ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଭାରତୀୟ ପୁରୁଷ ହକି ଦଳ। ଶନିବାର ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ହକି ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ୨-୨ ଗୋଲ୍ରେ ଡ୍ର’ ରହିଛି। ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଅଧିନାୟକ ସଞ୍ଜୟଙ୍କ ଚମତ୍କାର ଗୋଲ୍ ବଳରେ ପରାଜୟରୁ ବର୍ତ୍ତିଛି ଭାରତ। ଏହି ଡ୍ର’ ସହ ଭାରତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ବଜାୟ ରଖିଛି।ମ୍ୟାଚ୍ ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ତେବେ ୨୫ତମ ମିନିଟ୍ରେ ନ୍ୟୁଜିଲାଣ୍ଡର ଡିଲାନ୍ ଥୋମାସ୍ ପ୍ରଥମ ଗୋଲ୍ ଦେଇ ଘରୋଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ଭାରତୀୟ ଖେଳାଳିମାନେ ଗୋଲ୍ ପରିଶୋଧ କରିବାକୁ ଜୋରଦାର ପ୍ରୟାସ କରିଥିଲେ। ୩୫ତମ ମିନିଟ୍ରେ ଅଙ୍ଗଦ ବୀର ସିଂହ ଗୋଲ୍ ଦେଇ ମ୍ୟାଚ୍କୁ ୧-୧ ସ୍ଥିତିକୁ ଆଣିଥିଲେ।
ଏହାପରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ୫୬ତମ ମିନିଟ୍ରେ ନ୍ୟୁଜିଲାଣ୍ଡର ସାମ୍ ହିହା ଗୋଲ୍ ଦେଇ ଦଳକୁ ପୁଣି ୨-୧ରେ ଆଗୁଆ କରିଥିଲେ। ମ୍ୟାଚ୍ ଶେଷ ହେବାକୁ ମାତ୍ର କିଛି ମିନିଟ୍ ବାକି ଥିବାରୁ ଭାରତ ଉପରେ ପରାଜୟର ଆଶଙ୍କା ବଢ଼ିଥିଲା। କିନ୍ତୁ ଠିକ୍ ପରବର୍ତ୍ତୀ ମିନିଟ୍ରେ ଅଧିନାୟକ ସଞ୍ଜୟ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ନ୍ୟୁଜିଲାଣ୍ଡର ବିଜୟ ଆଶାରେ ପାଣି ପକାଇ ଦେଇଥିଲେ।










