28.1 C
Bhubaneswar
Sunday, February 16, 2025
Homeଓଡିଶାଏମଏସଏମଇ ପାଇଁ ଗରିବଙ୍କୁ ହତାଦର, ନ୍ୟାୟ ଦାବିରେ କଳିଙ୍ଗ ସେନାର ବିକ୍ଷୋଭ

ଏମଏସଏମଇ ପାଇଁ ଗରିବଙ୍କୁ ହତାଦର, ନ୍ୟାୟ ଦାବିରେ କଳିଙ୍ଗ ସେନାର ବିକ୍ଷୋଭ

ଭୁୁବନେଶ୍ୱର: ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ)କୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ଏଥରର କେନ୍ଦ୍ର ବଜେଟ୍ ରେ ଏଭଳି ଉଦ୍ୟୋଗମାନଙ୍କ ଲାଗି ଋଣ ଗ୍ୟାରେିକୁ ଦୁଇଗୁଣା କରାଯିବା ସହ ନିବେଶ ଓ କାରବାର ସୀମାକୁ ଦୁଇଗୁଣା ବୃଦ୍ଧି କରାଯାଇଛି। ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ଋଣ ଗ୍ୟାରେିକୁ ମଧ୍ୟ ଦୁଇଗୁଣା ଅର୍ଥାତ୍ ୧୦ କୋଟିରୁ ୨୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଓଡ଼ିଶା ସରକାର ମଧ୍ୟ ଏହି କ୍ଷେତ୍ରକୁ ଗୁରୁତ୍ୱ ଦେଉଥିବା ଦାବି କରୁଛନ୍ତି। ମାତ୍ର ସରକାରଙ୍କ ଦାବି, ପରିସଂଖ୍ୟାନ ଇତ୍ୟାଦିଠାରୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ଜରିଆରେ ଆତ୍ମନିର୍ଭର ହେବାକୁ ଇଚ୍ଛା ରଖିଥିବା ଗରିବ ଯୁବକମାନେ ବ୍ୟାଙ୍କ ଋଣରୁ ବଞ୍ଚିିତ ହେଉଛନ୍ତି ବୋଲି କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ କଳିଙ୍ଗ ସେନା ପକ୍ଷରୁ ଆଜି ଭୁବନେଶ୍ୱର ରେଳଷ୍ଟେସନରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ବାହାରି ପିଏମଜି ଛକରେ ପହଞ୍ଚିଥିଲା। କ୍ଷୁଦ୍ର ବ୍ୟବସାୟୀ, ନୂତନ ଉଦ୍ୟୋଗୀ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କୁ ଋଣ ନ ଦେବା ପ୍ରତିବାଦରେ ସେନାର ଶତାଧିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପିଏମଜି ଛକଠାରେ ଆୟୋଜିତ ପ୍ରତିବାଦ ସଭାରେ ସେନା ସୁପ୍ରିମୋ ହେମନ୍ତ ରଥ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତଥାପନ କରି ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ନିମନ୍ତେ ବ୍ୟାଙ୍କ ଋଣ ପ୍ରଦାନରେ ବ୍ୟାପକ ମନମାନିର ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ କୃଷି ପରେ ଏମଏସଏମଇ ହେଉଛି ଦ୍ୱିତୀୟ ବୃହତ୍ତମ କର୍ମ ନିଯୁକ୍ତି କ୍ଷେତ୍ର। ଆତ୍ମନିର୍ଭରଶୀଳତା ପାଇଁ ଏଠାରେ ବ୍ୟାପକ ସୁଯୋଗ ରହିଛି।

ଏସବୁ ଉଦ୍ୟୋଗ ପାଇଁ ବ୍ୟାଙ୍କମାନେ ବିନା ବନ୍ଧକରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାକୁ ରିଜର୍ଭ ବ୍ୟାଙ୍କର ସ୍ପଷ୍ଟ ଗାଇଡଲାଇନ୍ ରହିଛି। ମାତ୍ର ଦୁର୍ଭାଗ୍ୟର କଥା ହେଉଛି, ବ୍ୟାଙ୍କମାନେ ରିଜର୍ଭ ବ୍ୟାଙ୍କର ଗାଇଡଲାଇନକୁ ମାନୁନାହାନ୍ତି। ବିନା ବନ୍ଧକରେ ଋଣ ଦେବାକୁ ବ୍ୟାଙ୍କ ସିଧା ସିଧା ମନା କରିଦେଉଛନ୍ତି। ଖାଲି ସେତିକି ନୁହେଁ, ୩ ବର୍ଷର ଆଇଟି ରିଟର୍ଣ୍ଣ କାଗଜପତ୍ର ମଧ୍ୟ ମଗାଯାଉଛି।

ବାପାଙ୍କ ଋଣ ଟଙ୍କାରେ ପାଠ ପଢ଼ି ଆତ୍ମନିର୍ଭରଶୀଳ ଭାବେ ବଞ୍ଚିିବା ପାଇଁ ମନସ୍ଥ କରିଥିବା ଶିକ୍ଷିତ ଗରିବ ଯୁବକଟି ବ୍ୟାଙ୍କ ଋଣ ପାଇବା ପାଇଁ ବନ୍ଧକ କେଉଁଠୁ ଯୋଗାଡ଼ କରିବ? ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ମନସ୍ଥ କରିଥିବା ଗରିବ ଯୁବକଙ୍କ ପାଖରେ ୩ ବର୍ଷର ଆଇଟି ରିଟର୍ଣ୍ଣ କାଗଜପତ୍ର କେଉଁଠୁ ଆସିବ? ବ୍ୟାଙ୍କମାନେ ଏ ସମ୍ପର୍କରେ କେବେ ଚିନ୍ତା କରିଛନ୍ତି କି? ସରକାରଙ୍କ ଏମଏସଏମଇ ଯୋଜନା ତାହେଲେ କାହା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଶ୍ନ କରିଥିଲେ କଳିଙ୍ଗ ସେନା ସୁପ୍ରିମୋ।

ଶ୍ରୀ ରଥ ଆହୁରି କହିଥିଲେ ଯେ ବଡ଼ ବଡ଼ ପୁଞ୍ଜିପତିଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରାଯାଉଥିବା ବେଳେ ଓଡ଼ିଶାର ଗରିବ ଶିକ୍ଷିତ ଯୁବକ/ଯୁବତୀମାନଙ୍କୁ ନୂତନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ବ୍ୟାଙ୍କମାନେ ପ୍ରୋତ୍ସାହନ ଓ ସହଯୋଗ କରୁନାହାନ୍ତି। ବିନା ବନ୍ଧକରେ ୧୦ ଲକ୍ଷ ଟଙ୍କା ଋଣ ବି ଦେଉନାହାନ୍ତି। ଯାହା କି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏ ଦିଗରେ ରାଜ୍ୟ ସରକାରଙ୍କ ଉଦାସୀନତା ଆହୁରି ଦୁଃଖଦାୟକ। ଋଣ ପ୍ରଦାନରେ ବ୍ୟାଙ୍କମାନଙ୍କର ମନମାନି ଏବଂ ବାଛ ବିଚାରକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଥିଲେ।

ଋଣ ପାଇଁ ଆବେଦନ କରିଥିବା ନୂତନ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କ ଲାଗି ବ୍ୟାଙ୍କ ପ୍ରତିବନ୍ଧକ ହଟାଇ ରିଜର୍ଭ ବ୍ୟାଙ୍କ ଗାଇଡଲାଇନ ଆଧାରରେ ତୁରନ୍ତ ଋଣ ପ୍ରଦାନ କରିବାକୁ ଶ୍ରୀ ରଥ ଦାବି କରିଥିଲେ। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଶ୍ରୀ ରଥ ଚେତାବନୀ ଦେଇଛନ୍ତି।
କଳିଙ୍ଗ ସେନା ସାଧାରଣ ସମ୍ପାଦକ ଇଂ ମନୋଜ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ସେନା ସାଧାରଣ ସମ୍ପାଦକ ହିମାଂଶୁ ନାୟକଙ୍କ ସହିତ ଅଶୋକ ସାହୁ, ମୋନାଲିସା ବିଶ୍ୱାଳ, ମଧୁସୂଦନ ସାହୁ, ସୁଧାକର ବେହେରା, ରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking