32.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶରେଡ୍ ସି’ରେ ପୁଣିଥରେ ଉତ୍ପାତ କଲେ ହୁତି ବିଦ୍ରୋହୀ; ଭାରତ ଆସୁଥିବା ତୈଳ ଟ୍ୟାଙ୍କର ଉପରେ...

ରେଡ୍ ସି’ରେ ପୁଣିଥରେ ଉତ୍ପାତ କଲେ ହୁତି ବିଦ୍ରୋହୀ; ଭାରତ ଆସୁଥିବା ତୈଳ ଟ୍ୟାଙ୍କର ଉପରେ ମିସାଇଲ୍ ମାଡ଼

ନୂଆଦିଲ୍ଲୀ : ପୁଣି ଥରେ ଲୋହିତ ସାଗର (ରେଡ୍ ସି)ରେ ହୁତି ବିଦ୍ରୋହୀଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଲୋହିତ ସାଗର ଦେଇ ଭାରତ ଅଭିମୁଖେ ଆସୁଥିବା ଏକ ତୈଳ ଟ୍ୟାଙ୍କର ଉପରେ ୟେମେନ୍‌ର ହୁତି ବିଦ୍ରୋହୀ ସଂଗଠନ ମିସାଇଲ୍ ଆଟାକ୍ କରିଛି । ଆକ୍ରମଣ ସମ୍ପର୍କରେ ଶନିବାର ନିଜକୁ ଦାୟୀ କରିବା ପରେ ଏହି ମିସାଇଲ୍ ଆଟାକ୍ ପଛରେ ହୁତି ବିଦ୍ରୋହୀ ଗୋଷ୍ଠୀଙ୍କ ହାତ ଥିବା ସ୍ପଷ୍ଟ ହୋଇଛି ।
ରିପୋର୍ଟ ଅନୁସାରେ ହୁତି ବିଦ୍ରୋହୀଙ୍କ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଆଣ୍ଡ୍ରୋମିଡା ଷ୍ଟାର ନାମକ ଏହି ତୈଳ ଟ୍ୟାଙ୍କର ବୋଝେଇ ଜାହାଜରେ ପାନାମାର ପତାକା ଲାଗିଥିବାବେଳେ ତାହା ରୁଷରୁ ଭାରତ ଅଭିମୁଖେ ଆସୁଥିଲା । ଆକ୍ରମଣ ପରେ ଜାହାଜଟି କ୍ଷତିଗ୍ରସ୍ତ ହେବା ସହ ସେଥିରେ ନିଆଁ ଲାଗିଯାଇଛି । ଦୂରରୁ ଜାହାଜଟିରୁ ଧୂଆଁ ବାହାରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଆକ୍ରମଣ ସତ୍ତ୍ୱେ ଜାହାଜର କ୍ର‌୍ୟୁ ମେମ୍ବରଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଜାହାଜର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କ ଜାହାଜ ଉପରେ ୩ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି । ତେବେ ଠିକ୍ ସମୟରେ ନିଆଁକୁ ଆୟତ୍ତ କରାଯାଇ ବଡ଼ ଧରଣର କ୍ଷୟକ୍ଷତିକୁ ଏଡ଼ାଇ ଦିଆଯାଇପାରିଛି । ପ୍ରକାଶ, ରୁଷ୍‌ର ପ୍ରାଇମୋରସ୍କରୁ ଭାଡିନାର, ଭାରତ ଅଭିମୁଖେ ଏହି ଜାହାଜଟି ଆସୁଥିଲା ।
ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ଗତ ନଭେମ୍ବରରୁ ଇରାନ ସମର୍ôଥତ ହୁତି ଆତଙ୍କବାଦୀମାନେ ଲୋହିତ ସାଗର, ବାବ ଅଲ-ମାଣ୍ଡାବ ଷ୍ଟ୍ରାଇଟ୍ ଏବଂ ଆଡେନ ଗଲ୍ଫ ଅଞ୍ଚଳରେ ନିୟମିତ ଭାବେ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଆସୁଛନ୍ତି । ହମାସ୍ ଉପରେ ଆକ୍ରମଣ ଜାରି ରଖିଥିବା ଇସ୍ରାଏଲ୍ ବିରୋଧରେ ଏମାନେ ଏପରି କରୁଛନ୍ତି ।
ହୁତି ସଂଗଠନ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୋକ୍ତି ଅନୁସାରେ ଲୋହିତ ସାଗର ଦେଇ ଯାଉଥିବା ଏକ ତୈଳ ଟ୍ୟାଙ୍କରକୁ ବାଲିଷ୍ଟିକ୍ ମିସାଇଲ୍ ଦ୍ୱାରା ଟାର୍ଗେଟ୍ କରାଯାଇଛି । ଗାଜା ଯୁଦ୍ଧରେ ଇସ୍ରାଏଲ ସହିତ ଯୁଦ୍ଧ କରୁଥିବା ପାଲେଷ୍ଟାଇନ୍ ସମର୍ଥନରେ ସେମାନେ ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଜାରି ରଖିଛନ୍ତି । ହୁତି ମୁଖପାତ୍ର ୟାହିୟା ସରିୟା କହିଛନ୍ତି ଯେ, ଜାହାଜରେ ପାନାମା ଫ୍ଲାଗ୍ ଲାଗିଥିଲେ ମଧ୍ୟ ଏହା ରୁଷ୍ ସହ ଜଡିତ ବ୍ୟବସାୟିକ କାରବାରରେ ଜଡିତ ରହିଥିବା ଜଣାପଡିବା ପରେ ଆକ୍ରମଣ କରାଯାଇଛି । ପ୍ରକାଶ, ଦୀର୍ଘ ଦିନ ପରେ ପୁଣି ଥରେ ଲୋହିତ ସାଗରରେ ଇରାନ୍ ସମର୍ôଥତ ୟେମେନ୍‌ର ଏହି ହୁତି ବିଦ୍ରୋହୀ ଗୋଷ୍ଠୀ ନିଜର ଆତଙ୍କ ଦେଖାଇବା ଆରମ୍ଭ କରିଛନ୍ତି । ଆମେରିକାର ତାଗିଦ୍ ପରେ ବେଶ୍ କିଛି ଦିନ ଧରି ଶାନ୍ତ ରହିଥିବା ହୁତିବିଦ୍ରୋହୀଙ୍କ ଆକ୍ରମଣ ବହୁ ମାତ୍ରାରେ ହ୍ରାସ ପାଇଥିଲା । କିନ୍ତୁ ଏବେ ସେମାନେ ପୁଣି ସକ୍ରିୟ ହୋଇଥିବାର ଆଭାସ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking