30.2 C
Bhubaneswar
Friday, June 19, 2026
Homeଓଡିଶାଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ରାଜ୍ୟ ସରକାରଙ୍କ ନୂତନ ଏସ୍‌ଓପି ଜାରି

ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ରାଜ୍ୟ ସରକାରଙ୍କ ନୂତନ ଏସ୍‌ଓପି ଜାରି

ଭୁବନେଶ୍ୱର: ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ଵିତ କରିବା ଉଦ୍ଦେଶ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ଏକ ମାନକ କାର୍ଯ୍ୟପ୍ରଣାଳୀ (Standard Operating Procedure – SOP) ଜାରି କରିଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଆଇନ, ୨୦୨୩, ରିଅଲ୍ ଇଷ୍ଟେଟ୍ (ନିୟନ୍ତ୍ରଣ ଓ ବିକାଶ) ଆଇନ, ୨୦୧୬ ଏବଂ ପଞ୍ଜୀକରଣ ଆଇନ, ୧୯୦୮ର ବିଭିନ୍ନ ବ୍ୟାଖ୍ୟା କାରଣରୁ ସୃଷ୍ଟ ହେଉଥିବା ଅସ୍ପଷ୍ଟତା ଦୂର କରିବା ସହ ରାଜ୍ୟବ୍ୟାପୀ ଏକ ସମାନ ପ୍ରକ୍ରିୟା ଅନୁସରଣ ସୁନିଶ୍ଚିତ କରିବା ପାଇଁ ଏହି ଏସ୍‌ଓପି ପ୍ରଣୟନ କରାଯାଇଛି। ନୂତନ ଏସ୍‌ଓପି ଅନୁଯାୟୀ ଆପାର୍ଟମେଣ୍ଟ୍ ସମ୍ବନ୍ଧୀୟ ପଞ୍ଜୀକରଣକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି— ପ୍ରି-ରେରା (Pre-RERA) ଆପାର୍ଟମେଣ୍ଟର ପୁନଃ ବିକ୍ରୟ, ପ୍ରି-ରେରା ପ୍ରକଳ୍ପରେ ବିକ୍ରୟ ହୋଇନଥିବା ଫ୍ଲାଟ୍‌ର ପ୍ରଥମ ବିକ୍ରୟ ଏବଂ ପୋଷ୍ଟ-ରେରା (Post-RERA) ଆପାର୍ଟମେଣ୍ଟ୍। ପ୍ରତ୍ୟେକ ବିଭାଗ ପାଇଁ ଆବଶ୍ୟକୀୟ ଦଲିଲପତ୍ର, ଯାଞ୍ଚ ପ୍ରକ୍ରିୟା ଏବଂ ପଞ୍ଜୀକରଣର ସର୍ତ୍ତାବଳୀ ସ୍ପଷ୍ଟ ଭାବେ ଏହି ନୂତନ ଏସଓପିରେ ନିର୍ଦ୍ଧାରଣ କରାଯାଇଛି।

ପୋଷ୍ଟ-ରେରା ଆପାର୍ଟମେଣ୍ଟ କ୍ଷେତ୍ରରେ ପଞ୍ଜୀକରଣ ପୂର୍ବରୁ ଓଡ଼ିଶା ରେରା ପଞ୍ଜୀକରଣ (ଯେଉଁଠି ପ୍ରଯୁଜ୍ୟ), ଅକ୍ୟୁପାନ୍ସି ସାର୍ଟିଫିକେଟ୍‌, ଆଲଟିମାନଙ୍କ ସଂଘର ପଞ୍ଜୀକରଣ, ଧାରା-୯ ଅନୁଯାୟୀ ଘୋଷଣାପତ୍ରର ପଞ୍ଜୀକରଣ ଏବଂ ସାଧାରଣ କ୍ଷେତ୍ର ଓ ସୁବିଧାର ହସ୍ତାନ୍ତର ସମ୍ବନ୍ଧୀୟ ବ୍ୟବସ୍ଥା ପାଳନ ବାଧ୍ୟତାମୂଳକ କରାଯାଇଛି। ଏଥିସହ ସମ୍ପୃକ୍ତ କ୍ଷମତାସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ହିଁ ପଞ୍ଜୀକରଣ ସମ୍ଭବ ହେବ। ଏସ୍‌ଓପିରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳ ଏବଂ ରାଜସ୍ୱ ଉପଖଣ୍ଡ ଅଞ୍ଚଳ ପାଇଁ ପୃଥକ୍ ପୃଥକ୍ କ୍ଷମତାସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଭୂମିକା ଓ ଦାୟିତ୍ୱ ମଧ୍ୟ ସ୍ପଷ୍ଟ କରାଯାଇଛି। ମହିଳାଙ୍କ ନାମରେ ହେଉଥିବା ଆପାର୍ଟମେଣ୍ଟ ହସ୍ତାନ୍ତର କ୍ଷେତ୍ରରେ ପୂର୍ବରୁ ଚାଲୁଥିବା ଏକ ପ୍ରତିଶତ ଷ୍ଟାମ୍ପ ଶୁଳ୍କ ରିହାତି ସୁବିଧା ଜାରି ରହିବ। ସେହିପରି ଆଲଟିମାନଙ୍କ ସଂଘ ସପକ୍ଷରେ ସାଧାରଣ କ୍ଷେତ୍ର ଓ ସୁବିଧା ହସ୍ତାନ୍ତର ଦଲିଲ ପାଇଁ ନାମମାତ୍ର ଷ୍ଟାମ୍ପ ଶୁଳ୍କ ଓ ପଞ୍ଜୀକରଣ ଫି ନିର୍ଦ୍ଧାରଣ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଫଳରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟା ଅଧିକ ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ନାଗରିକ-କୈନ୍ଦ୍ରିକ ହେବା ସହ ଆପାର୍ଟମେଣ୍ଟ୍ କ୍ରେତାଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ସୁଶାସନ ସୁନିଶ୍ଚିତ ହେବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking