କଟକ: କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା । ଏହାର ତଦନ୍ତ ପାଇଁ ଗଠିତ ନ୍ୟାୟିକ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ପୁଣିଥରେ ବୃଦ୍ଧି କରିଛନ୍ତି । ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଗଠିତ ଏକକ ସଦସ୍ୟ ବିଶିଷ୍ଟ କମିଶନଙ୍କୁ ରିପୋର୍ଟ ଦାଖଲ ପାଇଁ ଆଉ ଦୁଇ ମାସ ସମୟ ଦିଆଯାଇଛି । ନୂଆ ବିଜ୍ଞପ୍ତି ଅନୁଯାୟୀ, କମିଶନ ଏବେ ୧୫ ସେପ୍ଟେମ୍ବର ୨୦୨୬ ସୁଦ୍ଧା ତାଙ୍କ ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ।
ଗୃହ (ସ୍ୱତନ୍ତ୍ର) ବିଭାଗ ପକ୍ଷରୁ ଜାରି ହୋଇଥିବା ନୂତନ ବିଜ୍ଞପ୍ତିରେ କୁହାଯାଇଛି ଯେ, କମିଶନଙ୍କ ତଦନ୍ତ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ପୂର୍ବରୁ ତଦନ୍ତ ସମାପ୍ତି ପାଇଁ ୧୫ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ତଦନ୍ତ ଚାଲିଥିବାରୁ ସରକାର କମିଶନଙ୍କ କାର୍ଯ୍ୟକାଳକୁ ଆହୁରି ବୃଦ୍ଧି କରିଛନ୍ତି । ଏଥିପାଇଁ ୧୫ ଜୁଲାଇ ପରିବର୍ତ୍ତେ ୧୫ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରିପୋର୍ଟ ଦାଖଲର ସମୟସୀମା ନିର୍ଦ୍ଧାରଣ କରାଯାଇଛି ।ଉଲ୍ଲେଖଯୋଗ୍ୟ, ୧୬ ମାର୍ଚ୍ଚ ୨୦୨୬ରେ ଏସ୍ସିବି ମେଡିକାଲର ଟ୍ରମା କେୟାର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ଆଇସିୟୁରେ ଚିକିତ୍ସାଧୀନ ରୋଗୀମାନଙ୍କ ମଧ୍ୟରୁ ୧୦ ଜଣଙ୍କ ପ୍ରାଣହାନି ଘଟିଥିଲା ।










