ଭୁବନେଶ୍ୱର : ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ! ଆଉ ଅର୍ଥ ଅଭାବରୁ ଅଧାରୁ ରହିବନି କ୍ୟାନସର ଚିକିତ୍ସା । ଆୟୁଷ୍ମାନ ଭାରତ ଯୋଜନାରେ ୧୨୧ଟି ନୂଆ ପ୍ୟାକେଜ୍ ସାମିଲ କରି ରାଜ୍ୟର କୋଟି କୋଟି ଜନସାଧାରଣଙ୍କ ପାଇଁ ଆଶାର ନୂଆ କିରଣ ଦେଖାଇଛନ୍ତି ମୋହନ ସରକାର । ଜାଣନ୍ତୁ, କିପରି ଏହି ଯୋଜନା ବଦଳାଇବ କ୍ୟାନସର ରୋଗୀଙ୍କ ଭାଗ୍ୟ । କ୍ୟାନସର ବା କର୍କଟ ଏପରି ଏକ ରୋଗ, ଯାହା କେବଳ ଶରୀରକୁ ନୁହେଁ, ବରଂ ରୋଗୀର ପରିବାରକୁ ଆର୍ଥିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ଦିଏ । ବିଶେଷ କରି ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ ଏହି ରୋଗର ବ୍ୟୟବହୁଳ ଚିକିତ୍ସା କରିବା ଅନେକ ସମୟରେ ଅସମ୍ଭବ ହୋଇପଡ଼େ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏବେ ରାଜ୍ୟରେ ଆୟୁଷ୍ମାନ କାର୍ଡ ଜରିଆରେ କ୍ୟାନସର ରୋଗୀଙ୍କୁ ମାଗଣା ଓ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଅନୁଯାୟୀ, ଆୟୁଷ୍ମାନ ଭାରତ ଯୋଜନାରେ କ୍ୟାନସର ଚିକିତ୍ସା ପାଇଁ ନୂଆ ୧୨୧ଟି ପ୍ୟାକେଜ୍ ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଉପଲବ୍ଧ ସୁବିଧା ଅପେକ୍ଷା ଏହି ନୂଆ ପ୍ୟାକେଜ୍ ଗୁଡ଼ିକ କର୍କଟ ରୋଗୀଙ୍କ ପାଇଁ ଅଧିକ ସହାୟକ ହେବ। ଏଥିରେ କେମୋଥେରାପି, ରେଡିଓଥେରାପି ଠାରୁ ଆରମ୍ଭ କରି ବିଭିନ୍ନ ଜଟିଳ ଅସ୍ତ୍ରୋପଚାରକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ରୋଗୀମାନେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବେ।










