ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୭ତମ ଜୟନ୍ତୀ ସମାରୋହ ଆୟୋଜିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, ଗଡ଼ଜାତ ରାଜ୍ୟର ମିଶ୍ରଣ ଏବଂ ନବ ଉତ୍କଳର ନିର୍ମାଣରେ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଭୂମିକା ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଷ୍ଟ୍ରନୀତିଜ୍ଞ ଓ ଦକ୍ଷ ସଂଗଠକ ଭାବରେ ସେ ସର୍ବଭାରତୀୟ ସ୍ତରରେ ସୁପରିଚିତ। ଆଜି ସେହି ମହାପୁରୁଷଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ସମସ୍ତେ ସମୃଦ୍ଧ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ-୨୦୪୭ ଗଠନ ଦିଗରେ ନିଜର ସକ୍ରିୟ ଯୋଗଦାନ ଦେବା ବୋଲି ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ।
ବିଶିଷ୍ଟ ସାହିତ୍ୟିକ ଶ୍ରୀ ପ୍ରହଲାଦ କୁମାର ସିଂହ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଡ଼ଃ ହରେକୃଷ୍ଣ ମହତାବ କେବଳ ଯେ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା ଭାବରେ ନୁହେଁ ବରଂ ଜଣେ ସାହିତ୍ୟିକ, ସାମ୍ବାଦିକ ଓ ସମ୍ପାଦକ ଭାବେ ମଧ୍ୟ ସୁପରିଚିତ ଥିଲେ। ପ୍ରଜାତନ୍ତ୍ର ସମ୍ବାଦପତ୍ର ଠାରୁ ଆରମ୍ଭ କରି ମୀନାବଜାର, ଗାଁ ମଜଲିସ ଆଦି ଅସରନ୍ତି ସାହିତ୍ୟ କୃତିର ସାରସ୍ୱତ ସ୍ରଷ୍ଟା ହେଉଛନ୍ତି ଡ଼ଃ ହରେକୃଷ୍ଣ ମହତାବ। ଡ଼ଃ ମହତାବଙ୍କ ବହୁମୁଖୀ ପ୍ରତିଭା, ସାହିତ୍ୟ ସାଧନା ଓ ସ୍ୱତନ୍ତ୍ର ଓଡ଼ିଶା ଗଠନ ପ୍ରତି ତାଙ୍କର ଅବଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଶ୍ରୀ ପ୍ରହଲାଦ କୁମାର ସିଂହ ମତପ୍ରକାଶ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରାବନ୍ଧିକ ଓ ସାହିତ୍ୟିକ ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ ଡ଼. ଗୋବିନ୍ଦ୍ର ଚନ୍ଦ୍ର ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।










