39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶନିର୍ଭୟା ଗଣଦୁଷ୍କର୍ମ ମାମଲା : ୨ ଫାଶୀ ଆସାମୀଙ୍କ ଆବେଦନର ଶୁଣାଣି ଆଜି

ନିର୍ଭୟା ଗଣଦୁଷ୍କର୍ମ ମାମଲା : ୨ ଫାଶୀ ଆସାମୀଙ୍କ ଆବେଦନର ଶୁଣାଣି ଆଜି

ନୂଆଦିଲ୍ଲୀ : ଦିଲ୍ଲୀରେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆସନ୍ତା ୨୨ରେ ଫାଶୀଦଣ୍ଡ ପାଇବାକୁ ଥିବା ୪ ଜଣ ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ଓ ମୁକେଶ କୁମାର ସୁପ୍ରିମକୋର୍ଟରେ କରିଥିବା କ୍ୟୁରେଟିଭ୍ ପିଟିସନ୍ (ଆଇନଗତ ପ୍ରତିକାରମୂଳକ ଆବେଦନ)ର ମଙ୍ଗଳବାର ଶୁଣାଣି କରାଯିବ । ଜଷ୍ଟିସ୍ ଏନଭି ରମାନା, ଅରୁଣ ମିଶ୍ର, ଆରଏଫ୍ ନରିମାନ, ଆର୍ ଭାନୁମତି ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କୁ ନେଇ ୫ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଏହି ଗଣଦୁଷ୍କର୍ମ ମାମଲାରେ ଫାଶୀଦଣ୍ଡ ପାଇବାକୁ ଥିବା ଅନ୍ୟ ୨ ଜଣ ଦୋଷୀ ହେଲେ ଅକ୍ଷୟ କୁମାର ସିଂହ ଓ ପବନ ଗୁପ୍ତା । ସେମାନେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିନାହାନ୍ତି ।
ଏହି ପିଟିସନର ରୁଦ୍ଧଦ୍ୱାର ଶୁଣାଣି କରାଯିବ । ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ଏହା ହେଉଛି ଦୋଷୀଙ୍କ ନିମନ୍ତେ ଶେଷ ସୁଯୋଗ । ଗତ ମଙ୍ଗଳବାର ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଏହି ୪ ଦୋଷୀଙ୍କ ବିରୋଧରେ ମୃତ୍ୟୁ ପରୱାନା (ଡେଥ୍ ୱାରେଣ୍ଟ୍) ଜାରି କରି ଜାନୁଆରୀ ୨୨ ସକାଳ ୭ଟାରେ ତିହାର ଜେଲ୍ ପରିସରରେ ସେମାନଙ୍କୁ ଫାଶୀ ଦିଆଯିବ ବୋଲି ଜେଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହି ଦୋଷୀମାନଙ୍କୁ କ୍ୟୁରେଟିଭ୍ ପିଟିସନ୍ ଦାଖଲ ପାଇଁ ୨ ସପ୍ତାହ ସମୟ ଦିଆଯାଇଥିଲା । ଉଲ୍ଲେଖଯୋଗ୍ୟ ୨୦୧୨ ଡିସେମ୍ବର ୧୬ ରାତିରେ ୨୩ ବର୍ଷୀୟା ପାରାମେଡିକାଲ୍ ଛାତ୍ରୀ ନିର୍ଭୟାଙ୍କୁ ଦକ୍ଷିଣ-ଦିଲ୍ଲୀରେ ଏକ ଚଳନ୍ତା ବସ୍ରେ ୬ ଜଣ ଦୁଷ୍କର୍ମ କରି ତଳକୁ ଫିଙ୍ଗି ଦେଇଥିଲେ । ଏହାପରେ ଡିସେମ୍ବର ୨୯ରେ ନିର୍ଭୟାଙ୍କର ସିଙ୍ଗାପୁର ହସ୍ପିଟାଲ୍ରେ ମୃତ୍ୟୁ ହୋଇଥିଲା । ଅନ୍ୟତମ ଦୋଷୀ ରାମ ସିଂହ ତିହାର ଜେଲ୍ରେ ଆତ୍ମହତ୍ୟା କରିଥିଲା ଏବଂ ଏହି ଅପରାଧରେ ଜଡ଼ିତ ଜଣେ ନାବାଳକକୁ ବାଳସୁଧାର ଗୃହକୁ ପଠାଯାଇଥିଲା । ସେଠାରେ ସେ ୩ ବର୍ଷ କଟାଇ ମୁକ୍ତ ହୋଇଛି । ତେବେ ଅନ୍ୟ ୪ ଜଣଙ୍କୁ ଫାଶୀ ଦିଆଯିବା ଲାଗି ତିହାର ଜେଲରେ ପ୍ରସ୍ତୁତି ଚାଲିଛି । ସେମାନଙ୍କୁ ଫାଶୀ ଦେବାଲାଗି ଘାତକ ପ୍ରସ୍ତୁତ ହୋଇଗଲେଣି ବୋଲି ଜେଲ୍ ସୂତ୍ରରୁ ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking