38.1 C
Bhubaneswar
Friday, April 26, 2024
Homeଓଡିଶାପୁଅର ଦୁର୍ଦ୍ଦଶାରେ ଅସହାୟ ଲକ୍ଷ୍ମୀଧର : ଦୁଃଖ ବୁଝିଲାନି ପ୍ରଶାସନ, ଭଗବାନଙ୍କ ଶରଣରେ ଦିଲ୍ଲୀପ

ପୁଅର ଦୁର୍ଦ୍ଦଶାରେ ଅସହାୟ ଲକ୍ଷ୍ମୀଧର : ଦୁଃଖ ବୁଝିଲାନି ପ୍ରଶାସନ, ଭଗବାନଙ୍କ ଶରଣରେ ଦିଲ୍ଲୀପ

ଖଲ୍ଲିକୋଟ : ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଆଜି ଭଗବାନଙ୍କ ଶରଣାପନ୍ନ ହୋଇଛନ୍ତି ଶଯ୍ୟାଶାୟୀ ଦିଲ୍ଲୀପ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ବାବା ବରାଳ ବାଲୁଙ୍କେଶ୍ୱର ମନ୍ଦିରରେ । ପୁଅ ଦିଲ୍ଲୀପକୁ ମହାଦେବଙ୍କ ସମ୍ମୁଖରେ ଶୁଆଇ ଦେଇ ରୁଦ୍ରାଭିଷେକ କରିବା ସହ ହୋମଯଜ୍ଞ ଏବଂ ବ୍ରାହ୍ମଣ ଭୋଜନ କରାଇ ପୁଅର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ବାପା ଲକ୍ଷ୍ମୀଧର ।
ଖଲ୍ଲିକୋଟ ଧୋବାସାହିର ଲକ୍ଷ୍ମୀଧର ସେଠୀଙ୍କ ଏକମାତ୍ର ପୁଅ ଦିଲ୍ଲୀପ । ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲା । ୨୦୧୦ ମସିହା ଅକ୍ଟୋବର ୧୦ ତାରିଖରେ ବାଇକରେ ବସି ଦିଲ୍ଲୀପ ଅଜା ଘରକୁ ଯାଉଥିବା ବେଳେ ନିର୍ମଳଝର ନିକଟରେ ଏକ କାର ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦିଲ୍ଲୀପଙ୍କ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ସବୁ ଭାଙ୍ଗି ଯାଇଥିଲା । ପ୍ରଥମେ ଖଲ୍ଲିକାଟ ପରେ ବ୍ରହ୍ମପୁର, ଶେଷରେ ଭୁବନେଶ୍ୱର ଆୟୁଷ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ବୀମା କମ୍ପାନୀ ସମେତ ବିଭିନ୍ନ ସୂତ୍ରରୁ ଯାହା ମିଳିଥିଲା, ଜମିବାଡ଼ି ବିକ୍ରି କରି ଓ ନିଜ ଘରକୁ ବନ୍ଧା ପକାଇ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏବେ ସେ ସର୍ବସ୍ୱାନ୍ତ ।
ପାଖରେ ଟଙ୍କାଟିଏ ମଧ୍ୟ ନ ଥିବାରୁ ଦିଲ୍ଲୀପକୁ ତାର ଦୈନନ୍ଦିନ ଔଷଧ ଦିଆଯିବା ସମ୍ଭବ ହେଉନାହିଁ । ଦୁର୍ଘଟଣା ସମୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଦିଲ୍ଲୀପକୁ ଏବେ ୨୩ ବର୍ଷ ବୟସ । ଦୀର୍ଘ ୧୦ ବର୍ଷ ହେଲା ପୁଅର ସେବା କରି ଆସୁଥିବା ମାଆ ସୁବାସିନୀଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଧୀରେ ଧୀରେ ଖରାପ ହେବାକୁ ଲାଗିଲାଣି । ସୁବାସିନୀଙ୍କ ଦାନ୍ତରେ ଗୋଟିଏ କଣା ହୋଇଥିଲା । ଧୀରେ ଧୀରେ କଣାଟି ବଡ଼ ହୋଇ ବର୍ତ୍ତମାନ କଣ୍ଠ ପର୍ଯ୍ୟନ୍ତ ମାଡିଗଲାଣି । ତୁରନ୍ତ ଏହାର ଚିକିତ୍ସା କରାନଗଲେ ଆଗକୁ ଏହା ଭୟଙ୍କର ଆକାର ଧାରଣ କରିବ ବୋଲି ଡାକ୍ତର କହିଛନ୍ତି । ଏଭଳିସ୍ଥିତିରେ ପୁଅକୁ ଔଷଧ ଖାଇବାକୁ ଦେବେ ନା ସ୍ତ୍ରୀ ସୁବାସିନୀର ଚିକିତ୍ସା କରାଇବେ ଚିନ୍ତାରେ ପଡିଯାଇଛନ୍ତି ଲକ୍ଷ୍ମୀଧର ।
ଏମିତି ମାନସିକ ଚିନ୍ତାରେ ଅତିଷ୍ଠ ହୋଇ ବିଷ ଖାଇ ପୂରା ପରିବାର ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛନ୍ତି ବୋଲି ଅତ୍ୟନ୍ତ କୋହଭରା କଣ୍ଠରେ କହନ୍ତି ଲକ୍ଷ୍ମୀଧର । ତେଣୁ ରାଜ୍ୟ ସରକାର ଗରିବ ଲୋକମାନଙ୍କ୍ ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବା ବେଳେ ନିହାତି ଗରିବ ଓ ଅସହାୟ ଲକ୍ଷ୍ମୀଧରଙ୍କ ପରିବାର ପ୍ରତି ଦୃଷ୍ଟି ଦେଲେ ରୋଗ ଶଯ୍ୟାରେ ପଡିଥିବା ଦିଲ୍ଲୀପ ସହ ତାଙ୍କ ମାଆଙ୍କର ମଧ୍ୟ ଚିକିତ୍ସା ହୋଇପାରନ୍ତା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking