେ ଏହି ବିଲ୍‌କୁ ସଂସଦରେ ଉପସ୍ଥାପନ କରାଯିବ । ଚଳିତ ମୌସୁମୀ ଅଧିବେଶନରେ ଏହି ବିଲ୍ ଆଗତ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

୨୦୨୦ରେ ପଞ୍ଜାବ ଆଣ୍ଡ୍ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କ୍ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇର) ପଦକ୍ଷେପ ପରେ ଜମାକର୍ତ୍ତାମାନଙ୍କ ସୁରକ୍ଷାକୁ ନେଇ ସରକାର ଏହି ଆଇନ୍‌କୁ ସଂଶୋଧନ କରିବାକୁ ଘୋଷଣା କରିଥିଲେ । ନିକଟରେ ସାଧାରଣ ବଜେଟ୍ ଆଗତ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଡିଆଇସିଜିସିର ସଂଶୋଧନ ସମ୍ବନ୍ଧରେ ସଂସଦରେ ଘୋଷଣା ମଧ୍ୟ କରିଥିଲେ । କରୋନା ମହାମାରୀ ପରିପ୍ରେକ୍ଷୀରେ ସଂସଦର ବଜେଟ୍ ପରବର୍ତ୍ତୀ ଅଧିବେଶନକୁ ସ୍ଥଗିତ କରି ଦିଆଯାଇଥିଲା । ଫଳରେ ଏହି ବିଲ୍ ଆଗତ ହୋଇ ପାରିନଥିଲା ।୧୯୯୩ ମସିହା ପରଠାରୁ ଏହା ପ୍ରଥମ ପରିବର୍ତ୍ତନ । ଦୀର୍ଘ ୨୭ ବର୍ଷ ପରେ ଡିଆଇସିଜିସିରେ ପରିବର୍ତ୍ତନ କରାଯାଇଛି । ଡିଆଇସିଜିସି ନିୟମରେ ଏହି ସଂଶୋଧନ ୪ ଫେବୃଆରୀ ୨୦୨୦ ପରଠାରୁ ଲାଗୁ ହେବ ବୋଲି ଜଣାପଡ଼ିଛି ।

ଫଲରେ ପିଏମ୍‌ସି, ଲକ୍ଷ୍ମୀବିଳାସ ବ୍ୟାଙ୍କ୍ ତଥା ୟସ୍ ବ୍ୟାଙ୍କ୍‌ର ଜମାକର୍ତ୍ତାମାନେ ମଧ୍ୟ ଏହି ସଂଶୋଧନ ଦ୍ୱାରା ଲାଭବାନ୍ ହେବେ । ଯଦି କୌଣସି ଜମାକର୍ତ୍ତାଙ୍କର ଗୋଟିଏ ବ୍ୟାଙ୍କ୍‌ର ଏକାଧିକ ବ୍ରାଞ୍ଚ୍‌ରେ ଖାତା ରହିଛି । ତେବେ ବି ଜମାକର୍ତ୍ତାଙ୍କୁ ସମସ୍ତ ଆକାଉଣ୍ଟ୍‌ର ଜମାକୁ ଯୋଡ଼ିକି କେବଳ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶିକୁ ଫେରସ୍ତ କରାଯିବ । ଏହି ରାଶିରେ ମୂଳଧନ ଓ ସୁଧ ସାମିଲ୍ ରହିବ ।
ସୂଚନାଯୋଗ୍ୟ ଯେ ବ୍ୟାଙ୍କ୍‌ରେ ଜମା କରାଯାଇଥିବା ସମସ୍ତ ପ୍ରକାରର ଜମା ଏହି ଦାୟରାରେ ଆସିଥାଏ । ସାଧାରଣ ଜମା, ସ୍ଥାୟୀ ଜମା ଅଥବା କରେଣ୍ଟ୍ ଆକାଉଣ୍ଟ୍ ଆଦି ଏଥିରେ ଅନ୍ତର୍ଭୁକ୍ତ । ନୂତନ ଯୋଜନା ଲାଗୁହେବା ପରେ ଜମାକର୍ତ୍ତାଙ୍କୁ ଏହାର ଲାଭମିଳିବ । କିନ୍ତୁ ବ୍ୟାଙ୍କ୍‌ମାନଙ୍କ କ୍ଷେତ୍ରରେ ପ୍ରତି ଶହେ ଟଙ୍କା ଉପରେ ଦିଆଯାଉଥିବା ୧୦ ଟଙ୍କାର ପ୍ରିମିୟମ୍ ରାଶି ୨ଟଙ୍କା ବୃଦ୍ଧି ପାଇ ୧୨ଟଙ୍କା ହୋଇଛି । ଗ୍ୟାରେଣ୍ଟି ରାଶି ବୃଦ୍ଧି ପାଇବା ଯୋଗୁଁ ବ୍ୟାଙ୍କ୍‌ରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ବୃଦ୍ଧିପାଇବାର ସମ୍ଭାବନା ରହିଛି । ଫଳରେ ବ୍ୟାଙ୍କ୍‌ମାନଙ୍କ ନିକଟକୁ ଅଧିକ କ୍ୟାଶ୍ ଫ୍ଲୋ ଆସିବ । ବ୍ୟାଙ୍କ୍ ଅଧିକ ମାତ୍ରାରେ ଋଣଦେବାରେ ସକ୍ଷମହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking