33.1 C
Bhubaneswar
Friday, April 26, 2024
Homeଓଡିଶାହୀରାକୁଦ ଜଳଭଣ୍ଡାର ଜଳସ୍ତର ଅଧିକ : କମିଲା ଅତିଥି ପକ୍ଷୀଙ୍କ ସଂଖ୍ୟା

ହୀରାକୁଦ ଜଳଭଣ୍ଡାର ଜଳସ୍ତର ଅଧିକ : କମିଲା ଅତିଥି ପକ୍ଷୀଙ୍କ ସଂଖ୍ୟା

ସମ୍ବଲପୁର : ହୀରାକୁଦ ଡ୍ୟାମ ଜଳଭଣ୍ଡାରକୁ ଏ ବର୍ଷ ଅତିଥି ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି । ପୂର୍ବବର୍ଷ ତୁଳନାରେ ଏବର୍ଷ ପ୍ରାୟ ୪୮ ହଜାର କମ୍ ଅତିଥି ପକ୍ଷୀ ଆସିଥିବା ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ହୋଇଥିବା ପକ୍ଷୀ ଗଣନାରୁ ଜଣାପଡ଼ିଛି । ହୀରାକୁଦ ଡ୍ୟାମ ଜଳଭଣ୍ଡାରର ସୁବିସ୍ତୁତ ଜଳରାଶି ଏବଂ ପାର୍ଶ୍ୱବର୍ତ୍ତୀ ଜଙ୍ଗଲର ପ୍ରାୟ ୮୦୦ବର୍ଗ କିଲୋମିଟର ପରିମିତ ଅଞ୍ଚଳକୁ ଅକ୍ଟୋବର ମାସରୁ ଅତିଥି ପକ୍ଷୀଙ୍କ ଆଗମନ ହୋଇଥାଏ । ଉତ୍ତର ଭାରତ, ସୁଦୂର ହିମାଳୟ ଏପରିକି କାସ୍ପିଆନ୍ ସାଗର, ମଙ୍ଗୋଲିଆ, କେନ୍ଦ୍ର ଓ ଦକ୍ଷିଣ-ପୂର୍ବ ଏସିଆ, ବୈକାଲ ହ୍ରଦ ଅଞ୍ଚଳରୁ ପକ୍ଷୀମାନେ ଏଠାକୁ ଆସିଥାନ୍ତି । ଫେବୃୟାରୀ ମାସ ଶେଷ ବେଳକୁ ପକ୍ଷୀମାନେ ଏଠାରୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏବର୍ଷ ଶୀତରେ ଅନୁକୂଳ ପାଗ ସତ୍ତ୍ୱେ ଜଳଭଣ୍ଡାରକୁ କମ୍ ପକ୍ଷୀ ଆସିବା କାରଣ ଖୋଜୁଛନ୍ତି ପକ୍ଷୀ ବିଶାରଦ ଓ ବନ ବିଭାଗ କର୍ତ୍ତୃପକ୍ଷ । ଏଥର ଡ୍ୟାମରେ ଜଳସ୍ତର ଅଧିକ ଥିବାରୁ ଖାଦ୍ୟ ଅନ୍ୱେଷଣ ଅଞ୍ଚଳ ସଂକୁଚିତ ହେବା ଏବଂ ବିଚରଣ ପାଇଁ ସ୍ଥାନାଭାବ କାରଣରୁ ପକ୍ଷୀଙ୍କ ସଂଖ୍ୟା କମିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି ।
ହଜାର ହଜାର କିଲୋମିଟର ଆକାଶପଥରେ ଏଠାରେ ଏମାନେ ନଭେମ୍ବର ମାସରେ ହୀରାକୁଦକୁ ଆସିଥାଆନ୍ତି । ଶୀତ ଅପସରି ଯିବାପରେ ଫେବୃଆରୀ ଶେଷ ବେଳକୁ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ପକ୍ଷୀମାନେ ଦିନ ସାରା ଡ୍ୟାମ ଜଳଭଣ୍ଡାର ଏବଂ ପାୱାର ଚେନାଲରେ ଖାଦ୍ୟ ସଂଗ୍ରହ କରିବା ସହ କଳରବ କରନ୍ତି ଏବଂ ସନ୍ଧ୍ୟା ପରେ ଜଳଭଣ୍ଡାର ପାଶ୍ୱର୍ବର୍ତ୍ତୀ ଡେବ୍ରୀଗଡ଼ ଅଭୟାରଣ୍ୟ, ଜଳଭଣ୍ଡାର ମଝିରେ ଥିବା ପାହାଡ, କମ୍‌ଗାଁ, ବାରଖଣ୍ଡିଆ, ରେଙ୍ଗାଲି ଓ ଡାଇକ୍ ଅଞ୍ଚଳରେ ଅବସ୍ଥାନ କରିଥାନ୍ତି । ବନ ବିଭାଗର ଗଣନା ଅନୁଯାୟୀ ଏଥର ହୀରାକୁଦକୁ ୯୭ ହଜାର ୮୯୯ ସଂଖ୍ୟକ ଅତିଥି ପକ୍ଷୀ ଆସିଥିବାବେଳେ ଗତବର୍ଷ ଏମାନଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ୯୪୬ ଥିଲା । ସେହିପରି ୨୦୧୭ରେ ୭୬ ହଜାରରୁ ଅଧିକ ପକ୍ଷୀ ଆସିଥିବା ବେଳେ ୨୦୧୬ରେ ୧ ଲକ୍ଷ ୩୭ ହଜାରରୁ ଅଧିକ ପକ୍ଷୀ ଆସିଥିଲେ । ୨୦୧୫ମସିହାରେ ୬୦ ପ୍ରଜାତିର ୯୫୯୧୨ ସଂଖ୍ୟକ ପକ୍ଷୀ ଆସିଥିଲେ । ଏଠାକୁ ଆସୁଥିବା ଅତିଥି ପକ୍ଷୀଙ୍କ ମଧ୍ୟରେ ହୁଇସିଲିଂ ଡକ୍‌, କମନ୍ ପୋଚାର୍ଡ, ଟଫ୍‌୍‌ଟେଡ୍ ଡକ୍‌, ଗ୍ରେଟ୍ କ୍ରେଷ୍ଟେଡ୍ ଗ୍ରେଭ, କମନ୍ କୁଟ୍‌, ଲିଟିଲ କୋମରା, ବ୍ଲକ ହେଡେଡ ଗଲ, ରେଡ୍ କେଷ୍ଟ୍ରେଡ ଗ୍ରେଭ, ଡାଉନ ହେଡେଡ ଗଲ ଆଦି ପ୍ରଜାତି ରହିଥାନ୍ତି ।
ଅତିଥି ପକ୍ଷୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଏଥର ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର କର୍ମଚାରୀମାନେ ଡଙ୍ଗାରେ ଜଳଭଣ୍ଡାରରେ ପହରା ଦେବା ସହ ଡାଇକ ଓ ପାଶ୍ୱର୍ବର୍ତ୍ତୀ ଜଙ୍ଗଲମାନଙ୍କରେ ପକ୍ଷୀଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି । ସେଥିପାଇଁ ୬୦ଜଣ କର୍ମଚାରୀ ଡଙ୍ଗା ସହ ନିୟୋଜିତ ଥିବାବେଳେ ଗୋବିନ୍ଦପୁର, ବାରଖଣ୍ଡିଆ, ଚୈାରାଶିମାଲ, ଜିରୋ ପଏଣ୍ଟ, ମହୁଲତରା ପ୍ରଭୃତି ପୋଷ୍ଟରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking