34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଇତିହାସରେ ପ୍ରଥମ ଥର ପାଇଁ ନିଜ ଦୁର୍ବଳତା ଦେଖାଇଲା କଂଗ୍ରେସ; ୪୦୦ରୁ କମ୍ ଆସନରେ ଦେଇଛି...

ଇତିହାସରେ ପ୍ରଥମ ଥର ପାଇଁ ନିଜ ଦୁର୍ବଳତା ଦେଖାଇଲା କଂଗ୍ରେସ; ୪୦୦ରୁ କମ୍ ଆସନରେ ଦେଇଛି ପ୍ରାର୍ଥୀ

ନୂଆଦିଲ୍ଲୀ: ଇତିହାସରେ ପ୍ରଥମ ଥର ପାଇଁ ନିଜ ଦୁର୍ବଳତା ଦେଖାଇଛି କଂଗ୍ରେସ । ଦେଶର ସର୍ବବୃହତ୍ ଦଳ କଂଗ୍ରେସ ପ୍ରଥମ ଥର ପାଇଁ ୪୦୦ରୁ କମ୍ ଆସନରେ ଏଥର ଲୋକସଭା ନିର୍ବାଚନ ଲଢ଼ୁଛି । ଏପ୍ରକାର ଏକ ଚର୍ଚ୍ଚା ଏବେ ୨୦୨୪ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଜୋର ଧରିଛି । ତେବେ କଂଗ୍ରେସ ପକ୍ଷରୁ ଏନେଇ କୌଣସି ଅଫିସିଆଲ ବିବୃତି ଜାରି କରାଯାଇନାହିଁ । କେବଳ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସାମ୍ନାକୁ ଆସିଥିବା ସୂଚନା ଆଧାରରେ ଏସବୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ତେବେ ଯଦି ଏପ୍ରକାର ଚର୍ଚ୍ଚାରେ ସାମାନ୍ୟତମ ସତ୍ୟତା ଥାଏ ତେବେ ଏହା କଂଗ୍ରେସର ଦୁର୍ବଳତା ନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ବିରୋଧୀ ଦଳଙ୍କୁ ସାଙ୍ଗରେ ନେବାକୁ ଯାଇ ଆସନ ଭାଗବଣ୍ଟାଜନିତ ଏକ ଦଳୀୟ ରଣନୀତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ମିଳିଥିବା ସୂଚନାନୁସାରେ କଂଗ୍ରେସ ଏହାର ନିର୍ବାଚନ ଇତିହାସରେ ସର୍ବନିମ୍ନ ସଂଖ୍ୟକ ଆସନରେ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ । କଂଗ୍ରେସ ଏଥର ୩୫୦ରୁ ମଧ୍ୟ କମ୍ ଆସନରେ ପ୍ରାର୍ଥୀ ଦେବ । କଂଗ୍ରେସ ସମର୍ଥିତ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ୨୦୨୪ ଲୋକସଭା ନିର୍ବାଚନରେ ଦଳ ମୋଟ୍ ୩୩୦ରୁ ୩୪୦ଟି ଆସନରେ ପ୍ରାର୍ଥୀ ଦେବାକୁ ଚିନ୍ତା କରୁଛି । ଏପରି ହେଲେ ଭାରତୀୟ ନିର୍ବାଚନୀ ଇତିହାସରେ ପ୍ରଥମ ଥର ପାଇଁ କଂଗ୍ରେସ ୪୦୦ରୁ କମ୍ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ପ୍ରକାଶ, କଂଗ୍ରେସ ଏପର୍ଯ୍ୟନ୍ତ ମୋଟ୍ ୨୬୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ।
ଏହାପୂର୍ବରୁ କଂଗ୍ରେସ ଶେଷଥର ପାଇଁ ୨୦୦୪ରେ ସର୍ବନିମ୍ନ ସଂଖ୍ୟକ ଅର୍ଥାତ୍ ୪୧୭ ଆସନରେ ଲୋକସଭା ନିର୍ବାଚନ ଲଢ଼ିଥିଲା । ସେହିପରି ୨୦୦୯ ଲୋକସଭା ନିର୍ବାଚନରେ ୪୪୦ ପ୍ରାର୍ଥୀ ଦେଇଥିଲା ଦଳ । ଏତଦ୍‌ବ୍ୟତୀତ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ମୋଟ୍ ୪୨୧ ସଂଖ୍ୟକ ପ୍ରାର୍ଥୀ ଦେଇଥିବା ବେଳେ ଏଥିମଧ୍ୟରୁ ମୋଟ୍ ୧୯୦ଟି ଆସନରେ କଂଗ୍ରେସ-ବିଜେପି ପ୍ରତ୍ୟକ୍ଷ ଲଢ଼େଇ ଦେଖିବାକୁ ମିଳିଥିଲା । ସେହିପରି ୨୦୧୪ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ମୋଟ୍ ୪୬୩ ସଂଖ୍ୟକ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଏଥିମଧ୍ୟରୁ ୨୦୦ ଆସନରେ ବିଜେପିକୁ କଡା ଚ୍ୟାଲେଞ୍ଜ୍ ଦେଇଥିଲା । ତେବେ କଂଗ୍ରେସ ଏଥର ୩୫୦ରୁ ମଧ୍ୟ କମ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ବେଳେ ୨୫୦ରୁ ଅଧିକ ଆସନରେ ବିଜେପି ସହ ସିଧାସଳଖ ଲଢ଼େଇରେ ଆମ୍ନାସାମ୍ନା କରିବ ବୋଲି ଅନୁମାନ କରାଯାଉଛି ।
୧୯୫୧-୫୨ରେ ଦେଶରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଲୋକସଭା ନିର୍ବାଚନ ଠାରୁ ଆରମ୍ଭ କରି ୨୦୧୯ ବର୍ଷ ପର୍ଯ୍ୟନ୍ତ ଭାରତରେ ଅନୁଷ୍ଠିତ ୧୭ତମ ଲୋକସଭା ନିର୍ବାଚନରେ କଂଗ୍ରେସ କେବେବି ୪୦୦ରୁ କମ୍ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିନଥିଲା । ଦେଶରେ ଆଜି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ମୋଟ୍ ୧୭ଟି ଲୋକସଭା ନିର୍ବାଚନ ମଧ୍ୟରୁ ୧୯୯୬ରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ସମୟରେ କଂଗ୍ରେସ ସର୍ବାଧିକ ୫୨୯ ପ୍ରାର୍ଥୀ ଦେଇଥିଲା । ଏହାପରେ ଅବଶ୍ୟ କଂଗ୍ରେସ ଆସନ ସଂଖ୍ୟାରେ ସାମାନ୍ୟ ହ୍ରାସ କରିଥିଲା କିନ୍ତୁ ୪୦୦ରୁ ୫୦୦ ମଧ୍ୟରେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆସନ ସଂରକ୍ଷିତ ରଖୁଥିବାର ଦେଖିବାକୁ ମିଳିଆସୁଥିଲା । କିନ୍ତୁ ପ୍ରଥମ ଥର ପାଇଁ ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ନିଜ ପ୍ରାର୍ଥୀଙ୍କ ସଂଖ୍ୟା ୩୫୦ ମଧ୍ୟରେ ସୀମିତ ରଖିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking