ନୂଆଦିଲ୍ଲୀ: ସିବିଏସଇ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ଭାଷା ସମ୍ପର୍କରେ ନୂଆ ନିୟମ ଜାରି କରିଛି । ୨୦୨୭-୨୮ ଶିକ୍ଷାବର୍ଷରୁ ଦଶମ ପାସ୍ ସାର୍ଟିଫିକେଟ୍ ପାଇବା ପାଇଁ ତୃତୀୟ ଭାଷାର ସ୍କୁଲ୍-ଆଧାରିତ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନରେ ପାସ୍ କରିବା ବାଧ୍ୟତାମୂଳକ ହେବ । ସିବିଏସଇ ସ୍ପଷ୍ଟ କରିଛି ଯେ, ତୃତୀୟ ଭାଷା ପାଇଁ ଦଶମ ବୋର୍ଡ ପରୀକ୍ଷା ହେବ ନାହିଁ। ଏହାର ମୂଲ୍ୟାଙ୍କନ ସମ୍ପୂର୍ଣ୍ଣ ଭାବେ ସ୍କୁଲ୍ ସ୍ତରରେ କରାଯିବ। ତେବେ ଏହି ଆଭ୍ୟନ୍ତରୀଣ ମୂଲ୍ୟାଙ୍କନରେ ପାସ୍ ନକଲେ ଛାତ୍ରଛାତ୍ରୀଙ୍କୁ ସିବିଏସଇ ଦଶମ ପାସ୍ ସାର୍ଟିଫିକେଟ୍ ମିଳିବ ନାହିଁ । ଏହି ନିୟମ ୨୦୨୬-୨୭ରେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ । ଯଦି କୌଣସି ଛାତ୍ର ନବମ ଶ୍ରେଣୀରେ ତୃତୀୟ ଭାଷାରେ ପାସ୍ କରିପାରିବେ ନାହିଁ, ତେବେ ସେ ଦଶମକୁ ପଦୋନ୍ନତି ପାଇବେ । କିନ୍ତୁ ଦଶମରେ ପଢ଼ିବା ସମୟରେ ସେହି ବାକି ଥିବା ମୂଲ୍ୟାଙ୍କନରେ ପାସ୍ କରିବାକୁ ପଡ଼ିବ । ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅନୁଯାୟୀ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନିଆଯାଇଛି । ସିବିଏସଇ ନିୟମ ଅନୁସାରେ, ତିନୋଟି ଭାଷା ମଧ୍ୟରୁ ଅତି କମରେ ଦୁଇଟି ଭାରତୀୟ ଭାଷା ହେବା ଆବଶ୍ୟକ ।










