38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଚୀନ୍‌-ଭାରତ ବିବାଦର ସମାଧାନ କରିପାରିବେ ମୋଦୀ ଓ ଜିନ୍‌ପିଙ୍ଗ୍‌ : ପୁଟିନ୍‌

ଚୀନ୍‌-ଭାରତ ବିବାଦର ସମାଧାନ କରିପାରିବେ ମୋଦୀ ଓ ଜିନ୍‌ପିଙ୍ଗ୍‌ : ପୁଟିନ୍‌

ମସ୍କୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଉଭୟ ଦାୟିତ୍ୱସମ୍ପନ୍ନ ନେତା ଏବଂ ସେମାନେ ଚୀନ୍‌-ଭାରତ ବିବାଦର ସମାଧାନ କରିପାରିବେ ବୋଲି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଶନିବାର ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏଥିରେ ଅନ୍ୟ କୌଣସି ବାହ୍ୟ ଆଞ୍ଚଳିକ ଶକ୍ତି ହସ୍ତକ୍ଷେପ କରିବା ଅନୁଚିତ୍ । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଚତୁଃରାଷ୍ଟ୍ରୀୟ ସଂଗଠନ କ୍ୱାଡ୍‌କୁ ରୁଷିଆ ଖୋଲାଖୋଲି ଭାବେ ସମାଲୋଚନା କରୁଥିଲାବେଳେ ପୁଟିନ୍ କହିଛନ୍ତି, ଯେକୌଣସି ରାଷ୍ଟ୍ର ଅନ୍ୟ କୌଣସି ରାଷ୍ଟ୍ର ସହ କି ପ୍ରକାର ସମ୍ପର୍କ ରଖିବ, ସେଥିରେ ମସ୍କୋ ମୁଣ୍ଡ ଖେଳାଇବାକୁ ଚାହୁଁନାହିଁ ।

କ୍ୱାଡ୍ ଗଠନ ଏବଂ ଏଥିରେ ଭାରତ ସାମିଲ୍ ହେବା ସମ୍ପର୍କରେ ମସ୍କୋର ମନୋଭାବ କ’ଣ ବୋଲି ପ୍ରଶ୍ନ ହେବାରୁ ପୁଟିନ୍ ଏହା କହିଛନ୍ତି । ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନ୍‌ର ପ୍ରଭାବକୁ ହ୍ରାସ କରିବା ଲାଗି ଏହି ଚତୁଃରାଷ୍ଟ୍ରୀୟ ସଂଗଠନ ଗଢ଼ାଯାଇଛି ବୋଲି ବେଜିଂର ମତ ଉପରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ ସେ ଏହା କହିଛନ୍ତି । ଗୋଟିଏ ପଟେ ଭାରତ ସହ ରୁଷିଆର ଭାଗୀଦାରୀ ଏବଂ ଅନ୍ୟପଟେ ମସ୍କୋ-ବେଜିଂ ମଧ୍ୟରେ ସମ୍ପର୍କ ଏକ ବିରୋଧାଭାସ ବୋଲି ସମାଲୋଚନା ହେବା ପରିପ୍ରେକ୍ଷୀରେ ପୁଟିନ୍ ଏଭଳି ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, ହଁ ମୁଁ ଜାଣେ ଯେ ଭାରତ-ଚୀନ୍ ସମ୍ପର୍କ ସହ ଜଡ଼ିତ କେତେକ ପ୍ରସଙ୍ଗ ରହିଛି ।

କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ଓ ଚୀନ୍‌ର ରାଷ୍ଟ୍ରପତିଙ୍କ ମନୋଭାବ ସମ୍ପର୍କରେ ମୁଁ ମଧ୍ୟ ଭଲ ଭାବରେ ଅବଗତ ଅଛି । ସେମାନେ ଖୁବ୍ ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ଏବଂ ଉଭୟଙ୍କର ପରସ୍ପର ପ୍ରତି ବେଶ୍ ସମ୍ମାନବୋଧ ରହିଛି । ତେଣୁ କୌଣସି ପ୍ରସଙ୍ଗରେ ବିବାଦ ଉପୁଜିଲେ ସେମାନେ ତାହା ସମାଧାନ କରିବାକୁ ଆଗେଇ ଆସିବେ ବୋଲି ମୋର ବିଶ୍ୱାସ । ପୁଟିନ୍ ସମ୍ବାଦ ସରବରାହ ସଂସ୍ଥା ସହ ଏକ ଭର୍ଚୁଆଲ ଆଲୋଚନାରେ ଜଣେ ଅନୁବାଦକଙ୍କ ଜରିଆରେ କହିଛନ୍ତି, ଏଭଳି ସ୍ଥିତିରେ କୌଣସି ବାହ୍ୟ ଶକ୍ତି ଏହି ଦୁଇ ରାଷ୍ଟ୍ରର ବିବାଦୀୟ ପ୍ରସଙ୍ଗରେ ଅନୁପ୍ରବେଶ କରିବା ଠିକ୍ ହେବନାହିଁ ।

ଉଲ୍ଲେଖଯୋଗ୍ୟ, ଚୀନ୍ ଓ ଭାରତ ମଧ୍ୟରେ ଗତବର୍ଷ ମେ’ ୫ତାରିଖରେ ପୂର୍ବ ଲଦାଖରେ ସାମରିକ ବିବାଦ ସୃଷ୍ଟି ହେବାର ଇତିମଧ୍ୟରେ ପ୍ରାୟ ଏକବର୍ଷ ଅତିକ୍ରାନ୍ତ ହୋଇଗଲାଣି । ୪୫ବର୍ଷ ଧରି ଏହି ସୀମାରେ ବିବାଦ ଲାଗିରହିଥିଲାବେଳେ ଏହାର ସମାଧାନ ପ୍ରକ୍ରିୟାର ଆଦୌ ଅଗ୍ରଗତି ଘଟିନାହିଁ । ବିଶେଷକରି ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଦିଗରେ ମଧ୍ୟ ବିଶେଷ ଅଗ୍ରସର ହୋଇନାହିଁ । ଆଲୋଚନା ସତ୍ତ୍ୱେ ଅନ୍ୟ ଫ୍ରିକ୍‌ସନ ପଏଣ୍ଟ(ବିବାଦୀୟ ସ୍ଥଳ) ଗୁଡ଼ିକରେ ଅଚଳାବସ୍ଥା ଏବେ ବି ଲାଗିରହିଛି ।

ଆମେରିକା, ଭାରତ, ବ୍ରିଟେନ୍‌, ଜର୍ମାନୀ ଓ ଫ୍ରାନ୍ସର ପ୍ରମୁଖ ସମ୍ବାଦ ସରବରାହ ସଂସ୍ଥାର ବରିଷ୍ଠ ସମ୍ପାଦକମାନଙ୍କ ସହ ଭର୍ଚୁଆଲ ମୋଡ଼ରେ ଆଲୋଚନା କଲାବେଳେ ପୁଟିନ୍ କରୋନା ମହାମାରୀ, ରୁଷିଆ ବିରୋଧରେ ଆମେରିକାର କଟକଣା ଏବଂ ଗାଜା ପରିସ୍ଥିତି ଉପରେ ଆମେରିକାର ଆଭିମୁଖ୍ୟ ଆଦି ଅନେକ ପ୍ରସଙ୍ଗରେ ତାଙ୍କର ମତ ରଖିଛନ୍ତି । ଆସନ୍ତା ଜୁନ୍ ୧୬ତାରିଖରେ ଜେନେଭାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନଙ୍କ ସହ ତାଙ୍କର ପ୍ରଥମ ଶୀର୍ଷ ବୈଠକ ପୂର୍ବରୁ ପୁଟିନ୍ ବିଭିନ୍ନ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking