ନୂଆଦିଲ୍ଲୀ : ପେରୁର ଦକ୍ଷିଣ-ପୂର୍ବ ଅଞ୍ଚଳରେ ସାମରିକ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପାଇଲଟ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରି ପେରୁର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ହେଲିକପ୍ଟରଟି କୋକା ଚାଷ ହେଉଥିବା ନଦୀ ଉପତ୍ୟକାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଧିକାରୀଙ୍କ ଅନୁଯାୟୀ, ଆପୁରିମାକ,ଏନେ ଏବଂ ମାଣ୍ଟାରୋ ନଦୀ ଉପତ୍ୟକାର ଏକ ଦୁର୍ଗମ ଅଞ୍ଚଳରେ ପାଟ୍ରୋଲିଂ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତିରେ ଉଲ୍ଲେଖ କରାଯାଇଛି ଯେ, ସନ୍ଧାନ ଏବଂ ଉଦ୍ଧାର ଦଳ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଏବଂ ଏଥିରେ ଥିବା ନଅ ଜଣ ସାମରିକ କର୍ମଚାରୀଙ୍କୁ ଠାବ କରିଛନ୍ତି । ଦୁର୍ଘଟଣାରୁ ବଞ୍ଚିଯାଇଥିବା ପାଇଲଟ ତଥା ଏକମାତ୍ର ବ୍ୟକ୍ତି ଏଞ୍ଜୋ ଏସ୍ପିନୋଜା ରୋକ୍ଙ୍କୁ ଅଧିକ ଚିକିତ୍ସା ପାଇଁ ଲିମାକୁ ସ୍ଥାନାନ୍ତର କରାଯାଇଛି,ବିବୃତିରେ କୁହାଯାଇଛି।










