ପୁରୀ: ସରିଲା ପାର୍ବଣ ଋତୁ, ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକର ଆଧ୍ୟାତ୍ମିକ ପରିବେଶ। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ମାସର ସ୍ୱତନ୍ତ୍ର ନୀତିକାନ୍ତି । ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ସାଧାରଣତଃ କୁମାର ପୂର୍ଣ୍ଣିମା ପରଦିନଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବା ବେଳେ ଶ୍ରୀମନ୍ଦିରରେ ଆଜିଠାରୁ ବାଳଭୋଗ ସହ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଛି । ଏହି ଅବସରରେ ଶ୍ରୀଜିଉଙ୍କ ରାଧାଦାମୋଦର ବେଶ ଦର୍ଶନ କରି ଭାବବିହ୍ୱଳ ହେଉଛନ୍ତି ଭକ୍ତ । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ଓ ବ୍ରତ ପାଳନର ବିଶେଷ ମହତ୍ତ୍ୱ ରହିଛି । ଏଥିପାଇଁ ଶ୍ରୀମନ୍ଦିର ସେବାୟତଙ୍କ ସମେତ କିଛି ମହିଳା ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । ହବିଷ୍ୟାଳିମାନେ ମଧ୍ୟ ଶ୍ରୀକ୍ଷେତ୍ରରେ ରହି ମହାପ୍ରଭୁଙ୍କ ଆରାଧନା କରିବାକୁ ପ୍ରସ୍ତୁତ ହୋଇଛନ୍ତି ।










