28.1 C
Bhubaneswar
Friday, April 26, 2024
Homeଓଡିଶାମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା

ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା

ପୁରୀ : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥର ଦଣ୍ଡା ଫ୍ରେମ୍ ନମ୍ୱରିଂ ହୋଇ କଳସା କାର୍ଯ୍ୟ ଶେଷ ହୋଇଛି । କଣ୍ଟା ବସିବା ପାଇଁ ଅଗର ବିନ୍ଧ ପରେ ଦଣ୍ଡା ଫ୍ରେମର ବିଭିନ୍ନ ଅଂଶ ଖୋଲିଛନ୍ତି ବିଶ୍ୱକର୍ମା ମହାରଣା । ତିନି ରଥର ଚକର ଦିଗ ନିର୍ଣ୍ଣୟ କାର୍ଯ୍ୟ ତିନି ମୁଖ୍ୟ ବିଶ୍ୱକର୍ମା ଭୋଇ ସେବକଙ୍କ ସହଯୋଗରେ ସମ୍ପାଦିତ କରିଛନ୍ତି। ମହାପ୍ରଭୁଙ୍କ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ଯେଭଳି ବିନା ବାଧାରେ ସିଂହଦ୍ୱାର ଠାରେ ଯାଇ ନିଜ ନିଜ ସ୍ଥାନରେ ପହଞ୍ଚି ପାରିବେ ସେଥିପାଇଁ ତିନି ରଥର ଚକ ଅଖ ସେଟିଂ କରାଯାଇଛି ।

ସେହିପରି ତିନି ରଥର ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଧୂଳି ଦଣ୍ଡାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ତିନି ରଥର ଭୂଇଁ ଓରା, ଭୂଇଁ ଖମ୍ବି, ପୋଟଳ ପାରେଣୀ, ପୋଟଳ ନାହାକା ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି ବିଶ୍ୱକର୍ମା ମାନେ । ସେପଟେ ରୂପକାର ସେବକମାନେ ତିନି ରଥର ସିଂହାସନରେ ପୂର୍ଣ୍ଣ କୁମ୍ଭ, ପଦ୍ମ ପାଖୁଡ଼ା ଇତ୍ୟାଦି ଖୋଦେଇ କାର୍ଯ୍ୟ ବେଶ୍ ନିଷ୍ଠାର ସହ ଜାରି ରଖିଛନ୍ତି । ଦୋଳବେଦୀର କରତି ଚାଳିରେ କରତି ସେବକ ମାନେ ତିନି ରଥର ପୋଲ ଗୟଳ ଚିରଟ ପରେ ଚକା ବାନ୍ଧେଣୀ ପାଇଁ ଗର କାଠର ଗଡ କାମ ଆରମ୍ଭ କରିଛନ୍ତି । ଦୋଳବେଦୀର କମାରଶାଳରେ ଓଝା ସେବକ ମାନେ ତିନି ରଥର ଗୟଳ କଣ୍ଟା, ଯୋଖା କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ତିନି ରଥର ନିର୍ମାଣ କାର୍ଯ୍ୟ ଆଜି ୩୪ ଦିନରେ ପହଞ୍ଚିଥିବା ବେଳେ ଏଥିରେ ପାଖାପାଖି ୨ଶହ ନିର୍ମାଣକାରୀ ଲାଗିଛନ୍ତି । ତେବେ ସ୍ନାନ ପୂର୍ଣ୍ଣିମାର ଯଥେଷ୍ଟ ପୂର୍ବରୁ ତିନି ରଥର ଚାରିନାହାକା ଉଠିବା କାର୍ଯ୍ୟ ସମ୍ପାଦିତ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking