ଭୁବନେଶ୍ୱର : ଉତ୍କଳ ଦୃଷ୍ଟିହୀନ ସଂଘରେ ୯ ନଭେମ୍ବର ୨୦୨୫ ରେ ଅନୁଷ୍ଠିତ ନିର୍ବାଚନରେ ହୋଇଥିବା କଥିତ ଅନିୟମିତତା, ଦୃଷ୍ଟିହୀନ ବ୍ୟକ୍ତିଙ୍କ ମାନବାଧିକାର ଉଲ୍ଲଂଘନ ଏବଂ ସଂଘ ପରିସରରେ ସରକାରଙ୍କ ଦ୍ୱାରା ଦୃଷ୍ଟିହୀନଙ୍କ କଲ୍ୟାଣ ପାଇଁ ପ୍ରଦତ୍ତ ଜମିରେ ବ୍ୟବସାୟିକ କାର୍ଯ୍ୟକଳାପ ଚାଲିଥିବା ସମ୍ପର୍କିତ ଅଭିଯୋଗର ତଦନ୍ତ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଜାତୀୟ ମାନବ ଅଧିକାର ଆୟୋଗ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଉତ୍କଳ ଦୃଷ୍ଟିହୀନ ସଂଘ ପରିସରରେ ରଶ୍ମି ରଞ୍ଜନ ସାହୁ ନାମକ ବ୍ୟକ୍ତି ଏକ ବ୍ୟବସାୟିକ କଲ୍ୟାଣ ମଣ୍ଡପ ପରିଚାଳନା କରୁଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲେ ମଧ୍ୟ ଏହା ବନ୍ଦ ହୋଇନଥିବା ଅଭିଯୋଗ କରାଯାଇଛି।ଅଭିଯୋଗରେ ଆହୁରି କୁହାଯାଇଛି ଯେ, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀଙ୍କ ବିରୋଧରେ ସରକାରୀ ଅନୁଦାନର ଅପବ୍ୟବହାର, ଅବସରପ୍ରାପ୍ତ କର୍ମଚାରୀ ଓ ସଂଘ ସହ ସମ୍ପୃକ୍ତ ନଥିବା ବ୍ୟକ୍ତିଙ୍କ ନାମରେ ଦରମା ଉଠାଇ ସରକାରୀ ଅର୍ଥ ଆତ୍ମସାତ କରାଯାଇଥିବା ଭଳି ବିଭିନ୍ନ ଅଭିଯୋଗ ମଧ୍ୟ ଉଠାଯାଇଛି।
ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦାଶ କହିଛନ୍ତି ଯେ, ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ତଦନ୍ତ ପରେ ନିର୍ବାଚନ ଅନିୟମିତତା, ସରକାରୀ ଅର୍ଥର ଅପବ୍ୟବହାର ଓ ଅନ୍ୟାନ୍ୟ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଲୋକଲୋଚନକୁ ଆସିପାରିବ।ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଖାରବେଳ ନଗର ଥାନାର ଅଧିକାରୀ ନିରୀହ ଦୃଷ୍ଟିହୀନ ବ୍ୟକ୍ତିଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିବା ସହ ସେମାନଙ୍କୁ ବିଭିନ୍ନ ସମୟରେ ଡାକି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ରହିଛି। ଏହି ଅଭିଯୋଗଗୁଡ଼ିକର ସତ୍ୟତା ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ ପରେ ସ୍ପଷ୍ଟତା ଆସିବ।ପୂର୍ବରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏହି ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ସମାଜିକ ସୁରକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ଦାୟିତ୍ୱ ଦେଇଥିଲେ ମଧ୍ୟ ପୀଡ଼ିତ ଦୃଷ୍ଟିହୀନ ବ୍ୟକ୍ତିମାନେ କୌଣସି ସୁଫଳ ପାଇନଥିବା ଦାବି କରିଛନ୍ତି।ଉତ୍କଳ ଦୃଷ୍ଟିହୀନ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦାଶ, କାର୍ଯ୍ୟାଳୟ ସମ୍ପାଦକ ଅଜିତ କୁମାର ବେହେରା ଓ କୋଷାଧ୍ୟକ୍ଷ ଶୁଭ୍ରକାନ୍ତ ପାଣି ଶୀଘ୍ର ହସ୍ତକ୍ଷେପ କରି ସଂଘରେ ଚାଲିଥିବା ଅଚଳାବସ୍ଥାର ସ୍ଥାୟୀ ସମାଧାନ, ପରିସରରେ ଚାଲିଥିବା କଥିତ ବେଆଇନ କଲ୍ୟାଣ ମଣ୍ଡପ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବନ୍ଦ କରିବାକୁ ଦୃଢ଼ ଦାବି କରିଛନ୍ତି।










