37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶହିନ୍ଦୁ ବିବାହରେ ସପ୍ତପଦୀ ବିଧି ନ ହୋଇଥିଲେ ବିବାହ ହେବ ଅମାନ୍ୟ: ସୁପ୍ରିମକୋର୍ଟ

ହିନ୍ଦୁ ବିବାହରେ ସପ୍ତପଦୀ ବିଧି ନ ହୋଇଥିଲେ ବିବାହ ହେବ ଅମାନ୍ୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହିନ୍ଦୁ ବିବାହ କୌଣସି ନାଚ-ଗୀତ କି ଖିଆ-ପିଆ କାର୍ଯ୍ୟକ୍ରମ କିମ୍ବା ବ୍ୟବସାୟିକ କାରବାର ନୁହଁ । ଆବଶ୍ୟକୀୟ ବିଧିବଦ୍ଧ ସଂସ୍କାର ଅଭାବରୁ ଏପରି ବିବାହକୁ ମାନ୍ୟତା ମିଳିବ ନାହିଁ । ଏଭଳି ଚକିତ କରିବା ଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ବି ଭି ନାଗରତ୍ନା ଓ ଅଗଷ୍ଟିନ ଜର୍ଜ ମାସିହଙ୍କ ଖଣ୍ଡପୀଠ କହିଛନ୍ତି ଯେ ହିନ୍ଦୁ ବିବାହ ଏକ ସଂସ୍କାର ଅଟେ, ଯାହାକୁ ଯଥା ବିଧି ମାନ୍ୟତା ପୂର୍ବକ କରାଯିବା ଆବଶ୍ୟକ କାରଣ ଏହାର ଭାରତୀୟ ସମାଜରେ ଉଚ୍ଚ ମୂଲ୍ୟବୋଧ ରହିଛି ।

କୌଣସି ବିଧି ପୂର୍ବକ ହିନ୍ଦୁ ବିବାହ ନ କରି ଏକ ପାଇଲଟ ଦମ୍ପତ୍ତିଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି ବେଳେ କୋର୍ଟର ଖଣ୍ଡପୀଠ ଯୁବବର୍ଗଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ବିବାହ ଭଳି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନରେ ପ୍ରବେଶ କରିବା ପୂର୍ବରୁ ଗଭୀର ଅନୁଚିନ୍ତନ କରିବା ଆବଶ୍ୟକ । ଏହା କେଉଁ ଭଳି ଭାରତୀୟ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ତାହାକୁ ହୃଦୟଙ୍ଗମ କରିବା ଆବଶ୍ୟକ । ବିବାହ ଏକ ନାଚ ଗୀତର ଆସର ନୁହେଁ କିମ୍ବା ଯୌତୁକ ଦିଆ ନିଆର ଅବସର ନୁହେଁ ଯାହା ପରବର୍ତ୍ତୀ ସମୟରେ ଅପରାଧକୁ ଜନ୍ମ ଦେବା ସମ୍ଭାବନା ରହିଥାଏ । ବିବାହ ଜଣେ ପୁରୁଷ ଓ ନାରୀ ମଧ୍ୟରେ ପ୍ରତିଷ୍ଠା ସମ୍ପର୍କକୁ ପତି-ପତ୍ନୀର ମାନ୍ୟତା ଦେବାର ମାଧ୍ୟମ ।

ଯାହା ଭାରତୀୟ ସମାଜର ମୌଳିକ ଏକକ ପରିବାରକୁ ପରିପୃଷ୍ଟ କରିବାରେ ସହାୟକ ହୋଇଥାଏ ବୋଲି ଖଣ୍ଡପୀଠ କହିଛନ୍ତି । ବିବାହ ଏକ ପବିତ୍ର ଅନୁଷ୍ଠାନ ହୋଇଥିବାରୁ ଏହା ଦୁଇଜଣଙ୍କ ମଧ୍ୟରେ ଆଜୀବନ, ସମ୍ମାନଯୁକ୍ତ, ସମାନତା, ସହମତି ଏବଂ ସୁସ୍ଥ ମିଳନର ଅବସର ଯୋଗାଇଥାଏ । ବିବାହ ପରିବାର ବୃଦ୍ଧି ପାଇଁ ପ୍ରଯୁଜ୍ୟ ହୋଇଥିବା ବେଳେ କୁଳ କୁଟୁମ୍ବ ମଧ୍ୟରେ ପାରସ୍ପରିକ ସହଯୋଗିତା ଓ ସଦଭାବନାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ପୂର୍ବୋକ୍ତ ଛାଡପତ୍ର ମାମଲା ଆଧାରରେ କୋର୍ଟର ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ହିନ୍ଦୁ ବିବାହ ଆଇନ ଅନୁସାରେ ଜଣେ ପୁରୁଷ ଓ ମହିଳା ଉପଯୁକ୍ତ ଭାବେ ବିବାହ ନକରି ସ୍ୱାମୀ ସ୍ତ୍ରାୀର ମାନ୍ୟତା ପାଇବାକୁ ଚାହୁଁଥିବା ଅଭ୍ୟାସ ଓ ଆବେଦନକୁ ଆମେ ଖାରଜ କରୁଛୁ । ଗତ ଏପ୍ରିଲ ୧୯ ତାରିଖର ଆଦେଶ ଅନୁସାରେ କୋର୍ଟ କହିଛନ୍ତି ଯେ ହିନ୍ଦୁ ବିବାହକୁ ମାନ୍ୟ ବୋଲି ବିବେଚନା କରିବା ପାଇଁ ପାରମ୍ପରିକ ସପ୍ତପଦୀ ବିଧିକୁ ଅତ୍ୟାବଶ୍ୟକ ବୋଲି ଧରାଯାଇଛି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ହିନ୍ଦୁ ବିବାହ ଏକ ପବିତ୍ର ସମାରୋହ ।

ଋକ୍‌ ବେଦ ଅନୁସାରେ ପତି ପତ୍ନୀ ମଧ୍ୟରେ ସପ୍ତପଦୀ ରୀତିନୀତି ସମ୍ପନ୍ନ ହେବା ପରେ ଯଥାବିଧି ନିଜର ଜୀବନ ସାଥୀ ଭାବେ ଦାୟିତ୍ୱ ଗ୍ରହଣ କରିଥାନ୍ତି । ବିବାହ ଏକ ନୂତନ ପରିବାର ପାଇଁ ମୂଳଦୁଆ ପକାଇବା ସହ ବିବାହରେ “ଅର୍ଦ୍ଧେକ” ଭଳି କିଛି ନାହିଁ କିନ୍ତୁ ପତି-ପତ୍ନୀ ପରସ୍ପର ପରିପୂରକ ସମାନ ଅଧା ଅଟନ୍ତି ବୋଲି କୋର୍ଟ ରାୟ ପ୍ରକାଶ କରିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ ୧୮ ମେ ୧୯୫୫ ମସିହାରେ ହିନ୍ଦୁ ବିବାହ ଆଇନ କାର୍ଯ୍ୟକାରୀ ହେବା ପରେ କେବଳ ହିନ୍ଦୁ ନୁହଁ ବରଂ ଲିଙ୍ଗାୟତ, ବ୍ରହ୍ମସମାଜ, ଆର୍ଯ୍ୟ ସମାଜ , ବୌଦ୍ଧ, ଜୈନ ଓ ଶିଖ ସମ୍ପ୍ରଦାୟ ମଧ୍ୟରେ ବିବାହ ଅନୁଷ୍ଠାନ ମଧ୍ୟ ହିନ୍ଦୁତ୍ୱର ବିଶାଳ ପରିଭାଷାର ଅନ୍ତର୍ଗତରେ ଆସୁଛନ୍ତି । ସମ୍ବିଧାନର ଧାରା ୧୪୨ ଅନୁଯାୟୀ ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ସୁପ୍ରିମ କୋର୍ଟ କହିଛନ୍ତି ଯେ ପାଇଲଟ ଦମ୍ପତି ବିନା ଯଥାବିଧି ମୁତାବକ ବିବାହ ନ କରି ହାତେଇଥିବା ବିବାହ ପ୍ରମାଣପତ୍ରକୁ ଅବୈଧ ଓ ଖାରଜ କରିଛନ୍ତି । ଏହାସହ ସେମାନଙ୍କ ଛାଡପତ୍ର ପ୍ରକ୍ରିୟାକୁ ବନ୍ଦ କରି ସ୍ୱାମୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଏକ ଯୌତୁକ ମାମଲା ଦାୟର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking