ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ଗାମ୍ବିଆରୁ ୧୦୪ ପ୍ରବାସୀଙ୍କୁ ନେଇ ସ୍ପେନରେ ଅନୁପ୍ରବେଶ ପାଇଁ ଯାଉଥିବା ଏକ ଡଙ୍ଗା ମଝି ସମୁଦ୍ରରେ ବୁଡ଼ି ଯିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ସ୍ପେନର ଏଲ୍ ହିଏରୋ ଦ୍ୱୀପରୁ ୭୨ କିଲୋମିଟର ଦୂରରେ ସମୁଦ୍ର ମଝିରେ ଏହା ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା। ଜୀବିତ ଥିବା ୯୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଡଙ୍ଗା ୧୦ ଦିନ ପୂର୍ବରୁ ଗାମ୍ବିଆର ରାଜଧାନୀ ବାଞ୍ଜୁଲରୁ ବାହାରିଥିଲା। ଇଞ୍ଜିନ୍ ଫେଲ୍ ହେବା ଯୋଗୁଁ ଏହା ସମୁଦ୍ରରେ କାନାରି ଦ୍ୱୀପପୁଞ୍ଜ ନିକଟରେ ଫସି ରହିଥିଲା। ସ୍ପାନିସ୍ ନ୍ୟୁଜ୍ ଏଜେନ୍ସି ଇଏଫଇ ଏବଂ ସମ୍ବାଦପତ୍ର ଏଲ୍ ପାଇସ୍ ଅନୁଯାୟୀ, ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଡଙ୍ଗାଟି ମିଳିବାର ତିନି ଦିନ ପୂର୍ବରୁ ଏହାର ଇଞ୍ଜିନ୍ ଅକାମୀ ହୋଇଥିଲା।ଉଦ୍ଧାର କାର୍ୟ୍ୟରେ ସ୍ପେନର ସାମୁଦ୍ରିକ ଉଦ୍ଧାର ସେବା ଏବଂ ସିଭିଲ୍ ଗାର୍ଡର ଜାହାଜ ଏବଂ ଏକ ହେଲିକପ୍ଟର ସାମିଲ ହୋଇ ଗୁରୁତର ଅବସ୍ଥାରେ ମିଳିଥିବା ଛଅ ଜଣଙ୍କୁ ହେଲିକପ୍ଟର ଦ୍ୱାରା ଏଲ୍ ହିଏରୋର ଏକ ହସ୍ପିଟାଲକୁ ଏୟାର ଲିଫ୍ଟ କରିଥିଲେ। ଅନ୍ୟ ଜୀବୀତ ୮୪ ଜଣଙ୍କୁ ସାମୁଦ୍ରିକ ଉଦ୍ଧାର ସେବା ଜାହାଜ ଦ୍ୱାରା ଲା ରେଷ୍ଟିଂଗା ବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା।ଏକ ସିଭିଲ୍ ଗାର୍ଡ ପାଟ୍ରୋଲ୍ ଡଙ୍ଗା ପ୍ରବାସୀ ଦୁର୍ଘଟଣା ଗ୍ରସ୍ତ ଡଙ୍ଗାଟିକୁ ବନ୍ଦରକୁ ଟାଣି ନେଇଥିଲା। କାନାରି ଦ୍ୱୀପପୁଞ୍ଜ ଉତ୍ତର-ପଶ୍ଚିମ ଆଫ୍ରିକାର ଉପକୂଳରେ ଆଟଲାଣ୍ଟିକ୍ ମହାସାଗରରେ ଅବସ୍ଥିତ ଏକ ସ୍ପେନିସ୍ ଅଞ୍ଚଳ। ସେଠାକୁ ଆସୁଥିବା ଲୋକମାନେ ସ୍ପେନ ଏବଂ ୟୁରୋପୀୟ ସଂଘର ଅଞ୍ଚଳରେ ପ୍ରବେଶ କରିଥାନ୍ତି। ଏହା ପଶ୍ଚିମ ଆଫ୍ରିକାରୁ ପ୍ରବାସୀଙ୍କ ପାଇଁ ଦ୍ୱୀପପୁଞ୍ଜକୁ ଏକ ପ୍ରମୁଖ ପ୍ରବେଶ ପଏଣ୍ଟ ପାଲଟିଛି।










