34.1 C
Bhubaneswar
Thursday, April 25, 2024
Homeଓଡିଶାକୋଟିଆରେ ଆନ୍ଧ୍ର ଠିକାଦାରଙ୍କ ଦାଦାଗିରି : ଠିକାଦାରଙ୍କ ବିରୋଧରେ ଏତଲା ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କୋଟିଆରେ ଆନ୍ଧ୍ର ଠିକାଦାରଙ୍କ ଦାଦାଗିରି : ଠିକାଦାରଙ୍କ ବିରୋଧରେ ଏତଲା ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କୋରାପୁଟ : ଓଡ଼ିଶା-ଆନ୍ଧ୍ର ସୀମା ବିବାଦୀୟ କୋଟିଆ ଅଞ୍ଚଳରେ ଆନ୍ଧ୍ର ପୁନର୍ବାର ଦାଦାଗିରି ଆରମ୍ଭ କରିଥିବାବେଳେ ରାସ୍ତା କାମ କରୁଥିବା ଓଡ଼ିଶା ଠିକାଦାରଙ୍କ ଉପରେ ଆନ୍ଧ୍ର ଠିକାଦାର ନାଲିଆକ୍ଷୀ ଦେଖାଇଛନ୍ତି । ଓଡ଼ିଶା ଠିକାଦାରଙ୍କ ଉପରେ ଜୁଲମ୍ କରୁଥିବା ଆନ୍ଧ୍ର ଠିକାଦାର ବିରୋଧରେ ମାମଲା ରୁଜୁ କରିବାକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ନିର୍ଦ୍ଦେଶ ଦେଇଥିବାବେଳେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ପଟ୍ଟାଙ୍ଗୀ ବ୍ଲକ କୋଟିଆ ଗ୍ରାମ ପଞ୍ଚାୟତର କେତେକ ଗ୍ରାମକୁ ନେଇ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ବିବାଦ ଲାଗିରହିଛି । କୋଟିଆରେ ଉଭୟ ରାଜ୍ୟ ପକ୍ଷରୁ ବିକାଶମୂଳକ କାର୍ଯ୍ୟ ଚାଲିଛି । ଓଡ଼ିଶା ପକ୍ଷରୁ କୋଟିଆରୁ ମାଡ଼କାର ପର୍ଯ୍ୟନ୍ତ ଚାଲୁଥିବା ରାସ୍ତାରେ ଆନ୍ଧ୍ରର ଜୈନିକ ଠିକାଦାର ବାଧା ଦେଉଥିବା ଓଡ଼ିଶା ଠିକାଦାର ବିଷ୍ଣୁଚରଣ ବିଷୋୟୀ ସୋମବାର ଜିଲ୍ଲାପାଳ,ଏସ୍‌ପି ଓ ସୁନାବେଡ଼ା ଗ୍ରାମ୍ୟ ଉନ୍ନୟନ ଡିଭିଜନ ନିର୍ବାହୀଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ।
ରାସ୍ତା କାମ ନିମନ୍ତେ ଆବଶ୍ୟକୀୟ ବିଭିନ୍ନ ନିର୍ମାଣ ସାମଗ୍ରୀ ଓ ଗାଡ଼ି ଆନ୍ଧ୍ର ପଟେ ରଖାଯାଇଥିବାବେଳେ ସେଠାରେ କାର୍ଯ୍ୟ କରୁଥିବା ଆନ୍ଧ୍ରର ଠିକାଦାର ଉକ୍ତ ରାସ୍ତା ବନ୍ଦ କରିଦେଇଥିବାରୁ ୨ ମାସ ହେଲା କାର୍ଯ୍ୟ ବନ୍ଦ ରହିଥିବା ଶ୍ରୀ ବିଷୋୟୀ ସୂଚନା ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେଲେ କାମ କରିବା ସମ୍ଭବପର ନୁହେଁ ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଓଡ଼ିଶା ଠିକାଦାରଙ୍କ କାମ ବନ୍ଦ କରି ହଇରାଣ କରୁଥିବା ଆନ୍ଧ୍ର ଠିକାଦାରଙ୍କ ବିରୋଧରେ ଏତଲା ଦେବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । କୋଟିଆର ବିକାଶ ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ଏଭଳି ବିରୋଧକୁ ବରଦାସ୍ତ କରାଯିବ ନାହିଁ ଓ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଏସ୍‌ପିଙ୍କୁ କହିଥିବା ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking