29.1 C
Bhubaneswar
Monday, May 6, 2024
Homeଅପରାଧରାଜଧାନୀରେ ଚାଞ୍ଚଲ୍ୟ: ଶଯ୍ୟାଶାୟୀ ବୃଦ୍ଧାଙ୍କୁ ହାଣି ହତ୍ୟା

ରାଜଧାନୀରେ ଚାଞ୍ଚଲ୍ୟ: ଶଯ୍ୟାଶାୟୀ ବୃଦ୍ଧାଙ୍କୁ ହାଣି ହତ୍ୟା

ଭୁବନେଶ୍ୱର: ମଙ୍ଗଳବାର ସନ୍ଧ୍ୟାରେ ଭରତପୁର ଥାନା ଖଣ୍ଡଗିରିବାରି ବସ୍ତିରେ ଘଟିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ। ସପ୍ତାହକ ତଳେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ଘରେ ଶଯ୍ୟାଶାୟୀ ଥିବା ଜଣେ ବୃଦ୍ଧାଙ୍କ ବେକକୁ ହାଣି କେହି ଦୁର୍ବୃତ୍ତ ବୀଭତ୍ସ ଭାବେ ହତ୍ୟା କରିଛି। ମୃତା ମହିଳା ହେଲେ ଗଞ୍ଜାମ ବେଲଗୁଣ୍ଠା ଅଞ୍ଚଳର ମଦା ପଲେଇ(୬୦)। ବଡ଼ କଥା ହେଉଛି, ମଦାଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ଘରର ଚଟାଣରେ ବେହୋସ ଅବସ୍ଥାରେ ମିଳିଛନ୍ତି ବୋହୂ ବୈଶାଖୀ। ବୈଶାଖୀଙ୍କୁ ସାମାନ୍ୟ ଆହତ କରି ବୃଦ୍ଧା ମଦାଙ୍କୁ ଏଭଳି ନିର୍ମମଭାବେ କିଏ, କାହିଁକି ହତ୍ୟାକଲା, ତାହା ରହସ୍ୟ ହୋଇ ରହିଛି। ଭରତପୁର ଥାନା ପୁଲିସ ବୈଶାଖୀଙ୍କୁ ଏମ୍‌ସରେ ଭର୍ତ୍ତି କରିଥିବା ବେଳେ ମଦାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗରେ ତଦନ୍ତ ଆରମ୍ଭ କରିଛି। କିନ୍ତୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିସାରିଥିଲେ ବି ପୁଲିସ ହତ୍ୟାକାଣ୍ଡ ପଛରେ ଥିବା ରହସ୍ୟର ପର୍ଦ୍ଦାଫାସ୍ କରିପାରିନାହିଁ। କେହି ଲୁଟେରା ଏଭଳି କାଣ୍ଡ ଭିଆଇଥିବା କୁହାଯାଉଥିଲେ ବି ସହଜରେ ଗ୍ରହଣୀୟ ହେଉନାହିଁ। ଜଣେ ଶଯ୍ୟାଶାୟୀ ବୃଦ୍ଧାଙ୍କୁ ହାଣିଦେବା ଓ ସୁସ୍ଥ ସବଳ ବୋହୂକୁ ସାମାନ୍ୟ ଆଘାତ କରି ଛାଡ଼ିଯିବା ଭଳି କାଣ୍ଡ କୌଣସି ଲୁଟେରା କରିବ ବୋଲି କେହି ବିଶ୍ବାସ ନ କରିବା ସ୍ବାଭାବିକ। ବୃଦ୍ଧା ମଦାଙ୍କୁ ହତ୍ୟା କରିବା ପଛରେ କିଛି ବଡ଼ଧରଣର ଅଭିସନ୍ଧି ରହିଛି ବୋଲି ଜଳଜଳ ହୋଇ ଦେଖାଯାଉଛି। ତେବେ ପୁଲିସ ଖୁବ୍‌ ଶୀଘ୍ର ହତ୍ୟାକାରୀକୁ ଠାବ କରିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି।ସୂଚନା ମୁତାବକ ସବୁଦିନ ଭଳି ମଙ୍ଗଳବାର ସକାଳୁ ସକାଳୁ ମୃତା ମଦାଙ୍କ ବଡ଼ପୁଅ ରବୀନ୍ଦ୍ର ଗାଡ଼ି ଚଳାଇବା ପାଇଁ ଘରୁ ବାହାରି ଯାଇଥିଲେ। ପତ୍ନୀ ବୈଶାଖୀ, ସାନ ଭାଇ ମଣ୍ଟୁ ଓ ମା’ ମଦା ଘରେ ଥିଲେ। ରାତି ପାଖାପାଖି ସାଢ଼େ ୭ଟା ସମୟରେ ମଣ୍ଟୁ ମା’ଙ୍କ ଔଷଧ ଆଣିବା ପାଇଁ ନିକଟସ୍ଥ ମେଡିସିନ୍‌ ଷ୍ଟୋରକୁ ଯାଇଥିଲେ। ସେ ଔଷଧ ନେଇ ଫେରିବା ବେଳକୁ ମା’ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଛଣାରେ ପଡ଼ିଥିବା ବେଳେ ଓ ଭାଉଜ ଚଟାଣରେ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ମା’ ଓ ଭାଉଜଙ୍କ ଅବସ୍ଥା ଦେଖି ମଣ୍ଟୁ ଚିତ୍କାର କରି ପାଖ ପଡ଼ୋଶୀମାନଙ୍କୁ ଡାକିଥିଲେ। ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସିବା ସହ ଭରତପୁର ଥାନାକୁ ଫୋନ୍‌ କରି ଜଣାଇଥିଲେ। ଖବର ପାଇ ଭରତପୁର ଥାନା ପୁଲିସ, ସାଇଣ୍ଟିଫିକ୍‌ ଟିମ୍‌ ସହ ସେଠାରେ ପହଞ୍ଚିଥିଲା। ବସ୍ତିବାସିନ୍ଦାଙ୍କ ସୂଚନା ମୁତାବକ ସେମାନେ ମଣ୍ଟରୁ ପାଟି ଶୁଣି ସେଠାକୁ ଆସିବା ପରେ ହତ୍ୟାକାଣ୍ଡ ବାବଦରେ ଜାଣିବାକୁ ପାଇଥିଲେ। ଏମିତିକି ସେମାନେ ତାଙ୍କ ଘର ଭିତରୁ କୌଣସି ଶବ୍ଦ ଶୁଣିନଥିବା କହିଛନ୍ତି। ସନ୍ଧ୍ୟା ବେଳଟାରେ ସାହି ଭିତରେ ଲୋକଙ୍କର ବେଶ୍‌ ଗହଳଚହଳ ଲାଗି ରହିଥିଲେ ବି କେହି କୌଣସି ସନ୍ଦିଗ୍ଧକୁ ଯିବା କିମ୍ବା ଆସିବାର ଦେଖିନାହାନ୍ତି। ତେଣୁ କେହି ଦୁର୍ବୃତ୍ତ ଛକି ରହିଥିଲା ଏବଂ ମଣ୍ଟୁଙ୍କ ଘରୁ ବାହାରକୁ ଯିବା ପରେପରେ ଘରକୁ ପଶି ଏହି କାଣ୍ଡ କରିଛି। ବୈଶାଖୀଙ୍କୁ ମାରିବା ତା’ର ଲକ୍ଷ୍ୟ ନଥିବାରୁ, ସେ ତାଙ୍କୁ କେବଳ ସଂଜ୍ଞାହୀନ କରିବା ପରେ ବୃଦ୍ଧା ମଦାକୁ ମାରି ଫେରାର୍ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking