ପୁରୀ: ପୁରୀ ରଥଯାତ୍ରା ସମୟରେ ଘଟିଥିବା ଠେଲାପେଲା ଏବଂ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ଏହି ଘଟଣାରେ କମିଶନ ରାଜ୍ୟ ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଜବାବ ତଲବ କରିଛନ୍ତି। ଏଥିସହ ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ଉପଯୁକ୍ତ ଓ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ବାହୁଡ଼ା ଯାତ୍ରାକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ଗୃହ ବିଭାଗ, ପୁରୀ ଜିଲ୍ଲାପାଳ ଓ ପୁରୀ ଏସପିଙ୍କୁ ମଧ୍ୟ କମିଶନ ପୃଥକ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି । ଆଇନଜୀବୀ ନିଶିକାନ୍ତ ମିଶ୍ର ଦାଖଲ କରିଥିବା ଆବେଦନକୁ ବିଚାର କରି ରାଜ୍ୟ ମାନବାଧିକାର କମିଶନ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ରଥଯାତ୍ରା ଭଳି ବୃହତ୍ ଧାର୍ମିକ ସମାବେଶରେ ଭକ୍ତଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ସହ ଭବିଷ୍ୟତରେ ଏଭଳି ଅଘଟଣ ନ ଘଟିବା ପାଇଁ ଦୃଢ଼ ବ୍ୟବସ୍ଥା କରିବାକୁ କମିଶନ ପରାମର୍ଶ ଦେଇଛନ୍ତି ।










