ଭୁବନେଶ୍ୱର: ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାକୁ ସମର୍ଥନ କରିଥିଲେ ବିରୋଧୀ ଦଳ । ଗୃହରେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଶୋକ ପ୍ରସ୍ତାବ ପରେ ଗୃହକୁ ମୁଲତବି କରାଯାଇଥିଲା । ତେବେ ଶୂନ୍ୟକାଳ ମଧ୍ୟରେ ଗୃହରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚାଷ ଜମି ଜଳ ସେଚନକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ, ଆଠଗଡ ନିର୍ବାଚନ ମଣ୍ଡଳୀରେ ଚାଷ ଜମିକୁ ଜଳ ସେଚନ ପାଇଁ କେତେ କ୍ଷୁଦ୍ର ଜଳସେଚନ ଦ୍ୱାରା ଚେକ ଡ୍ୟାମ, କେନାଲ ଓ ବନ୍ଧ ଏବଂ ଉଠା ଜଳସେଚନ ଦ୍ୱାରା ବିଦ୍ୟୁତ ସଂଯୋଗ ଓ ପାଇପ ସଂଯୋଗର ଆବଶ୍ୟକତା ରହିଛି । ସେଗୁଡିକ କେବେ ସୁଦ୍ଦା କାର୍ଯ୍ୟକ୍ଷମ ହେବ, ତା ପାଇଁ କଣ ପଦକ୍ଷେପ ନିଆଯାଇଛି ।
ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖି କହିଛନ୍ତି , କ୍ଷୁଦ୍ର ଜଳସେଚନ ସଂସ୍ଥା ଅଧୀନରେ ଆଠଗଡ ନିର୍ବାଚନ ମଣ୍ଡଳୀରେ ୪୧ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଛି । ସେଥିରୁ ୨୯ଟି ପ୍ରକଳ୍ପରେ ୧୨୨୨.୬୯୧ କିମି ଦୈର୍ଘ୍ୟର କେନାଲ ଅଛି । ଏହି କେନାଲ ଦ୍ୱାରା ଜଳସେଚନ ସୁବିଦା ପ୍ରଦାନ କରାଯାଉଛି । ସମସ୍ତ ୪୧ଟି ପ୍ରକଳ୍ପ ଦ୍ୱାରା ସମୁଦାୟ ୭୫୨୨୫ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ପ୍ରଦାନ କରାଯାଉଛି । ୧୯୪ଟି ଆଡିବନ୍ଧ ଆଠଗଡ ନିର୍ବାଚନ ମଣ୍ଡଳୀରେ ଅଛି ଏହା ଦ୍ୱାରା ୨୨୪୧ ହେକ୍ଟର ଚାଷ ଜମିକୁ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରାଯାଉଛି । ସେହିପରି ଉଠା ଜଳସେଚନ ନିଗମ ଦ୍ୱାରା ୬ଟି ନୂତନ ଡିପ ବୋରୱେଲ ଓ ୭ଟି ଅଚଳ ଗୋଷ୍ଠୀ ଉଠା ଜଳସେଚନ ପକଳ୍ପକୁ ସଚଳ କରିବା, ଏପରି ୧୩ଟି ପ୍ରକଳ୍ପରେ ମରାମତି ଆବଶ୍ୟକତା ନାହିଁ । ୬ଟି ପୁରୁଣା ସଚଳ ଉଠାଜଳସେଚନ ପ୍ରକଳ୍ପକୁ ଦୃଢୀକରଣ କାର୍ଯ୍ୟ ଯେପରିକି ଗୋଟିଏର ବିଦ୍ୟୁତ ସଂଯୋଗ, ୪ଟିର ପାଇପଲାଇନ କାର୍ଯ୍ୟ ଓ ଗୋଟିଏର ମରାମତି କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି ।










