ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ଆଜି ପୁଣିଥରେ ଏକ ଚିଠି ଲେଖାଯାଇ ନ୍ୟାୟପାଳିକାକୁ ଦୁର୍ବଳ କରିବା ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ କରାଯାଇଛି । ରିପୋର୍ଟ ଅନୁସାରେ ୨୧ ଜଣ ଅବସରପ୍ରାପ୍ତ ବିଚାରପତିଙ୍କ ଏକ ପ୍ରତିନିଧି ମଣ୍ଡଳୀ ମିଳିତ ଭାବେ ସିଜେଆଇ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ୍ଙ୍କୁ ଆଡ୍ରେସ୍ କରି ଏକ ଚିଠି ଲେଖିଛନ୍ତି । ନ୍ୟାୟପାଳିକାକୁ ଦୁର୍ବଳ କରିବା ପାଇଁ ବିଭିନ୍ନ ସ୍ତରରେ ହେଉଥିବା ଉଦ୍ୟମ ଉପରେ ଏହି ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି । ପ୍ରକାଶ, ଏହି ୨୧ଜଣ ଅବସରପ୍ରାପ୍ତ ବିଚାରପତିଙ୍କ ମଣ୍ଡଳୀରେ ହାଇକୋର୍ଟର ୧୭ ଜଣ ପୂର୍ବତନ ବିଚାରପତି ଏବଂ ସୁପ୍ରିମକୋର୍ଟର ଚାରିଜଣ ପୂର୍ବତନ ବିଚାରପତି ସାମିଲ ଅଛନ୍ତି । ଏମାନଙ୍କ ଅଭିଯୋଗ ଅନୁସାରେ ସୁଚିନ୍ତିତ ଚାପ, ଭୁଲ ତଥ୍ୟ ଏବଂ ଜନସାଧାରଣଙ୍କ ଅପମାନ ଦ୍ୱାରା ନ୍ୟାୟପାଳିକାକୁ ଦୁର୍ବଳ କରିବା ପାଇଁ ଏହା କେତେକ ନ୍ୟସ୍ତବାସୀ ଗୋଷ୍ଠୀଙ୍କ ଦ୍ୱାରା ବାରମ୍ବାର ପ୍ରୟାସ କରାଯାଉଛି । ଜନସାଧାରଣଙ୍କ ମଧ୍ୟରେ ନ୍ୟାୟବ୍ୟବସ୍ଥା ପ୍ରତି ଏକପ୍ରକାର ଅବିଶ୍ୱାସ ସୃଷ୍ଟି କରିବା ପାଇଁ ଏହି ନ୍ୟସ୍ତବାଦୀ ଗୋଷ୍ଠୀ ନିୟମିତ ଭାବେ ଚେଷ୍ଟା ଚଳାଇଛନ୍ତି । ସୁତରାଂ ଦେଶର ନ୍ୟାୟବ୍ୟବସ୍ଥାକୁ ସୁରକ୍ଷିତ କରାଯିବାର ଆବଶ୍ୟକତା ରହିଛି ବୋଲି ଏମାନେ ଚିଠିରେ ଉଲ୍ଲେଖ କରିଛନ୍ତି ।
ଯଦିଓ ଏହି ଅବସରପ୍ରାପ୍ତ ବିଚାରପତିମାନେ କୌଣସି ଏକ ନିର୍ଦ୍ଦିଷ୍ଟ ଘଟଣା କିମ୍ବା ବିଷୟବସ୍ତକୁ ନିଜ ଚିଠିରେ ଉଲ୍ଲେଖ କରିନାହାନ୍ତି, ତେବେ ସେମାନେ ଏପରି ଏକ ସମୟରେ ସିଜେଆଇଙ୍କୁ ଚିଠି ଲେଖି ନ୍ୟାୟପାଳିକା ବିପଦରେ ଥିବା ସମ୍ପର୍କରେ ଅଭିଯୋଗ କରିଛନ୍ତି ଯେତେବେଳେ କି ବିରୋଧୀ ଦଳ ଏବଂ ଶାସକ ଦଳ ମଧ୍ୟରେ ଏବେ ବିରୋଧୀ ଦଳ ନେତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଉଥିବା ଘଟଣାକୁ ନେଇ ବାକ୍ଯୁଦ୍ଧ ଜାରି ରହିଛି । ବିରୋଧୀ ଦଳଙ୍କ ଅଭିଯୋଗ ଯେ, ସରକାର ନ୍ୟାୟପାଳିକାଙ୍କୁ ମଧ୍ୟ ନିଜ ହିସାବରେ ପରିଚାଳିତ କରୁଛନ୍ତି । ଏପ୍ରକାର ଅଭିଯୋଗର କୌଣସି ଯଥାର୍ଥତା ନଥିଲେ ମଧ୍ୟ ଏହା ଜନସାଧାରଣଙ୍କ ମଧ୍ୟରେ ନ୍ୟାୟପାଳିକା ପ୍ରତି ଏକ ନକରାତ୍ମକ ମନୋଭାବ ସୃଷ୍ଟି କରୁଛି ବୋଲି ଦୀପକ ବର୍ମା, କ୍ରିଷ୍ଣା ମୁର।।ରୀ, ଦିନେଶ ମାହେଶ୍ୱରୀ ଏବଂ ଏମ୍ଆର ଶାହାଙ୍କ ଭଳି ୨୧ ଅବସରପ୍ରାପ୍ତ ବିଚାରପତିମାନେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ଚିଠିରେ କୁହାଯାଇଛି ଯେ, ଯେଉଁମାନେ ଏପରି କରୁଛନ୍ତି ସେମାନେ ନ୍ୟାୟପାଳିକାକୁ ଦୁର୍ବଳ କରିବା ଏବଂ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ଏବଂ ବ୍ୟକ୍ତିଗତ ଲାଭ ପାଇଁ ନ୍ୟାୟ ବ୍ୟବସ୍ଥାରେ ଜନସାଧାରଣଙ୍କ ଆତ୍ମବିଶ୍ୱାସ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ କହିଛନ୍ତି ଯେ ନ୍ୟାୟପାଳିକା ଗଣତନ୍ତ୍ରର ଏକ ବିଶ୍ୱସ୍ତ ସ୍ତମ୍ଭ ହୋଇ ରହିବା ଅତ୍ୟନ୍ତ ଜରୁରୀ ।