33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଅନ୍ୟକୁ ଡ଼ରାଇବା, ଧମକାଇବା କଂଗ୍ରେସର ସଂସ୍କୃତି: ପ୍ରଧାନମନ୍ତ୍ରୀ

ଅନ୍ୟକୁ ଡ଼ରାଇବା, ଧମକାଇବା କଂଗ୍ରେସର ସଂସ୍କୃତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନବିଚାରପତି (ସିଜେଆଇ)ଙ୍କୁ ଦେଶର ପ୍ରାୟ ୬୦୦ ଆଇନଜୀବୀ ଚିଠି ଲେଖି ନ୍ୟାୟପାଳିକା ଉପରେ ଚାପ ପକାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ଏସମ୍ପର୍କରେ କଡା ପ୍ରତିକ୍ରିୟା ରଖି ମୋଦୀ କହିଛନ୍ତି, ଅନ୍ୟଙ୍କୁ ଡ଼ରାଇବା, ଧମକାଇବା, ଭୟଭୀତ କରିବା କଂଗ୍ରେସର ପୁରୁଣା ସଂସ୍କୃତି, ବିଜେପିର ନୁହେଁ । ମୋଦୀଙ୍କ କହିବାନୁସାରେ ପ୍ରାୟ ୫୦ବର୍ଷ ପୂର୍ବେ କଂଗ୍ରେସ ନିଜ ସ୍ୱାର୍ଥକୁ ବିଶ୍ୱ ସମ୍ମୁଖରେ ରଖିଥିଲା । ଏହି ସମୟରେ କଂଗ୍ରେସ ଏକ ପ୍ରତିଶ୍ରୁତିବଦ୍ଧ ନ୍ୟାୟପାଳିକା ପାଇଁ ଆହ୍ୱାନ ଦେଇଥିଲା । ନିଜ ସ୍ୱାର୍ଥ ପାଇଁ ଅନ୍ୟମାନଙ୍କ ଠାରୁ ପ୍ରତିବଦ୍ଧତା ଖୋଜିବାରେ ସିଦ୍ଧହସ୍ତ କଂଗ୍ରେସ କଦାପି ଦେଶ କିମ୍ବା ଦେଶବାସୀଙ୍କ ପ୍ରତି ପ୍ରତିବଦ୍ଧତା ଦର୍ଶାଇନାହିଁ । ଓଲଟା ଯେତେବେଳେ ଏଭଳି କିଛି ସମୟ ଆସିଛି ସେତେବେଳେ କଂଗ୍ରେସ ଏସବୁକୁ ଏଡାଇ ଯାଇଛି । ବର୍ତ୍ତମାନ ସମୟରେ ଦେଶର ୧୪୦ କୋଟି ଭାରତୀୟ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିବା ପଛର ମୂଳ କାରଣ ମଧ୍ୟ ଏହା ହିଁ ରହିଛି । ତେବେ ଏହାକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରିବା କିମ୍ବା ଅନ୍ୟ କାହାକୁ ଦୋଷାରୋପ କରିବାର କୌଣସି ଯଥାର୍ଥତା ନାହିଁ । ମୋଦୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ’ରେ ଏସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସିଜେଆଇଙ୍କୁ ୬୦୦ ଓକିଲ ଲେଖିଥିବା ଏହି ଚିଠିକୁ ମଧ୍ୟ ମୋଦୀ ପୁନଃ ପୋଷ୍ଟ କରିଛନ୍ତି ।
ପ୍ରକାଶ, ବରିଷ୍ଠ ଓକିଲ ହରିଶ ସାଲ୍‌ଭେ, ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ସଭାପତି ମନନ କୁମାର ମିଶ୍ରଙ୍କ ସମେତ ଦେଶର ପ୍ରାୟ ୬୦୦ ବରିଷ୍ଠ ଆଇନଜୀବୀ ସାମୂହିକ ଭାବେ ସୁପ୍ରିମକୋର୍ଟ ପ୍ରଧାନବିଚାରପତି (ସିଜେଆଇ) ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କୁ ଗତ ୨୬ ତାରିଖରେ ଏକ ଚିଠି ଲେଖି ଏକ ନ୍ୟସ୍ତସ୍ୱାର୍ଥବାଦୀ ଗୋଷ୍ଠୀ ନିୟମିତ ଭାବେ ଦେଶର ନ୍ୟାୟବ୍ୟବସ୍ଥାକୁ ପ୍ରଭାବିତ କରିବାକୁ ତଥା ନ୍ୟାୟପାଳିକା ଉପରେ ଚାପ ପକାଇବାକୁ ଚେଷ୍ଟା କରୁଥିବା ଉଲ୍ଲେଖ କରିଛନ୍ତି । ଏତଦ୍‌ବ୍ୟତୀତ ଅଯଥା ତର୍କ ଓ ଚିରାଚରିତ ରାଜନୈତିକ ଏଜେଣ୍ଡା ଆଧାରରେ ନ୍ୟାୟପାଳିକା ଉପରେ ଚାପ ପକାଯାଉଛି ଏବଂ କୋର୍ଟ ବ୍ୟବସ୍ଥାକୁ ବଦନାମ କରିବାକୁ ଅପଚେଷ୍ଟା କରାଯାଉଥିବା ନେଇ ମଧ୍ୟ ଓକିଲମାନେ ଅଭିଯୋଗ କରିଛନ୍ତି । ମୋଟାମୋଟି ବ୍ୟକ୍ତିଗତ ଏବଂ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ନ୍ୟାୟବ୍ୟବସ୍ଥାକୁ ନିଜ ହିସାବରେ ପରିଚାଳନା କରିବାକୁ ଚେଷ୍ଟା କରାଯାଉଥିବା ବେଳେ ସୁପ୍ରିମକୋର୍ଟ ଏହା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଏବଂ ଏପ୍ରକାର ଷଡଯନ୍ତ୍ରରୁ ନ୍ୟାୟପାଳିକା ତଥା ନ୍ୟାୟିକ ବ୍ୟବସ୍ଥାକୁ ସୁରକ୍ଷା ଦେବା ପାଇଁ ଓକିଲମାନେ ଦାବି କରିଛନ୍ତି ।
ସିଜେଆଇଙ୍କୁ ପ୍ରଦାନ କରାଯାଇଥିବା ୬୦୦ ଓକିଲଙ୍କ ସ୍ୱାକ୍ଷର ରହିଥିବା ଏହି ଚିଠିରେ, ବର୍ତ୍ତମାନ ସମୟରେ ଦେଶର ନ୍ୟାୟବ୍ୟବସ୍ଥା ଘୋର ସଂକଟ ସମୟ ଦେଇ ଗତି କରୁଥିବା ଏବଂ ବ୍ୟବସ୍ଥା ବିରୋଧରେ ଷଡଯନ୍ତ୍ର କରାଯାଉଥିବା ଉଲ୍ଲେଖ କରାଯାଇଛି । ଏହା ଏକ ରଣନୀତି ଭାବେ କାମ କରୁଥିବା ବେଳେ ଏହା ଦେଶର ବିଚାର ବ୍ୟବସ୍ଥା ତଥା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବା ସହ ଦେଶବାସୀଙ୍କ ବିଶ୍ୱାସକୁ ପ୍ରଭାବିତ କରୁଛି ବୋଲି ଓକିଲମାନେ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking