ସାଆନ୍ତିଆସାହିତ୍ୟର ବିଲୟ : ବାସ୍ତବବାଦୀସାହିତ୍ୟର ଅଭ୍ୟୁଦୟ ଲକ୍ଷ୍ୟରେ ସାରାଓଡିଶା ଭାଷା-ସାହିତ୍ୟ-କଳା-ସଂସ୍କୃତି ମହାସଭାର ଦ୍ୱିତୀୟମହାସମ୍ମିଳନୀ ମଇ ୨୮ ଓ ୨୯ ବ୍ୟାସନଗରସହରସ୍ଥିତ ଉତ୍ସବ ପ୍ୟାଲେସ୍ରେ ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ୟସମ୍ମିଳନୀରେ ସୁଦୂର ମାଲକାନଗିରୀ, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ପ୍ରମୂଖ ଜିଲ୍ଲାର ସାହିତ୍ୟକାରମାନେ ଯୋଗଦେଇଥିଲେ । ମହାସଭାର ସଭାପତି ବିଶିଷ୍ଟ ଶ୍ରମିକନେତା, ତତ୍ତ୍ୱବିତ୍, ସାହିତ୍ୟକାର ମାୟାଧର ନାୟକଙ୍କ ଅଧ୍ୟକ୍ଷତାରେ ଓଡିଶାରେ ସଂପୂର୍ଣ୍ଣ ନୂଆଧରଣର ସାହିତ୍ୟିକମାନଙ୍କ ମହାମିଳନ ବଂଶୀବାଦନରେ ଆରମ୍ଭ ହୋଇଥିଲା । ବର୍ଷିୟାନ୍ ସାହିତ୍ୟିକ, ନାଟ୍ୟକାର ଦୀନବନ୍ଧୁ ନାୟକ ଉଦ୍ଘାଟନ କରି କହିଲେ – ଶ୍ରୀକୃଷ୍ଣଙ୍କ ବଂଶୀ ସ୍ୱରରୁ ଆରମ୍ଭ ଏ ଅଦ୍ଭୁତପୂର୍ବ ସମାବେଶ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଆଶା ଓ ବିଶ୍ୱାସ ଓଡିଆ ଭାଷା-ସାହିତ୍ୟର ସ୍ଥିତି, ଦୁର୍ଗତିର ଦାରୁଣ ବାସ୍ତବତାକୁ ସାମ୍ନାକରି ସତ୍ୟସାହିତ୍ୟ ସୃଷ୍ଟିକରିବା ଏକାନ୍ତ ଆବଶ୍ୟକ ।
ମହାସଭାରମହାସଚିବ ଦୃର୍ବାରସତ୍ବାକ୍ ଦଣ୍ଡପାଣି ମହାପାତ୍ର ଭିତ୍ତିପତ୍ର ପ୍ରସ୍ତାବ ଓ ଆଗନ୍ତୁକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ବିପ୍ଲବୀକବି ପ୍ରଶାନ୍ତ ମିଶ୍ର ସାଆନ୍ତିଆସାହିତ୍ୟର ବିଲୟ ଓ ବାସ୍ତବବାଦୀ ସାହିତ୍ୟରଅଭ୍ୟୁଦୟ ସଂପର୍କରେ ଗଭୀରରେଖାପାତ କରିଥିଲେ । ବିଶିଷ୍ଟସ୍ତମ୍ଭକାର, ଅଧ୍ୟାପକ ବନବିହାରୀ ଦାସ ଓଡିଆ ଭାଷା-ସାହିତ୍ୟର ଦୁର୍ଦ୍ଦଶା ସଂପର୍କରେ କହିଲେ – ଆଜି ସାହିତ୍ୟରେ ଅସାହିତ୍ୟ – ଅସତ୍ୟ – ଅସହିଷ୍ଣୁତା, ଅବିଚାର, ଅନିଭିଜ୍ଞତା, ଅପାରଗତା କେଉଁଦିନୁ ବୁଢିଆଣୀ ବସା ବାନ୍ଧିସାରିଲାଣି । ଆମେ ଓଡିଆ ଭାଷାରେ ପରିସ୍କାର କଥା ହେବାକୁ ଭୂଲିଗଲୁଣି । ପଦେ କଥା କହିଲାବେଳକୁ ଓଡିଆ ଭିତରେ ହିନ୍ଦୀ-ଇଂରାଜୀ ପଶିଯାଉଛି । ଏବେ ଆମେ ନିଜକୁ ଓଡିଆ ବୋଲି ଗର୍ବରେ କହିପାରିବା କି ? ବିଶିଷ୍ଟ ସାହିତ୍ୟିକା, ଗବେଷିକା, ଶିକ୍ଷାବିତ୍ ଡଃ ବାସନ୍ତୀ ମହାନ୍ତି ସାଆନ୍ତିଆସାହିତ୍ୟ ରୂପ ବଦଳାଇ ଏବେ ଶିଳ୍ପପତି, ଉଚ୍ଚ ଅମଲାତନ୍ତ୍ରୀ ଓ ତଥାକଥିତରାଜନୈତିକ ପ୍ରଭୂମାନଙ୍କ ଖୋସାମଦିଆରେ ପରିଣତ ହୋଇଯାଇଛି । ଏଭଳି ମାନସିକତାର ବିଲୟ ନଘଟିଲେ ମଣିଷ ଜୀବନ ସହିତ ଜଡିତ ସାହିତ୍ୟ ସୃଷ୍ଟି ହେବା ସମ୍ଭବ ନୁହେଁ।
ବିଶିଷ୍ଟ ଶିକ୍ଷାବିତ୍, ସ୍ତମ୍ଭକାର ପ୍ରଫେସର ମନୋରଞ୍ଜନ ମହାନ୍ତି ବାସ୍ତବଜୀବନଧର୍ମୀ, ପାଣିତ୍ୟପୂର୍ଣ୍ଣ ବକ୍ତବ୍ୟରେ କହିଲେ – ଏହି ବିଶ୍ୱର ପରିବର୍ତ୍ତନ ପାଇଁ ବହୁମହାମନୂଷୀ ଦିଗ୍ଦର୍ଶନ ଦେଇଯାଇଛନ୍ତି । ସତ୍ୟ, ଜୀବନ, ସଂଘର୍ଷ, ପେଟପାଟଣା କଥାକୁ ନେଇ ସାହିତ୍ୟ ସୃଷ୍ଟିହେବା ନିହାତି ଜରୁରୀ । ଯେଉଁ ସାହିତ୍ୟ ସମାଜକୁ ପରିବର୍ତ୍ତନ କରିପାରିବ – ସେ ସାହିତ୍ୟ ଆଜି ସମସ୍ତେ ଲେଖିବା ଦରକାର । ଶେଷରେ ମାୟାଧର ନାୟକ କହିଲେ – ହଜାରହଜାର ବର୍ଷ ଧରି ଆଜିପର୍ଯ୍ୟନ୍ତ ଏ ସମାଜ ଦୃତଗତିରେ ପରିବର୍ତ୍ତନ ହେବାରେ ଲାଗିଛି । ଏହି ପରିବର୍ତ୍ତନରେ ସାହିତ୍ୟକାରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜୀବନସଂଘର୍ଷ ଭିତରୁ ଯେଉଁ ସାହିତ୍ୟ ସୃଷ୍ଟିହୁଏ ତାହାହିଁ ବାସ୍ତବ ସାହିତ୍ୟ । ସେଇଭଳି ବାସ୍ତବସାହିତ୍ୟ ବୁଦ୍ଧଦେବ, ଭୀମଭୋଇ, ଗର୍କୀ, ଟଲ୍ଷ୍ଟୟ, କାର୍ଲମାର୍କ୍ସ, ଲେଲିନ୍, ମାଓ ସେତୁଙ୍ଗ, ରବିନ୍ଦ୍ରନାଥ ଟାଗୋର, କାଜି ନଜରୁଲ୍ ଇସଲାମ୍, ଶରତଚନ୍ଦ୍ର, ମହାତ୍ମାଗାନ୍ଧୀ, ସୁଭାଷଚନ୍ଦ୍ର ବୋଷ, ଫକୀରମୋହନ ସେନାପତି, ସଚ୍ଚି ରାଉତରାୟ ପ୍ରମୂଖଙ୍କ ସୃଷ୍ଟି ସମାଜକୁ ପରିବର୍ତ୍ତନ କରିବାରେ ସହାୟକ ହୋଇଛି । ଏହି ଦିଗ୍ଦର୍ଶକ, ପଥପ୍ରଦର୍ଶକ, ସାହିତ୍ୟକାରମାନଙ୍କ ଜୀବନରେ ଦୁଃଖ, କଷ୍ଟ, ଭୋକ, ରୋଗ, ଅଭାବଅନାଟନ ମାଡିଆସିଥିଲା । ସେମାନେ କିନ୍ତୁ ନିଜକଥା ନଭାବି ସମଗ୍ରବିଶ୍ୱର ପରିବର୍ତ୍ତନ ଓ ସୁଖଶାନ୍ତିମୈତ୍ରୀର ଭଣ୍ଡାର ସୃଷ୍ଟିକରିଯାଇଛନ୍ତି । ଆଜି ଆମ୍ଭେମାନେ ସେମାନଙ୍କ ପଦାଙ୍କ ଅନୁସରଣ କରିବାର ଉପଯୁକ୍ତ ମୁହୂର୍ତ୍ତ ପହଞ୍ଚିଯାଇଛି ।
୭ବର୍ଷର କୁନିଲେଖକ ଅଂଶ ଦାସନାୟକଙ୍କ ଗଳ୍ପପୁସ୍ତିକା ‘କୁନି କଲମର କରାମତ୍’ ୨୯ ତାରିଖ ପୂର୍ବାହ୍ନ ୧୦ଟାରେ ସାରାଓଡିଶା ଭାଷା-ସାହିତ୍ୟ-କଳା-ସଂସ୍କୃତି ମହାସଭାର ଦ୍ୱିତୀୟ ସମ୍ମିଳନୀ ସଭାମଞ୍ଚରେ ଓଡିଶାର ସୁନାମଧନ୍ୟଶିକ୍ଷାବିତ୍, ସଂଗୀତକାର, ଗୀତିକବି ନନ୍ଦକିଶୋର ସିଂ ଲୋକାର୍ପଣ କରିଛନ୍ତି । ଏହି ଲୋକାର୍ପଣ ମଞ୍ଚରେ ଅଂଶଙ୍କପିତା ଆକାଶ ଦାସନାୟକ, ମାତା ଶୁଭ୍ରାଜ୍ୟୋତି ଦାସନାୟକ, ବୁଢାବାପା ମାୟାଧର ନାୟକ, ବୁଢୀମା ଇନ୍ଦିରା ଦାସ, ସାନଭାଇ ଦେଶାନ୍ ଉପସ୍ଥିତ ଥିଲେ । କୁନି ଲେଖକ ଅଂଶ ପ୍ରଥମେ ସମସ୍ତଙ୍କୁ ନମସ୍କାର କରି କହିଲେ – ଏ ଗଳ୍ପ ବହିଟି ମୁଁ ଲେଖିଛି । ମୁଁ ଛୁଆବେଳୁ ଦେଖିଆସୁଛି ମୋ ବାପା (ବୁଢାବାପା) ବହୁତ ବଡବଡ ବହି ଲେଖୁଛନ୍ତି, ମୋ ବାବା (ପିତା) ବହୁତ ମୋଟାମୋଟା ବହି ପଢୁଛନ୍ତି । ମୋର ଇଚ୍ଛା ମୁଁ ବି ବଡଲେଖକ ହେବି । ଆପଣମାନେ ମତେ ଆର୍ଶିବାଦ କରନ୍ତୁ । ସମସ୍ତଙ୍କୁ ନମସ୍କାର । ଗୀତିକବି ନନ୍ଦକିଶୋର ସିଂ ଅଂଶକୁ କୁଣ୍ଢେଇପକାଇ ଆର୍ଶିବାଦ କରି କହିଲେ – ଅଂଶ ଗୋଟିଏ ଛୋଟପିଲା ହୋଇବି ବଡପ୍ରତିଭାର ଅଧିକାରୀ । ସେ ବି ଆଗକୁ ଜଣେ ବଡଲେଖକ ହେବ । ମୁଁ ବି ଜଣେ ଶିଶୁ ସାହିତ୍ୟିକ । ସମସ୍ତେ ସବୁକିଛି ଲେଖିପାରିବେ, କିନ୍ତୁ ଶିଶୁମାନଙ୍କ ପାଇଁ ସାହିତ୍ୟସୃଷ୍ଟିକରିବା ବହୁତ କଷ୍ଟକର । ଏଇଭଳି ଅସାଧାରଣ ପ୍ରତିଭା ଖୁବ୍ କମ୍ ଶିଶୁଙ୍କମଧ୍ୟରେ ଦେଖିବାକୁ ମିଳିଥାଏ । ଏହି ଲୋକାର୍ପଣ ସମୟରେ ସଭାଗୃହରେ ଦୂରଦୂରାନ୍ତରୁ ଆସିଥିବା କବି/କବୟତ୍ରୀ/ଲେଖକ/ଲେଖିକାମାନେ ଖୁସିରେ କରତାଳି ମାରି ଅଂଶକୁ ଉତ୍ସାହିତ କରିଥିଲେ ।
ନାଟ୍ୟକାର, ପ୍ରଫେସର ସୁକାନ୍ତ ରାଉତ କହିଲେ – ଆଜି ସଂଖ୍ୟାବହୁଳ ସାହିତ୍ୟକାରମାନଙ୍କ ବୁଦ୍ଧି ଅଛି, ବିବେକ ନାହିଁ, ମସ୍ତିସ୍କ ଅଛି, ହୃଦୟ ନାହିଁ, ପ୍ରଚାର ଅଛି, ପ୍ରାଣ ନାହିଁ । ଏମିତି ଏକ ଅନ୍ଧମୁହାଣିରେ ଓଡିଶାରସାହିତ୍ୟ ଆଜି ଭୂଆଁବୁଲୁଛି । ଲେଖକମାନଙ୍କ ଭିତରେ ବାସ୍ତବବାଦୀଚିନ୍ତା, ଚେତନା ସୃଷ୍ଟିନହେଲେ ଏ ସମାଜରେ ସାହିତ୍ୟବଦଳରେ କେବଳ ଗୁଡାଏଆବର୍ଜନା ସୃଷ୍ଟିକରିଚାଲିଥିବା । ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସନାୟକ କହିଲେ – ଏହି ବ୍ୟାସନଗରରେ ବ୍ୟାସଦେବ ମହାଭାରତ ରଚନା କରିଥିଲେ ବୋଲି ପ୍ରବାଦ ଅଛି । ଏ ଯାଜପୁର ମାଟିରେ ବହୁ ମହାମନୂଷୀ ଥିଲେ । ଆଜି ବି ଅଛନ୍ତି । ଆମେ ସମସ୍ତେ ମିଳିମିଶି ଉଦ୍ୟମ କଲେ ଆମ ସାହିତ୍ୟ, ସମାଜ, ସଂସ୍କୃତି, ରାଜନୀତି, ଅର୍ଥନୀତି ବିକାଶ ହେବ । ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଣ୍ଟିଆ ତାଙ୍କ ସାରଗର୍ଭକ ଭାଷଣରେ କହିଲେ – ସାହିତ୍ୟରଚନା ଏତେ ସହଜ ନୁହେଁ । ଯେଉଁମାନଙ୍କର ସମାଜପ୍ରତି ଦାୟବଦ୍ଧତା ଅଛି, ଏ ସମାଜର ଦୁଃଖକଷ୍ଟକୁ ଅଙ୍ଗେ ନିଭାଉଛନ୍ତି – ସେହିମାନେ ହିଁ କେବଳ ଉଚ୍ଚାଙ୍ଗ ଓ ବାସ୍ତବବାଦୀ ସାହିତ୍ୟ ସୃଷ୍ଟିକରିପାରିବେ । ବିଶିଷ୍ଟପରିବେଶବିତ୍, ସ୍ତମ୍ଭକାର,ସମାଜସେବୀ ଡକ୍ଟର ଗୌରାଙ୍ଗଚରଣ ରାଉତ କହିଲେ – ଗଛର ଡାଳରେ ପାଣି ସିଞ୍ଚନ କଲେ ଗଛ ବଞ୍ଚେନା । ଗଛ ମୂଳରେ ପାଣିଦେବାକୁ ହେବ । ସେ ଜାପାନ୍ ଓ କର୍ମରତ ପାହାଡତଳି ଆଦିବାସୀମାନଙ୍କ ଜୀବନଚର୍ଯ୍ୟା ସଂପର୍କରେ ବର୍ଣ୍ଣନା କରି ସମାଜର ସଂଘର୍ଷମୟଜୀବନଯାପନ କରୁଥିବା ମଣିଷମାନଙ୍କ ସଂପର୍କରେ ବାସ୍ତବବାଦୀ ସାହିତ୍ୟ ସୃଷ୍ଟିହେବା ଦରକାର । ଛତ୍ରପୁର ବାର୍ ଆସୋସିଏସନ୍ ସଭାପତି ଆଡ୍ଭୋକେଟ୍ ଗୋକୁଳି ପଣ୍ଡା, ଓଡିଶା ମହିଳା କମିସନ୍ ପୂର୍ବତନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, କୃଷକ ଲକ୍ଷ୍ମଣ ଦାସ, ବିଣାପାଣୀ ମହାନ୍ତି, ପିୟୁଷ ଖୁଣ୍ଟିଆ, ମଧୁସୁଦନ ମହାପାତ୍ର, ମିର୍ଜା ସନୁଆର୍ ବେଗ୍, ସୁନାକର ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
ଉଦ୍ଯାପନୀରେ ମାୟାଧରନାୟକ କହିଲେ – ସାରାଭାରତରେ ନିଆରାଢଙ୍ଗରେ ଓଡିଶାରସାହିତ୍ୟକାରମାନଙ୍କ ମହାମିଳନ ହେଲା । ଏଥର ଆମେସବୁ ନୂଆଢଙ୍ଗରେ ଜୀବନର ଜୟଗାନ ଗାଇବା । ଜଣେ ଦାର୍ଶନିକ କହିଥିଲେ – ଗୋଟିଏ ଜାତିକୁ ଯଦି ମାରିବାକୁ ଚାହୁଁଛ – କୌଶଳକ୍ରମେ ତା’ର ଭାଷାସାହିତ୍ୟକୁ କବରଦିଅ । ଆମେ କିନ୍ତୁ ସେହି କବରଫାଡି ନୂତନ ସୂର୍ଯ୍ୟୋଦୟ ଦେଖିବା । ଆମ ଭାଷା-ସାହିତ୍ୟ-କଳା-ସଂସ୍କୃତିକୁ ଦେଶବିଦେଶରେ ମହାନ୍ କରିବା । ଦଣ୍ଡପାଣି ମହାପାତ୍ର ଆସନ୍ତା ୩ବର୍ଷ ପାଇଁ ମହାସଭାର ମଙ୍ଗୁଆଳବୃନ୍ଦ ପ୍ରସ୍ତାବରେ ସଭାପତି ମାୟାଧର ନାୟକ, ଉପସଭାପତିଗଣ ମନୋରଞ୍ଜନ ମହାନ୍ତି, ଡକ୍ଟର ବାସନ୍ତୀ ମହାନ୍ତି, ଡକ୍ଟର ଗୌରାଙ୍ଗ ଚରଣ ରାଉତ, ବିପ୍ଲବୀକବି ପ୍ରଶାନ୍ତ ମିଶ୍ର, ଅଧ୍ୟାପକ ବନବିହାରୀ ଦାଶ, ପ୍ରଫେସର ସୁକାନ୍ତ ରାଉତ, ଲୋପାମୁଦ୍ରା ମହାନ୍ତି, କଲ୍ୟାଣୀ ପାଢୀ, କୃଷକଲକ୍ଷ୍ମଣ ଦାସ, ପ୍ରସନ୍ନ କୁମାର ମଙ୍ଗରାଜ, ମହସଚିବ ଦଣ୍ଡପାଣି ମହାପାତ୍ର, କୋଷାଧ୍ୟକ୍ଷା ଇନ୍ଦିରା ଦାସ ଓ ୩୦ ଜିଲ୍ଲାର ୯୦ଜଣ କାର୍ଯ୍ୟକାରୀ କମିଟି ସଭ୍ୟ/ସଭ୍ୟା ପ୍ରସ୍ତାବ ଆଗତ କରିଥିଲେ । ସର୍ବସମ୍ମତିକ୍ରମେ ଭିତ୍ତିପତ୍ର ଓ ମଙ୍ଗୁଆଳଗଣ ପ୍ରସ୍ତାବ ବିପୁଳ କରତାଳିରେ ଗୃହିତ ଘୋଷଣା କରାଯାଇଥିଲା ।