ଭୁବନେଶ୍ୱର: ଆସୁଛି ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ। ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର। ଆସନ୍ତା ୨୬ରେ ବାତ୍ୟା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଆସନ୍ତାକାଲି ସଦୃଶ୍ୟ ଲଘୁଚାପର ରୂପ ନେଇପାରେ । ୨୫ ତାରିଖରେ ଗଭୀର ଅବପାତର ରୂପ ନେବାର ସମ୍ଭାବନା ଅଛି । ଅବପାତଟି ଅଧିକ ଶକ୍ତିଶାଳୀ ହୋଇ ଅକ୍ଟୋବର ୨୬ ତାରିଖରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଇଛି ।
ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ । ଦକ୍ଷିଣ ଓଡ଼ିଶା ଦେଇ ଆନ୍ଧ୍ର ଉପକୂଳରେ ମାଡ଼ ହୋଇପାରେ ବାତ୍ୟା । ବାତ୍ୟା ସମୟରେ ଘଣ୍ଟାପ୍ରତି ପ୍ରାୟ ୯୦ କିମି ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ ରହିଛି । ବାତ୍ୟା ସୃଷ୍ଟି ହେବା ପରେ ଆହୁରି ଶକ୍ତିଶାଳୀ ହୋଇପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ୨୮ ତାରିଖ ଆଡ଼କୁ ପବନର ବେଗ ଆହୁରି ବଢ଼ିବାର ମଧ୍ୟ ଆଶଙ୍କା ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହେବା ସହ ଉଚ୍ଚ ଜୁଆର ସୃଷ୍ଟି ହେବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ସମୁଦ୍ର ମଧ୍ୟକୁ ଯିବା ବିପଜ୍ଜନକ ହୋଇପାରେ । ଆସନ୍ତା ୨୬ ତାରିଖରୁ ଓଡ଼ିଶାରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଣିପାଗ ଉପରେ ନଜର ରହିବ। ସେପଟେ GFS ମଡେଲର ଅପଟେଡ ଅନୁସାରେ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ଅଞ୍ଚଳରେ ପ୍ରଭାବ ଅଧିକ ରହିବ ।
ସେହିପରି ICON ମଡେଲ ବି ଆନ୍ଧ୍ରରେ ପ୍ରଭାବକୁ ଦର୍ଶାଉଛି । ବିଶେଷକରି ବିଶାଖାପାଟଣା ନିକଟରେ ଅଧିକ ପ୍ରଭାବ ନେଇ ଦର୍ଶାଉଛି ICON ମଡେଲ । ତେବେ ECMWF ମଡେଲ୍ରେ ସମ୍ଭାବ୍ୟ ବାତ୍ୟା ହେଲେ ଓଡ଼ିଶା ବି ବର୍ଷା ଅଧିକ ହୋଇପାରେ ବୋଲି କୁହାଯାଉଛି । ବିଶେଷକରି ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଉପରେ ପ୍ରଭାବ ପଡ଼ିପାରେ ।