ପୁରୀ: ଆଉ ମାତ୍ର ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିଲାଗି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ରଥ କାମ । ତିନି ରଥରେ ଠେକେରା ବାଡ଼ ବୁଲାହୋଇଛି । କନକମୁଣ୍ଡିରେ ପିତଳ ସଜ ପଡ଼ି ସାରିଛି । ଦରଜୀ ସେବକଙ୍କ କନା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ କୋଠ ସୁଆଁସିଆ ମାନେ ରଥରେ କନା ପକା ବା କନା ମଣ୍ଡଣି କାର୍ଯ୍ୟ ଆରମ୍ଭ କରିଛନ୍ତି ।ଚିତ୍ରକାର ସେବକମାନେ ତିନିରଥର ବାହ୍ୟ ଅଂଶ ଗୁଡ଼ିକର ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ଘୋଡ଼ା ଗୁଡ଼ିକର ରଙ୍ଗ କାର୍ଯ୍ୟ ଶେଷ ହେବା ସହ ତିନିରଥର ସାରଥୀଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକ ମାନେ କୋଠ ସୁଆଁସିଆ ସେବକମାନଙ୍କୁ ରଥରେ କାନା ପକା କାର୍ଯ୍ୟ ପାଇଁ ହାତୁଡ଼ି, ଛୁରୀ ନିର୍ମାଣ କରି ଯୋଗାଇଦେଇଛନ୍ତି ।










