ଭୁବନେଶ୍ୱର: ଗୁରୁ ନାନକ ଦେବଜୀ ସମଗ୍ର ମାନବ ଜାତିକୁ ସତ୍ୟ, ପ୍ରେମ, କରୁଣା, ସମାନତା ଏବଂ ନିଃସ୍ୱାର୍ଥପର ସେବାର ମାର୍ଗ ଦେଖାଇଥିଲେ । ତାଙ୍କର କାଳଜୟୀ ବାଣୀ “ଏକ ଓଁକାର” (ଈଶ୍ୱର ଏକ) ଏବଂ “କିରତ କରୋ, ନାମ ଜପୋ, ୱାଣ୍ଡ ଛକୋ” (ସଚ୍ଚୋଟ ଭାବେ ପରିଶ୍ରମ କର, ଈଶ୍ୱରଙ୍କ ନାମ ସ୍ମରଣ କର ଏବଂ ନିଜ ଉପାର୍ଜନକୁ ଅନ୍ୟମାନଙ୍କ ସହ ବାଣ୍ଟି ଖାଅ) ଆଜି ବି ସମାଜରେ ଭାଇଚାରା, ସାମାଜିକ ନ୍ୟାୟ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଆମକୁ ପ୍ରେରଣା ଯୋଗାଇ ଆସୁଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଏବଂ ମାନବ ସେବାକୁ ହିଁ ଈଶ୍ୱର ସେବା ଭାବେ ଗ୍ରହଣ କରିବାର ଯେଉଁ ଆଦର୍ଶ ସେ ପ୍ରତିଷ୍ଠା କରିଥିଲେ, ତାହା ଯୁଗ ଯୁଗ ଧରି ମାନବ ସମାଜକୁ ଆଲୋକିତ କରୁଥିବ ବୋଲି ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ଶିଖ୍ ଧର୍ମର ପ୍ରତିଷ୍ଠାତା ଶ୍ରୀ ଗୁରୁ ନାନକ ଦେବଜୀଙ୍କର ୫୫୭ତମ ପ୍ରକାଶ ପର୍ବ ବା ଗୁରୁ ନାନକ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ଗୁରୁଦ୍ୱାରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ପହଁଚି ମହାନ ଆଧ୍ୟାତ୍ମିକ ଗୁରୁଙ୍କ ଚରଣରେ କୋଟି କୋଟି ପ୍ରଣାମ ଓ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଏହି ପବିତ୍ର ଦିନରେ ସମଗ୍ର ଦେଶବାସୀ ତଥା ବିଶ୍ୱର କୋଣ ଅନୁକୋଣରେ ଥିବା ସମସ୍ତ ଶିଖ୍ ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଆଜିର ଏହି ପବିତ୍ର ପ୍ରକାଶ ପର୍ବ ଅବସରରେ ଗୁରୁ ନାନକ ଦେବଜୀଙ୍କ ଆଦର୍ଶ ଓ ଶିକ୍ଷାକୁ ନିଜ ଜୀବନରେ ଅନୁସରଣ କରିବା ସହିତ ଏକ ସମାନତାପୂର୍ଣ୍ଣ, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ସମାଜ ଗଠନ ପାଇଁ ଉପସ୍ଥିତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାମାନେ ସଂକଳ୍ପ ନେଇଥିଲେ ବୋଲି ଶ୍ରୀ ଗଣ୍ଡ କହିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ସନ୍ତାଷ ଖଟୁଆ, ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ, ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର, ଶ୍ରୀମତୀ ପିଙ୍କି ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।










