ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣାରେ ୭ ବର୍ଷର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି ।ମୃତ ଛାତ୍ରଙ୍କ ନାମ ନିତିନ । ସେ ରାଲ୍ ଅଞ୍ଚଳର ତିଲକ ସିଂହ ଇଣ୍ଟର କଲେଜର ଦ୍ୱିତୀୟ ଶ୍ରେଣୀର ଛାତ୍ର ଥିଲେ । ଅଭିଯୋଗ ଅନୁଯାୟୀ, ଆଜି ସକାଳେ ନିତିନ ସ୍କୁଲ ବସ୍ରୁ ଓହ୍ଲାଉଥିବା ବେଳେ ଚାଳକ ଅସାବଧାନତାର ସହ ବସ୍କୁ ଆଗକୁ ଚଳାଇ ଦେଇଥିଲେ । ଫଳରେ ନିତିନ ସନ୍ତୁଳନ ହରାଇ ତଳେ ପଡ଼ିଯାଇଥିଲେ ଏବଂ ବସ୍ର ଚକ ତାଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।ଦୁର୍ଘଟଣା ପରେ ବସ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାର ଖବର ପାଇ ସ୍ଥାନୀୟ ଲୋକ ଓ ଗ୍ରାମବାସୀ ସ୍କୁଲ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉତ୍ତ୍ୟକ୍ତ ଲୋକେ ସ୍କୁଲ ପରିସରରେ ନାରାବାଜି କରିବା ସହ କିଛି ସମ୍ପତ୍ତି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଫେରାର ବସ୍ ଚାଳକଙ୍କୁ ଖୋଜାଯାଉଛି । ପୁଲିସ କହିଛି, ଘଟଣାର ତଦନ୍ତ ଚାଲିଛି ଏବଂ ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।










