26.1 C
Bhubaneswar
Tuesday, November 24, 2026
Homeଓଡିଶାଭୁବନେଶ୍ୱରର ବରମୁଣ୍ଡାରେ ଡିଜାଇନ୍ ସେଣ୍ଟରର ଶୁଭ ଉଦ୍‌ଘାଟନ କଲେ ମନ୍ତ୍ରୀ

ଭୁବନେଶ୍ୱରର ବରମୁଣ୍ଡାରେ ଡିଜାଇନ୍ ସେଣ୍ଟରର ଶୁଭ ଉଦ୍‌ଘାଟନ କଲେ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ଦେଶର ଏକ ପ୍ରମୁଖ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ହବ୍‌ରେ ପରିଣତ କରିବା ଦିଗରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ି ହୋଇଛି। ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିସରରେ ସେମିକଣ୍ଡକ୍ଟର ଡିଜାଇନ୍ କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ଏଆରଏଫ ଡିଜାଇନ୍ ପ୍ରାଇଭେଟ ଲିମିଟେଡ଼ର ନୂତନ ଡିଜାଇନ୍ ସେଣ୍ଟରର ଶୁଭ ଉଦ୍‌ଘାଟନ ହୋଇଛି। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ। ଏହି ଡିଜାଇନ୍ ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କମ୍ପାନୀକୁ ରିହାତି ଦରରେ ଜାଗା ଯୋଗାଇବା ସହ ଆବଶ୍ୟକୀୟ ସହଯୋଗ ଓ ସୁବିଧା ଯୋଗାଇ ଦିଆଯାଇଛି। ଏହା ରାଜ୍ୟରେ ସେମିକଣ୍ଡକ୍ଟର ଡିଜାଇନ୍ ଇକୋସିଷ୍ଟମ୍‌କୁ ସୁଦୃଢ଼ କରିବା ସହ ଉଚ୍ଚ ଦକ୍ଷତାସମ୍ପନ୍ନ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ।

ଏହି ଅବସରରେ ଡ଼. ମହାଲିଙ୍ଗ କହିଥିଲେ ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥିତି ସୁଦୃଢ଼ କରୁଛି। ଗତ ଅଢ଼େଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ସେମିକଣ୍ଡକ୍ଟର ନୀତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ନୀତି ପ୍ରଣୟନ କରି ଏହି କ୍ଷେତ୍ରରେ ନିବେଶ ଓ ନବସୃଜନ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି। ସେ ଆହୁରି କହିଥିଲେ ଯେ, ଚିପ୍ ନିର୍ମାଣଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର ଡିଜାଇନ୍ ଓ ପ୍ୟାକେଜିଂ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଏହି ପ୍ରୟାସର ଫଳସ୍ୱରୂପ ରାଜ୍ୟକୁ ୫,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନିବେଶ ଆସିଛି। ଏହା ରାଜ୍ୟର ଶିଳ୍ପାୟନ, ବୈଷୟିକ ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୃଷ୍ଟିକୁ ନୂତନ ଦିଗ ଦେବ।

ଓଡ଼ିଶାକୁ ସେମିକଣ୍ଡକ୍ଟର ଓ ଉନ୍ନତ ବୈଷୟିକ ଜ୍ଞାନକୌଶଳର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ପୂରଣରେ ସହାୟକ ହେବ। ଏଆରଏଫ ଡିଜାଇନ୍ ପ୍ରାଇଭେଟ ଲିମିଟେଡ଼ ଭଳି ଅଗ୍ରଣୀ କମ୍ପାନୀଙ୍କ ଯୋଗଦାନ ଏହି ଲକ୍ଷ୍ୟ ହାସଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଏଆରଏଫ ଡିଜାଇନ୍ ପ୍ରାଇଭେଟ ଲିମିଟେଡ଼ର ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ମିଶ୍ର, ଓକାକର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ କୌସ୍ତୁଭ ଦୀପ୍ତ ପାଣି ଏବଂ ଏସଟିପିଆଇର ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ପଣ୍ଡାଙ୍କ ସମେତ ଅନ୍ୟ ଅତିଥି ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking