ଭୁବନେଶ୍ୱର : ମଙ୍ଗଳବାର ଦିନ ଲୋକଭବନ ଭୁବନେଶ୍ୱରସ୍ଥିତ ଅଭିଷେକ ହଲ ଠାରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ୨୦୨୩ ବ୍ୟାଚର ଓଡ଼ିଶା ପ୍ରଶାସନିକ ସେବା ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କରିଛନ୍ତି I ଏହି ଅବସରରେ ପ୍ରଶିକ୍ଷାର୍ଥୀମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ବିଶଦ ଭାବେ ଜ୍ଞାନ ଅର୍ଜନ କରି ସରକାର ଏବଂ ନାଗରିକଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରି ଉନ୍ନତ ସେବା ପ୍ରଦାନ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି।ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ, ଅଧିକାରୀମାନେ ତୃଣମୂଳସ୍ତରର ବାସ୍ତବତା ବିଷୟରେ ସ୍ପଷ୍ଟ ଧାରଣା ରଖିବା ଉଚିତ। କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକର ସଠିକ ରୂପାୟନ ଏବଂ ଏଥିରେ ଯୋଗ୍ୟ ହିତାଧିକାରୀଙ୍କ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରିବା ପାଇଁ ଏହି ଜ୍ଞାନ ଅତ୍ୟନ୍ତ ଜରୁରୀ।
ଆଲୋଚନା ସମୟରେ ମାନ୍ୟବର ରାଜ୍ୟପାଳ ପ୍ରଶିକ୍ଷାର୍ଥୀଙ୍କୁ ପିଏମ୍ଏସ୍ବିୱାଇ, ପିଏମ୍ଜେଜେବିୱାଇ ଏବଂ ପିଏମ୍ ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନା ଭଳି ପ୍ରମୁଖ ଯୋଜନାଗୁଡିକ ବିଷୟରେ ଅବଗତ ହେବାକୁ ପରାମର୍ଶ ଦେଇଥିଲେ। ସଚେତନ ଏବଂ ସକ୍ରିୟ ଅଧିକାରୀମାନେ ଲୋକ ସେବା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ରାଜ୍ୟପାଳ କହିଥିଲେ । ଏଥି ସହ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ନିଜକୁ ପଞ୍ଜିକୃତ କରାଇବା ସହିତ ଏହି ଯୋଜନାଗୁଡ଼ିକର ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।
ସମ୍ପ୍ରତି ବିଶ୍ୱ ଅର୍ଥନୈତିକ ପ୍ରତିବନ୍ଧକଗୁଡ଼ିକ ଉପରେ ଉଲ୍ଲେଖ କରି ରାଜ୍ୟପାଳ ପଶ୍ଚିମ ଏସିଆରେ ଭୂ-ରାଜନୈତିକ ଉତ୍ତେଜନା ଏବଂ ଦେଶର ଅଶୋଧିତ ତୈଳ ଆମଦାନି କ୍ଷେତ୍ରରେ ମାତ୍ରାଧିକ ନିର୍ଭରଶୀଳତାରୁ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ପଡିଥିବା ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ। ବ୍ୟକ୍ତିଗତ ସ୍ତରରେ ଆଚରଣ ପରିବର୍ତ୍ତନ, ବିଶେଷ କରି ପେଟ୍ରୋଲ ଏବଂ ଡିଜେଲ ଯାନ ବଦଳରେ କ୍ରମଶଃ ଇଲେକ୍ଟ୍ରିକ ଯାନ ବ୍ୟବହାରକୁ ଉତ୍ସାହିତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।
ସ୍ୱଚ୍ଛ ଗତିଶୀଳତାକୁ ନବୀକରଣଯୋଗ୍ୟ ଶକ୍ତି ସହ ଯୋଡ଼ି ରାଜ୍ୟପାଳ ପିଏମ୍ ସୂର୍ଯ୍ୟ ଘର ଯୋଜନାର ଗୁରୁତ୍ୱ ଏବଂ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ ସହ ଇଭି ଚାର୍ଜିଙ୍ଗ୍ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଲୋକ ଭବନ ‘ସବୁଜ ପ୍ରମାଣପତ୍ର’ (ଗ୍ରୀନ ସାର୍ଟିଫିକେସନ) ହାସଲ ଦିଗରେ ଅଗ୍ରସର ହେଉଥିବାର ପ୍ରସଙ୍ଗ ରାଜ୍ୟପାଳ ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ।
କୋଭିଡ୍-୧୯ ମହାମାରୀ ସମୟ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଆତ୍ମନିର୍ଭରତା, ଉଦ୍ଭାବନ ଏବଂ ଡିଜିଟାଲ୍ ରୂପାନ୍ତରଣ ମାଧ୍ୟମରେ ଦେଶ ଆହ୍ୱାନକୁ ସୁଯୋଗରେ ପରିଣତ କରିଥିଲା। ଅନାବଶ୍ୟକ ଭାବେ ସୁନା କ୍ରୟ, ବିଦେଶ ଯାତ୍ରା ଏବଂ ଖାଦ୍ୟ ତୈଳ ବ୍ୟବହାର ହ୍ରାସ ଇତ୍ୟାଦି କ୍ଷେତ୍ରରେ ଖର୍ଚ୍ଚ ନିୟନ୍ତ୍ରଣ କରି ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଚାପ କମ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ ।ପ୍ରାରମ୍ଭରେ ଗୋପବନ୍ଧୁ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନର ଉପ ମହାନିର୍ଦେଶକ ଡଃ ମୋନାଲିସା ଲେଙ୍କା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରଶିକ୍ଷାର୍ଥୀଙ୍କ ତାଲିମ କାର୍ଯ୍ୟକ୍ରମର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ।










