38.1 C
Bhubaneswar
Friday, April 26, 2024
Homeଓଡିଶାବଦଳିବେ ନିରଂଜନ!

ବଦଳିବେ ନିରଂଜନ!

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ପିସିସି ସଭାପତି ନିରଂଜନ ପଟ୍ଟନାୟକ ଖୁବଶୀଘ୍ର ବଦଳିବେ ବୋଲି ସୂଚନା ମିଳୁଛି । ଜାତୀୟ ଗଣମାଧ୍ୟମରେ ଏଆଇସିସି ସୂତ୍ରକୁ ଆଧାର କରି ଏ ନେଇ ଖବର ପ୍ରକାଶିତ ହୋଇଛି । ଏଆଇସିସି ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପ୍ରାୟ ୧୨ଟି ରାଜ୍ୟର ଦଳୀୟ ସଭାପତିଙ୍କୁ ବଦଳାଇବେ ବୋଲି ଏଥିରେ ଦର୍ଶାଯାଇଛି । ଯେଉଁ ରାଜ୍ୟଗୁଡ଼ିକର ନାମ ପ୍ରକାଶ ପାଇଛି ସେଥିରେ ଓଡ଼ିଶା ପିସିସି ସ୍ଥାନ ପାଇଛି । ଏଣୁ ନିରଂଜନ ବଦଳିଲେ ଏହା ଏକ ପ୍ରକାର ନିଶ୍ଚିନ୍ତ ବୋଲି ଅନେକ କଂଗ୍ରେସ ନେତା କହୁଛନ୍ତି । ସାଧାରଣ ନିର୍ବାଚନରେ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ସଭାପତି ପଦରୁ ନିରଂଜନ ତାଙ୍କ ଇସ୍ତଫା ପତ୍ର ଏଆଇସିସିକୁ ପଠାଇଥିଲେ । ଏଆଇସିସି ନିରଂଜନଙ୍କ ଇସ୍ତଫାକୁ ଗ୍ରହଣ ନ କରିଥିଲେ ବି ପିସିସିକୁ ଭାଙ୍ଗି ଦେଇଛନ୍ତି ।  ଏହି ସ୍ଥିତିରେ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି କରିବା ପାଇଁ ଦଳର ଗୋଟିଏ ଗୋଷ୍ଠୀ ଜୋରଦାର ଉଦ୍ୟମ ଚଳାଇଛନ୍ତି । ସେମାନେ ଦିଲ୍ଲୀ ଯାଇ ଏଆଇସିସି ନେତାମାନଙ୍କୁ ଓ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭୋଟି ସାରିଛନ୍ତି ।
ଜାତୀୟ ଗଣମାଧ୍ୟମରେ ଏଆଇସିସି ସୂତ୍ରରୁ ଆଧାର କରି ପ୍ରକାଶିତ ଖବରରେ ଉଲ୍ଲେଖ କରାଯାଇଛି ଯେ, ପ୍ରାୟ ୧୨ରୁ ଅଧିକ ରାଜ୍ୟରେ ପିସିସି ସଭାପତି ବଦଳିବେ । ନୂଆ କମିଟି ଗଠନ କରାଯିବ । ଏହି କାର୍ଯ୍ୟ ଖୁବଶୀଘ୍ର କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି । ଯେଉଁସବୁ ପ୍ରମୁଖ ରାଜ୍ୟର ନାମ ରହିଛି ସେଥିରେ ଆସାମ, ବିହାର, କର୍ଣ୍ଣାଟକ, ଓଡ଼ିଶା, ତାମିଲନାଡୁ, ଉତ୍ତରାଖଣ୍ଡ, ଜାମ୍ମୁ-କାଶ୍ମୀର ଓ ଉତ୍ତରପୂର୍ବ ଭାରତର କିଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ରହିଛି । ଏପରି କି ଏହି ଖବରରେ ଦର୍ଶାଯାଇଛି ରାହୁଲ ଗାନ୍ଧି ପୁଣି ଦଳର ମଙ୍ଗ ଧରିବେ । ଏ ନେଇ ପ୍ରକ୍ରୀୟା ଆରମ୍ଭ ହୋଇଯାଇଛି । ଏଆଇସିସି ସାଙ୍ଗଠନିକ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେବାକୁ ଯାଉଥିବା ଦର୍ଶାଯାଇଛି ।
ଓଡ଼ିଶାରେ ସାଧାରଣ ନିର୍ବାଚନର ବିପର୍ଯ୍ୟୟ ପରେ ପରେ ପାଟକୁରା ଓ ବିଜେପୁର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜୟ ହେଲା । ଦଳୀୟ ପ୍ରାର୍ଥୀ ଅମାନତ ହରାଇଲେ । କଂଗ୍ରେସ ଭଳି ଏକ ପୁୁରୁଣା ଦଳ ନିଜର ଅମାନତ ରଖିପାରୁନି ଏହାଠୁ ବଳି ଦୁର୍ଭାଗ୍ୟ କିଛି ନଥାଇ ପାରେ ବୋଲି କୁହାଯାଉଛି । ଏଥିପାଇଁ ଦଳୀୟ ନେତାମାନେ ନେତୃତ୍ୱକୁ ଦାୟୀ କରିଛନ୍ତି । ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଆଉ ଆଗେଇ ପାରିବ ନାହିଁ ବୋଲି ସେମାନେ ଯୁକ୍ତି ଦର୍ଶାଉଛନ୍ତି ।
ପିସିସ ସଭାପତି ପରିବର୍ତ୍ତନ କଥା ଉଠିଲା ପରେ ପରବର୍ତ୍ତୀ ସଭାପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ଅବଶ୍ୟ କେବଳ ବିଧାୟକ ମହମ୍ମଦ ମୋକିମଙ୍କୁ ଛାଡ଼ିଦେଲେ ଆଉ କେହି ଦାବିଦାର ଖୋଲାଖୋଲି ଭାବେ ଆଗକୁ ଆସିନାହାଁନ୍ତି । ସଭାପତି ହେବା ପାଇଁ ମୋକିମ ଆଗ୍ରହୀ ଥିବା ସ୍ପଷ୍ଟ ହୋଇଛି । ଯେଉଁମାନେ ଦିଲ୍ଲୀ ଯାଉଛନ୍ତି ସେମାନେ କେବଳ ମୋକିମଙ୍କ ନାମ କହିଛନ୍ତି । ମୋକିମଙ୍କ ନାମ ପ୍ରଚାର ହେବା ପରଠାରୁ ସେ ଏହାକୁ ଏଯାଏ ଖଣ୍ଡନ କରିନାହାଁନ୍ତି । ଏଆଇସିସିସ୍ତରର ତାଙ୍କୁ ନେଇ ଚର୍ଚ୍ଚା ହେଉଥିବା କଥା କୁହାଯାଉଛି । ହେଲେ ବାସ୍ତବ କ୍ଷେତ୍ରରେ ଏଆଇସିସି କେବେ ସଭାପତି ପରିବର୍ତ୍ତନ କରୁଛନ୍ତି ତାହା ଉପରେ ସବୁକିଛି ନିର୍ଭର କରିବ ।
କିନ୍ତୁ କୌତୁହଳର କଥା ନିରଂନଙ୍କୁ ସଭାପତି ରଖି ଏଆଇସିସି ପିସିସି କମିଟି ଭାଙ୍ଗିଦେଇଛନ୍ତି । ଏଣୁ ନିରଂଜନ ସଭାପତି ପଦରୁ ଇସ୍ତଫା ଦେଇଥିଲେ ବି ରହିବେ ବୋଲି ଭାବି ପିସିସି କମିଟିରେ କିଏ ରହିବେ ତାର ତାଲିକା କରି ଏଆଇସିସିକୁ ପଠାଇଛନ୍ତି । ଅବଶ୍ୟ ଏଆଇସିସି ଏପର୍ଯ୍ୟନ୍ତ ଅନୁମୋଦନ ଦେଇନାହିଁ ।  କୁହାଯାଉଛି ବୋଧହୁଏ ସଭାପତି ପରିବର୍ତ୍ତନ ହେବାର ସମ୍ଭାବନା ଥିବାରୁ ନିରଂଜନଙ୍କ ତାଲିକାକୁ ଗ୍ରହଣ କରାଯାଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking