34.1 C
Bhubaneswar
Saturday, April 27, 2024
Homeଓଡିଶାଉପାନ୍ତ ଅଞ୍ଚଳରେ ସରକାରୀ ସେବା ଅପହଞ୍ଚ; ୬ ଗ୍ରାମରୁ ହାଇସ୍କୁଲ୍ ବାରଣ୍ଡା ମାଡ଼ିନାହାନ୍ତି ପିଲା

ଉପାନ୍ତ ଅଞ୍ଚଳରେ ସରକାରୀ ସେବା ଅପହଞ୍ଚ; ୬ ଗ୍ରାମରୁ ହାଇସ୍କୁଲ୍ ବାରଣ୍ଡା ମାଡ଼ିନାହାନ୍ତି ପିଲା

କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଭାଲୁଗୁଡ଼ା, ଲିଡ୍ରାଙ୍ଗ, ଭଣ୍ଡରଶାଳା, ପାଇରମାଲା, ଗୋଲମପାଙ୍ଗା ଓ ପୂଦ୍ଡ୍ରଙ୍ଗ ଆଦି ୬ଟି କୁଟିଆକନ୍ଧ ଆଦିମ ଜନଜାତି ଗ୍ରାମରେ ଆଜି ବି ସରକାରୀ ସେବା ଅପହଞ୍ଚ ହୋଇରହିଥିବା ଅଭିଯୋଗ ହୋଇଛି । ଏହି ୬ ଗ୍ରାମ ପାଇଁ ୩ଟି ପ୍ରାଥମିକ ବିଦ୍ୟାଳୟ ରହିଛି । କିନ୍ତୁ ସବୁ ଅବହେଳିତ ଓ ଅଚଳ ଅବସ୍ଥାରେ ପଡ଼ିରହିଛି । ଭାଲୁଗୁଡ଼ା ବିଦ୍ୟାଳୟରେ ୨ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଅନ୍ୟପକ୍ଷରେ ନିୟମିତ ବିଦ୍ୟାଳୟ ଖୋଲୁନାହିଁ । ଯାହା ଫଳରେ ଆଦିବାସୀ କୋମଳମତି ଛାତ୍ରଛାତ୍ରୀ ମୌଳିକ ଶିକ୍ଷାଦାନରୁ ବଞ୍ଚିତ ହୋଇ ରହିଛନ୍ତି । ଲିଡ୍ରାଙ୍ଗ ଓ ଗୋଲମପାଙ୍ଗା ବିଦ୍ୟାଳୟ ଅବସ୍ଥା ମଧ୍ୟ ସମାନ । ଗୋଲମପାଙ୍ଗା ବିଦ୍ୟାଳୟ ପାଇଁ ୩ ଶିକ୍ଷକ ଅଛନ୍ତି, କିନ୍ତୁ ବିଦ୍ୟାଳୟ ଗୃହନାହିଁ । ଏହାର ଆଳ ଦେଖାଇ ଶିକ୍ଷକମାନେ ନିୟମିତ ଶିକ୍ଷାଦାନ ପ୍ରତି ମନ ବଳାଉନଥିବା ଜଣାପଡ଼ିଛି । ଲିଡ୍ରାଙ୍ଗ ବିଦ୍ୟାଳୟରେ ଗୋଟିଏ ମାତ୍ର ଶ୍ରେଣୀଗୃହରେ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବସି ପାଠପଢ଼ିବା ଓ ସେଠାରେ ହିଁ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟର ଆଲମିରା ଆସବାବପତ୍ର ରହିଛି । ଏସବୁ ଅବ୍ୟବସ୍ଥା ଭିତରେ ବିଦ୍ୟାଳୟରେ ଶୃଙ୍ଖଳିତ ଶିକ୍ଷାଦାନ ସମ୍ଭବପର ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି ଅବ୍ୟବସ୍ଥା ଯଙ୍ଗୁ ଆଯକୁ ୪୦ବର୍ଷ ବିତିଯାଇଥିଲେ ମଧ୍ୟ ଏହି ୬ ଗ୍ରାମରୁ ଗୋଟାଏ ହେଲେ ଛାତ୍ରଛାତ୍ରୀ ହାଇସ୍କୁଲ ବାରଣ୍ଡା ମାଡ଼ି ପାରିନଥିବା ଅଭିଯୋଗ କରିଛନ୍ତି । ବର୍ଷ ବର୍ଷ ଧରି ଏହି ବିଦ୍ୟାଳୟଗୁଡ଼ିକ ଅବହେଳିତ ଅବସ୍ଥାରେ ଥିବାବେଳେ ଶିକ୍ଷକମାନେ ଦରମା ପାଇଁ ପାଇ ଅଧିକାରୀମାନଙ୍କ ଦୃଷ୍ଟି ଆଡୁଆଳରେ ରହି ଆରାମ କରୁଥିବା ଅଭିଯୋଗ ହୋଇଛି । ଅପରପକ୍ଷେ ଏହି ଗ୍ରାମଗୁଡ଼ାକୁ କୌଣସି ସ୍ୱାସ୍ଥ୍ୟ ସହାୟିକା କିମ୍ବା ଡାକ୍ତରୀଦଳର ପାଦ ପଡ଼ିନଥିବା ଅଭିଯୋଗ ହୋଇଛି । କେବେ ମଧ୍ୟ ମେଡିକାଲ୍ ଯାଇ ପ୍ରସବ ହେବା ଓ ଶିଶୁ କିମ୍ବା ଗର୍ଭବତୀ ମା’ ଙ୍କର ଟୀକାକରଣ କେବେ ମଧ୍ୟ ହୋଇନଥିବା ଗ୍ରାମବାସୀ କହିଛନ୍ତି । ତିନୋଟି ଅଙ୍ଗନବାଡ଼ି କେନ୍ଦ୍ର ନାମକୁ ମାତ୍ର ରହିଛି । ଅଙ୍ଗନବାଡ଼ି ଦିଦିଙ୍କର ୩ ମାସ ୪ ମାସକୁ ଥରେ ଅଧେ ଦେଖାମିଳୁଥିବା କହିଛନ୍ତି ସରଳ ଗ୍ରାମବାସୀ । ପ୍ରସୂତି ଓ ଗର୍ଭବତୀ ମହିଳାଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁନାହିଁ । ଗର୍ଭବତୀ ମହିଳାମାନେ ଉପଯୁକ୍ତ ରାସ୍ତା ଖଣ୍ଡିଏ ନଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ର ଆସି ନ ପାରି ଘରେ ହିଁ ପ୍ରାଚୀନ ଓ ଗାଉଁଲି ପଦ୍ଧତିରେ ଭାଗ୍ୟକୁ ଆଦରି ପ୍ରସବ କରାଇଥାନ୍ତି । ରୋଗବ୍ୟାଧି ହେଲେ ମଧ୍ୟ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ସେବା ପାଇ ନ ପାରି ଅପହଞ୍ଚ ସ୍ୱାସ୍ଥ୍ୟସେବା ଯୋଗୁଁ ଯନ୍ତ୍ରଣା ଭୋଗନ୍ତି । ଏକାଧିକ ଶିଶୁ ରକ୍ତହୀନତା, କାଛୁକୁଣ୍ଡିଆ ଓ ଅପପୃଷ୍ଟି ରୋଗରେ ଆଜି ବି ଆକ୍ରାନ୍ତ । ଅନ୍ୟ ସରକାରୀ ସେବା କଥା ନକହିବା ଭଲ । ତେବେ ବିଡ଼ମ୍ବନାର ବିଷୟ ଯେ ଅଙ୍ଗନବାଡ଼ି ଓ ଶିକ୍ଷା ବିଭାଗ ସବୁ ତୁମୁଡିବନ୍ଧ ବ୍ଲକ ଅଧୀନରେ ଥିବାବେଳେ ସ୍ୱାସ୍ଥ୍ୟ ଓ ଅନ୍ୟ ସମସ୍ତ ବିକାଶ ଦାୟିତ୍ୱ କୋଟଗଡ଼ ବ୍ଲକ୍ ଅଧୀନରେ ରହିଛି । ଏଠି ପ୍ରଶ୍ନ ଉଠୁଛି ଏହି ଗ୍ରାମବାସୀମାନଙ୍କ ଦୁଃଖ ବୁଝିବ କିଏ? ବିଭାଗୀୟ ସରକାରୀ ଅଧିକାରୀ କିନ୍ତୁ ଏହିଭଳି ଅବିକଶିତ ଅଞ୍ଚଳ ପ୍ରତି ଦୃଷ୍ଟିପାତ ନକରି କେବଳ କାଗଜକଲମରେ ବିକାଶର ଚିତ୍ର ଦେଖାଇ ଉପରିସ୍ଥ ଅଧିକାରୀଙ୍କୁ ତଥ୍ୟ ପ୍ରେରଣ କରିଥାନ୍ତି । ତେବେ ଏହିଭଳି ଅବହେଳିତ ଓ ଅବିକଶିତ ଅଞ୍ଚଳ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ନିରୀହ ଜନଜାତି ଗ୍ରାମବାସୀମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking