33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଲୋକସଭା ନିର୍ବାଚନ ପାଇଁ ଚଢ଼ଉ ଅଭିଯାନକୁ ବ୍ୟାପକ କରାଯାଉଛି: ନିର୍ବାଚନ ଆୟୋଗ

ଲୋକସଭା ନିର୍ବାଚନ ପାଇଁ ଚଢ଼ଉ ଅଭିଯାନକୁ ବ୍ୟାପକ କରାଯାଉଛି: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ତାରିଖ ଯେତେ ଯେତେ ପାଖେଇ ଆସୁଛି ରାଜନୈତିକ ଦଳଙ୍କ ମଧ୍ୟରେ ଉତ୍ସାହ, ଆଗ୍ରହ, ଆଶା-ଆଶଙ୍କା ବି ସେତେ ସେତେ ଘନୀଭୂତ ହେବାରେ ଲାଗିଛି । ପ୍ରକାଶ, ଆସନ୍ତା ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ । ସୁତରାଂ ରାଜନୈତିକ ଦଳ ତଥା ଦଳୀୟ ପ୍ରାର୍ଥୀଙ୍କ ପକ୍ଷରୁ ଏବେ ଜନସାଧାରଣଙ୍କୁ ଯେକୌଣସି ମତେ ନିଜ ସପକ୍ଷରେ ଭୋଟ୍ ଦେବା ପାଇଁ ପ୍ରବର୍ତ୍ତାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି । ତେବେ ଏହି ପ୍ରୟାସ ଏବେ କେବଳ ଭୋଜିଭାତ, ମଦମାଂସରେ ସୀମିତ ନାହିଁ ବରଂ ନଗଦ ଅର୍ଥ, ଦାମୀ ଗିଫ୍ଟ ଆଦି ଦେବା ପର୍ଯ୍ୟନ୍ତ ଲମ୍ବିଛି । ସବୁ ନିର୍ବାଚନ ଭଳି ୨୦୨୪ ଲୋକସଭା ନିର୍ବାଚନ ଏବଂ ସମାନ ସମୟରେ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଏବେ ପ୍ରଚୁର ପରିମାଣରେ ଅର୍ଥ କାରବାର ହେଉଥିବା ନଜରକୁ ଆସିବାରେ ଲାଗିଛି । ଅନ୍ୟପକ୍ଷେ ଏସବୁ ବେଆଇନ୍ କାର୍ଯ୍ୟକଳାପ ଉପରେ ନିର୍ବାଚନ ଆୟୋଗ ଅତ୍ୟନ୍ତ ସତର୍କତାର ସହ ତୀକ୍ଷ୍ମ ନଜର ରଖିଛି । ସୋମବାର କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ପରିପ୍ରେକ୍ଷୀରେ ଏକ ବଡ଼ ସୂଚନା ଦିଆଯାଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଗତ ୪୪ ଦିନ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ଏପର୍ଯ୍ୟନ୍ତ ମୋଟ୍ ୪୬୫୮.୧୩ କୋଟି ଟଙ୍କା ଜବତ କରାଯାଇସାରିଛି ।
ନିର୍ବାଚନ କମିଶନରଙ୍କ କହିବାନୁସାରେ ନିର୍ବାଚନ ସମୟରେ ବେଆଇନ୍ ଅର୍ଥ କାରବାର ଉପରେ ସମ୍ପୂର୍ଣ୍ଣ ରୂପେ ରୋକ୍‌୍ ଲଗାଇବା ଉଦ୍ଦେଶ୍ୟରେ ଗତ ମାର୍ଚ୍ଚ ୧ ତାରିଖରୁ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ ଅଭିଯାନ ଜାରି ରହିଛି । ଏହିକ୍ରମେ ଦୈନିକ ହାରାହାରି ୧୦୦ କୋଟି ଟଙ୍କା ହିସାବରେ ଗତ ୧୪ ଦିନ ମଧ୍ୟରେ ମୋଟ୍ ୪୬୫୮.୧୩ କୋଟି ଟଙ୍କା ଜବତ କରାଯାଇସାରିଛି । ଜବତ ହୋଇଥିବା ୪୬୫୮.୧୩ କୋଟି ମଧ୍ୟରେ ୩୯୫.୯୫ କୋଟିର ନଗଦ ଟଙ୍କା, ୪୮୯.୩୧ କୋଟିର ମଦ, ୨୦୬୮.୫୮ କୋଟିର ଡ୍ରଗ୍ସ, ୫୬୨.୧୦ କୋଟିର ସୁନା ଓ ୧୧୪୨.୪୯ କୋଟିର ଅନ୍ୟାନ୍ୟ ସାମଗ୍ରୀ ଥିବା କମିଶନର ଶ୍ରୀ ରାଜୀବ କୁମାର କହିଛନ୍ତି । ରାଜୀବ କୁମାର କହିଛନ୍ତି, ନିର୍ବାଚନ ସମୟରେ ଏତେ ପରିମାଣର ବେଆଇନ୍ ଅର୍ଥ ଜବତ ହେବା ଦେଶର ୭୫ବର୍ଷର ଲୋକସଭା ନିର୍ବାଚନୀ ଇତିହାସରେ ପ୍ରଥମ ଘଟଣା ସାବ୍ୟସ୍ତ ହୋଇଛି । ଏହାପୂର୍ବରୁ ଏତେ ପରିମାଣର ଅର୍ଥ କେବେ ବି ନିର୍ବାଚନ ସମୟରେ ଜବତ କରାଯାଇନଥିଲା । ତେବେ ନିର୍ବାଚନ ପୂର୍ବରୁ ଏହି ପରିମାଣର ଅର୍ଥ ଜବତ ହୋଇଥିବା ବେଳେ ନିର୍ବାଚନ ସମୟରେ ଆହୁରି ବ୍ୟାପକ ପରିମାଣର ଟଙ୍କା ବଣ୍ଟନ, ମଦ ଓ ମାଗଣାରେ ଜିନିଷ ବଣ୍ଟନ ଓ ଡ୍ରଗ୍ସ କାରବାର ହେବ ବୋଲି ଆଶଙ୍କା କରାଯାଉଛି । ସୁତରାଂ ଏସବୁକୁ ରୋକିବା ପାଇଁ ପ୍ରାୟସ ଆଗକୁ ମଧ୍ୟ ଜାରି ରହିବ ବୋଲି ନିର୍ବାଚନ କମିଶନର କହିଛନ୍ତି । ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ଫ୍ଲାଇଂ ସ୍କ୍ୱାଡ, ଷ୍ଟାଟିଷ୍ଟିକ୍‌ସ୍ ସର୍ଭେଲାନ୍ସ ଟିମ୍‌, ଏନ୍‌ଆଇଏ, ସିବିଆଇ ଏବଂ ସ୍ଥାନୀୟ ପୁଲିସ୍ ପ୍ରଶାସନ ଭଳି ତଦନ୍ତକାରୀ ସଂସ୍ଥା ଦୈନିକ ଏନେଇ ଚଢ଼ଉ କରୁଛନ୍ତି । ପ୍ରକାଶ, ଏଥର ନିରପେକ୍ଷ ତଥା ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ନିର୍ବାଚନ କମିଶନ । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ ବିଭିନ୍ନ ପ୍ରକାର ଦିଗକୁ ଗୁରୁତ୍ୱ ଦେଉଛନ୍ତି । ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଗତ ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ କରାଯାଇସାରିଛି । ସେହିପରି ନିର୍ବାଚନ ପୂର୍ବରୁ ଅସାମାଜିକ ତଥା ଅପରାଧିକ ମାମଲାରେ ଜଡିତ ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି ନିର୍ବାଚନ କମିଶନର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking