30.1 C
Bhubaneswar
Sunday, May 5, 2024
Homeଖେଳକ୍ୟାଣ୍ଡିଡେଟ୍ସ ଚେସ୍ ଜିତିବାରେ ଗୁକେଶ ସର୍ବକନିଷ୍ଠ

କ୍ୟାଣ୍ଡିଡେଟ୍ସ ଚେସ୍ ଜିତିବାରେ ଗୁକେଶ ସର୍ବକନିଷ୍ଠ

ନୂଆଦିଲ୍ଲୀ: ଭାରତର ୧୭ ବର୍ଷୀୟ ଗ୍ରାଣ୍ଡ୍‌ମାଷ୍ଟର୍ ଡି. ଗୁକେଶ ଟରଣ୍ଟୋ କ୍ୟାଣ୍ଡିଡେଟ୍ସ ଚେସ୍ ଟୁର୍ଣ୍ଣାମେଣ୍ଟ୍ ୨୦୨୪ ଜିତି ଇତିହାସ ରଚିଛନ୍ତି । ବିଶ୍ୱ ଟାଇଟଲ୍ ପାଇଁ ସେ ସର୍ବକନିଷ୍ଠ ଚ୍ୟାଲେଞ୍ଜର୍ ହୋଇଛନ୍ତି । ଏବେ ଗୁକେଶ ବିଶ୍ୱ ଚାମ୍ପିଅନ୍‌ଶିପ୍ ଟାଇଟଲ୍ ପାଇଁ ଚଳିତ ବର୍ଷ ଶେଷ ଆଡ଼କୁ ଚୀନ୍‌ର ଡିଙ୍ଗ୍ ଲିରେନ୍‌ଙ୍କୁ ଭେଟିବେ । ତେବେ ଏହି ମୁକାବିଲା କେବେ ଏବଂ କେଉଁଠି ଖେଳାଯିବ ତାହା ଘୋଷଣା ହୋଇନାହିଁ । ଗୁକେଶଙ୍କ ପୂର୍ବରୁ ୧୯୮୪ରେ ରୁଷ ଖେଳାଳି ଗ୍ୟାରୀ କାସ୍ପୋରୋଭ୍ ସର୍ବକନିଷ୍ଠ ଭାବେ ଏହି ଟୁର୍ଣ୍ଣାମେଣ୍ଟ୍ ଜିତିଥିଲେ । କାସ୍ପୋରରୋଭ୍‌ଙ୍କୁ ସେତେବେଳେ ୨୨ ବର୍ଷ ହୋଇଥିଲା । ସୋମବାର ଗୁକେଶ ଟୁର୍ଣ୍ଣାମେଣ୍ଟରେ ୧୪ରୁ ୯ ପଏଣ୍ଟ୍ ହାସଲ କରି ଟାଇଟଲ୍ କବ୍‌ଜା କରିଛନ୍ତି । ସେ ଟୁର୍ଣ୍ଣାମେଣ୍ଟ୍‌ର ଶେଷ ମ୍ୟାଚ୍‌ରେ ଆମେରିକାର ହିକାରୁ ନାକାମୁରାଙ୍କ ବିପକ୍ଷରେ ଡ୍ର’ ଖେଳିଥିଲେ । ଫଳରେ ତାଙ୍କ ପଏଣ୍ଟ୍ ୮.୫ରୁ ୯ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ୍ ଜିତିବାରେ ଗୁକେଶ ଦ୍ୱିତୀୟ ଭାରତୀୟ । ତାଙ୍କ ପୂର୍ବରୁ ପାଞ୍ଚ ଥରର ବିଶ୍ୱ ଚାମ୍ପିଅନ୍ ବିଶ୍ୱନାଥନ୍ ଆନନ୍ଦ ୨୦୧୪ରେ ୪୫ ବର୍ଷ ବୟସରେ ଏହି ଏହି ଟୁର୍ଣ୍ଣାମେଣ୍ଟ୍ ଜିତିଥିଲେ । ଗତବର୍ଷ ଚୀନ୍‌ର ହାଙ୍ଗ୍‌ଝୁଆରେ ଆୟୋଜିତ ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଟିମ୍‌ର ସଦସ୍ୟ ଥିଲେ । ୨୦୧୫ରେ ଗୁକେଶ ଏସିଆନ୍ ସ୍କୁଲ୍ ଚେସ୍ ଚାମ୍ପିଅନ୍‌ଶିପ୍‌ର ଅଣ୍ଡର-୯ ଟାଇଟଲ୍ ଜିତିବା ସହିତ କ୍ୟାଣ୍ଡିଡେଟ୍ସ ମାଷ୍ଟର୍ ହୋଇଥିଲେ । ୨୦୧୯ରେ ସେ ଭାରତର ସର୍ବକନିଷ୍ଠ ଏବଂ ବିଶ୍ୱର ଦ୍ୱିତୀୟ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର୍ ହୋଇଥିଲେ । ସେ ବର୍ତ୍ତମାନ ସୁଦ୍ଧା ପାଞ୍ଚଟି ଏସିଆନ୍ ଯୁଥ୍ ଚାମ୍ପିଅନ୍‌ଶିପ୍ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିସାରିଛନ୍ତି । ଗୁକେଶଙ୍କ ଏହି ଉପଲବ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଆଧିକାରିକ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ପୋଷ୍ଟ୍‌ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଟରଣ୍ଟୋରେ କ୍ୟାଣ୍ଡିଡେଟ୍ସ ଚେସ୍ ଟୁର୍ଣ୍ଣାମେଣ୍ଟ୍ ଜିତିବା ଗୁକେଶଙ୍କ ଅସାଧାରଣ ପ୍ରତିଭା ଓ ସମର୍ପଣ ଭାବକୁ ଦର୍ଶାଉଛି । ତାଙ୍କର ଏହି ପ୍ରଦର୍ଶନ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରିତ କରିବ । ଏହା ବ୍ୟତୀତ ଭାରତର ପୂର୍ବତନ ବିଶ୍ୱ ଚାମ୍ପିଅନ୍ ବିଶ୍ୱନାଥନ୍ ଆନନ୍ଦ ମଧ୍ୟ ଗୁକେଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଏହି ଉପଲବ୍ଧି ପାଇଁ ଗର୍ବ ଅନୁଭବ କରିବା ସହିତ କଠିନ ପରିସ୍ଥିତିରେ ଗୁକେଶଙ୍କ ପ୍ରଦର୍ଶନକୁ ଆନନ୍ଦ ପ୍ରଶଂସା କରିଛନ୍ତି । ମୋଟ ୫ ଲକ୍ଷ ୟୁରୋ ପୁରସ୍କାର ରାଶି ବିଶିଷ୍ଟ କ୍ୟାଣ୍ଡିଡେଟ୍ସ ଚେସ୍ ଟୁର୍ଣ୍ଣାମେଣ୍ଟ୍‌ର ଚାମ୍ପିଅନ୍ ଗୁକେଶଙ୍କୁ ୮୮,୫୦୦ ୟୁରୋ (ପାୟ ୭୮.୫ ଲକ୍ଷ ଟଙ୍କା) ପୁରସ୍କାର ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking