26.1 C
Bhubaneswar
Tuesday, May 7, 2024
Homeଓଡିଶାଆଗକୁ ଇଂଞ୍ଜିନିୟରି କଲେଜରେ ନାମଲେଖା ଆରମ୍ଭ, ମାନଦଣ୍ଡ ଯାଞ୍ଚ ହେଉନି

ଆଗକୁ ଇଂଞ୍ଜିନିୟରି କଲେଜରେ ନାମଲେଖା ଆରମ୍ଭ, ମାନଦଣ୍ଡ ଯାଞ୍ଚ ହେଉନି

ଭୁବନେଶ୍ୱର: ରାଜ୍ୟରେ ବୈଷୟିକ କଲେଜର ମାନଦଣ୍ଡ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ ବ୍ୟବସ୍ଥାର ଯାଞ୍ଚ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଏହାର ଯାଞ୍ଚ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । ମାତ୍ର କର୍ମଚାରୀ ଅଭାବ ଥିବା ଦର୍ଶାଇ ଯାଞ୍ଚ କାର୍ଯ୍ୟ ଅଧାରେ ବନ୍ଦ ହୋଇଯାଇଛି । ଆଗକୁ ଇଞ୍ଜିନିୟରିଂ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ମାତ୍ର ରାଜ୍ୟରେ ସରକାରୀ ବୈଷୟିକ କଲେଜକୁ ବାଦ୍ ଦେଲେ ଚଳିତବର୍ଷ ଘରୋଇ କଲେଜଗୁଡିକରେ ସର୍ବାଧିକ ସିଟ୍ ଖାଲି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟରେ ଗତ ୧୦ ବର୍ଷ ହେବ ବୈଷୟିକ ଶିକ୍ଷା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି । ବିଶେଷକରି ଗୁଣାତ୍ମକ ଶିକ୍ଷା ପ୍ରଦାନ, ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଏପରି ସମସ୍ୟା ହୋଇଛି ବୋଲି ଅଭିଯୋଗ ହେଉଛି ।

ଏପରିକି ବୈଷୟିକ ଶିକ୍ଷା ଠାରୁ ଛାତ୍ରଛାତ୍ରୀ ଦୂରେଇଯିବା କ୍ଷେତ୍ରରେ ବିପିୟୁଟି କିଛି ମାତ୍ରାରେ ଦାୟୀ ବୋଲି ମଧ୍ୟ ଛାତ୍ରଛାତ୍ରୀ କହୁଛନ୍ତି । ଚଳିତବର୍ଷ ପ୍ରାୟ ୫୦ହଜାର ଛାତ୍ରଛାତ୍ରୀ ଓଜେଇଇ ଦେବେ । ଘରୋଇ କଲେଜଗୁଡିକରେ ସିଟ୍ ପୂରଣ ନେଇ ଉଦ୍ୟମ ହେଉଥିବା ବେଳେ ବିଶେଷକରି ମୌଳିକ ବ୍ୟବସ୍ଥାର ଯାଞ୍ଚ ହେବା ଆବଶ୍ୟକ । ରାଜ୍ୟରେ ଉଭୟ ସରକାରୀ ଏବଂ ଘରୋଇ ଇଞ୍ଜିନିୟରିଂ କଲେଜ ସଂଖ୍ୟା ୧୬୪ ରେ ପହଞ୍ôଚଛି । ଏହି ଇଞ୍ଜିନିୟରିଂ ଡିଗ୍ରୀ କଲେଜରେ ମୋଟ୍ ସିଟ୍ ସଂଖ୍ୟା ୪୮ହଜାର ୭୦୦ । ସରକାରୀ କଲେଜରେ ପ୍ରତି ବର୍ଷ ସମସ୍ତ ସିଟ୍ ପୂରଣ ହେଉଥିବା ବେଳେ ଘରୋଇ କଲେଜରେ ପ୍ରାୟ ୮୦ପ୍ରତିଶତ ସିଟ୍ ଖାଲି ରହୁଛି । ଏପରି ସମସ୍ୟାର ସମାଧାନ ଲାଗି ରାଜ୍ୟର ସମସ୍ତ ଘରୋଇ ଇଞ୍ଜିନିୟରିଂ କଲେଜର ଭିତ୍ତିଭୂମି ଯାଞ୍ଚ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଏଆଇସିଟିଇ ନିୟମ ମୁତାବକ ବ୍ୟବସ୍ଥା ନଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯାଞ୍ଚ ସମୟରେ କଲେଜର ଭିତ୍ତିଭୂମି, ଶିକ୍ଷକଙ୍କ ନିଯୁକ୍ତି, ଅଧ୍ୟାପକଙ୍କ ଅଭିଜ୍ଞତା, ଶ୍ରେଣୀ କକ୍ଷ, କ୍ଲାସ ପିରିୟଡ୍‌, ଛାତ୍ରାବାସ, ଶୌଚାଳୟ ଆଦି ସୁବିଧା ରହିଛି କି ନାହିଁ ତା’ର ତଦନ୍ତ କରିବ। ଏହାବ୍ୟତୀତ ମୋଟ୍ କେତେ ଜଣ ଛାତ୍ରଛାତ୍ରୀଙ୍କ ଲାଗି ପ୍ରତି କ୍ଲାସରେ କେତେଜଣ ଛାତ୍ରଛାତ୍ରୀ ରହୁଛନ୍ତି ତା’ର ତଦନ୍ତ ମଧ୍ୟ କରାଯିବ । ଏହା ସାଙ୍ଗକୁ ସମସ୍ତ ବୈଷୟିକ କଲେଜ ତଥା ବୃତ୍ତିଗତ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଅଗ୍ନିନିର୍ବାପକ ବ୍ୟବସ୍ଥା କିପରି ଅଛି ତା’ର ଯାଞ୍ଚ କରାଯିବ । ଏହାସାଙ୍ଗକୁ କୋର୍ସ ଫି’, ନିଯୁକ୍ତି ବ୍ୟବସ୍ଥା ସାଙ୍ଗକୁ ପିଲାଙ୍କ ଲାଗି କେଉଁ ପ୍ରକାର ମୌଳିକ ବ୍ୟବସ୍ଥା ରହିଛି କ୍ୟାମ୍ପସ୍‌ରେ ସେ ସବୁର ତଦନ୍ତ କରାଯାଇ ଘରୋଇ କଲେଜକୁ ର‌୍ୟାଙ୍କି କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଏହା ଶେଷ ହୋଇପାରିଲା ନାହିଁ । ଅପରପେକ୍ଷ ଯେଉଁ ଅନୁଷ୍ଠାନଗୁଡିକରେ ବ୍ୟବସ୍ଥା ନଥିବ ସଂପୃକ୍ତ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା ।

ଅପରପକ୍ଷେ ଘରୋଇ କଲେଜର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଏପରି ନିଷ୍ପତ୍ତିକୁ ସ୍ୱାଗତ କରାଯାଉଛି । ତେବେ ପ୍ରଥମେ ଘରୋଇ କଲେଜକୁ ଯାଞ୍ଚ କରିବା ପୂର୍ବରୁ ସରକାରୀ କଲେଜଗୁଡିକର ଯାଞ୍ଚ ଆବଶ୍ୟକ । ଛାତ୍ରଛାତ୍ରୀ ସରକାରୀ କଲେଜରେ ନାମଲେଖାଉଥିଲେ ହେଁ ସରକାରୀ କଲେଜରେ ଅନେକ ସମସ୍ୟା ରହିଛି । ପ୍ରାୟ ସବୁ ସରକାରୀ କଲେଜରେ ଆବଶ୍ୟକ ଅଧ୍ୟାପକ ନାହାନ୍ତି । ଆବଶ୍ୟକ କମ୍ପ୍ୟୁଟର ନାହିଁ । ଶ୍ରେଣୀ କକ୍ଷ, ବସିବା ଲାଗି ଚେୟାରଟେବୁଲ, ପାଠାଗାରରେ ବହି, ଶୌଚାଳୟ ନାହିଁ । ଏପରି ସମସ୍ୟାର ସମାଧାନ ଲାଗି ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଯେଉଁ ଘରୋଇ କଲେଜରେ ମୌଳିକ ସୁବିଧା ନାହିଁ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେହିପରି ଯେଉଁ ସରକାରୀ କଲେଜରେ ଏପରି ସମସ୍ୟା ରହିଛି ତା’ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking