ନୂଆଦିଲ୍ଲୀ : ପଶ୍ଚିମବଙ୍ଗର କୋଲକାତାସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନବନ୍ଦରରେ ବୁଧବାର ସକାଳେ ହାଇଜାକ୍ ଧମକକୁ ନେଇ ଆତଙ୍କ ଖେଳିଯାଇଛି। ମୁମ୍ବାଇ ଅଭିମୁଖେ ଯାତ୍ରା କରିବାକୁ ଥିବା ଏକ ଏୟାର ଇଣ୍ଡିଆ ବିମାନକୁ ହାଇଜାକ୍ କରିବାର ଧମକ ମିଳିବା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।ସୂଚନା ଅନୁଯାୟୀ, ବିମାନର ଶୌଚାଳୟ ଭିତରେ ଥିବା ଦର୍ପଣରେ ହାଇଜାକ୍ ସମ୍ପର୍କିତ ଏକ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଥିବା ଦେଖିବାକୁ ମିଳିଥିଲା। ବିମାନଟି ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଏହି ବାର୍ତ୍ତା ନଜରକୁ ଆସିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ବିମାନର ପାଇଲଟ୍ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି)କୁ ସୂଚନା ଦେଇଥିଲେ।
ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନଟିକୁ ମୁଖ୍ୟ ଟର୍ମିନାଲ୍ରୁ ହଟାଇ ଏକ ଆଇସୋଲେସନ୍ ବେ’କୁ ନିଆଯାଇଥିଲା। ସେଠାରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ଏବଂ ବିମାନବନ୍ଦରର ସ୍ୱତନ୍ତ୍ର ସୁରକ୍ଷା କର୍ମଚାରୀମାନେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ।ଧମକପୂର୍ଣ୍ଣ ବାର୍ତ୍ତା ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ବିମାନର ପ୍ରତ୍ୟେକ ଅଂଶକୁ ଯାଞ୍ଚ କରାଯାଉଛି। କୌଣସି ସନ୍ଦିଗ୍ଧ ସାମଗ୍ରୀ କିମ୍ବା ବିପଜ୍ଜନକ ଜିନିଷ ରହିଛି କି ନାହିଁ, ସେନେଇ ତନ୍ନତନ୍ନ କରି ତଲାସୀ କରାଯାଉଛି। ବିମାନ ଭିତରେ ଥିବା ସମସ୍ତ ସ୍ଥାନକୁ ଯାଞ୍ଚ ପରିସରଭୁକ୍ତ କରାଯାଇଛି।ଘଟଣାର ତଦନ୍ତ ପାଇଁ ବିମାନବନ୍ଦର ପରିସର ଏବଂ ବିମାନ ଭିତରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଏହା ପଛରେ ଥିବା ବ୍ୟକ୍ତିଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ।










