ନୂଆଦିଲ୍ଲୀ: ବିଶ୍ୱ ବଜାରରେ ଯୁଦ୍ଧ ପରିସ୍ଥିତିର ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ମଧ୍ୟ ପଡ଼ିଛି । ସପ୍ତାହର ପ୍ରଥମ କାରବାର ଦିନରେ ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ିବା ସହ ବଜାରରେ ବଡ଼ ହ୍ରାସ ଦେଖାଯାଇଛି । କାରବାର ଆରମ୍ଭ ହେବା ମାତ୍ରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ପ୍ରାୟ ୭୦୦ ପଏଣ୍ଟ ତଳକୁ ଖସିଥିଲା । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟିରେ ମଧ୍ୟ ପ୍ରାୟ ୧୮୦ ପଏଣ୍ଟର ହ୍ରାସ ରେକର୍ଡ କରାଯାଇଛି ।
ଆନ୍ତର୍ଜାତୀୟ ସ୍ତରରେ ଯୁଦ୍ଧ ଆଶଙ୍କା, ବଢ଼ୁଥିବା ଅନିଶ୍ଚିତତା ଏବଂ ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ନେଇ ନିବେଶକମାନେ ସତର୍କ ହୋଇଛନ୍ତି। ଏହାର ପ୍ରଭାବରେ ବଜାରରେ ବିକ୍ରି ଚାପ ବଢ଼ିଥିବା ଦେଖାଯାଇଛି । ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ବିଶ୍ୱସ୍ତରୀୟ ଘଟଣାକ୍ରମ, ତୈଳ ଦର ଏବଂ ଆନ୍ତର୍ଜାତୀୟ ବଜାରର ଗତିବିଧି ଭାରତୀୟ ସେୟାର ବଜାର ଉପରେ ପ୍ରଭାବ ପକାଇପାରେ ।
ଏନ୍ଏସ୍ଇ ନିଫ୍ଟି ୧୮୪ ପଏଣ୍ଟ ଖସିବା ସହ ୨୪ ହଜାର ୨୨ରେ ରହିଛି। ସପ୍ତାହାନ୍ତରେ ଯୁକ୍ତରାଷ୍ଟ୍ର ଏବଂ ଇରାନ୍ ମଧ୍ୟରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ପରେ ନିବେଶକାରୀଙ୍କ ମନୋବଳ ଦୁର୍ବଳ ହୋଇଛି। ଇରାନ୍ ହର୍ମୁଜ୍ ପ୍ରଣାଳୀ ପୁନର୍ବାର ବନ୍ଦ କରିବା ଘୋଷଣା କରିଛି, ଯାହା ବିଶ୍ୱ ତୈଳ ପରିବହନରେ ବାଧା ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି ହୋଇଛି। ଅଶୋଧିକ ତୈଳ ଦର ୪ ପ୍ରତିଶତରୁ ଅଧିକ ବଢ଼ି ପ୍ରତି ବାରେଲ୍ ପିଛା ୭୯ ଦଶମିକ ୧୨ ଡଲାରରେ ପହଂଚିଛି। ଭାରତ ଅଧିକାଂଶ ତୈଳ ଆମଦାନି କରେ ବୋଲି ଉଚ୍ଚ ତୈଳ ମୂଲ୍ୟ ଦେଶର ଆମଦାନି ବିଲ୍, ମୂଲ୍ୟବୃଦ୍ଧି ଏବଂ କମ୍ପାନି ଲାଭକୁ ପ୍ରଭାବିତ କରିପାରେ।










