31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶବମ୍ବେ ହାଇକୋର୍ଟଙ୍କ ରାୟ: ମହାରାଷ୍ଟ୍ରର ଏକନାଥ ସିନ୍ଦେ ଗୋଷ୍ଠୀକୁ ଶକ୍ତ ଧକ୍କା

ବମ୍ବେ ହାଇକୋର୍ଟଙ୍କ ରାୟ: ମହାରାଷ୍ଟ୍ରର ଏକନାଥ ସିନ୍ଦେ ଗୋଷ୍ଠୀକୁ ଶକ୍ତ ଧକ୍କା

ଶିବାଜୀ ପାର୍କରେ ଦଶହେରା ରାଲି କରିବେ ଉଦ୍ଧବ ଗୋଷ୍ଠୀ
ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ଦଶହେରା ରାଲି ସଂପର୍କୀତ ମାମଲାରେ ବମ୍ବେ ହାଇକୋର୍ଟଙ୍କ ରାୟରେ ଶିବସେନାର ଏକନାଥ ସିନ୍ଦେ ଗୋଷ୍ଟୀକୁ ଶକ୍ତ ଧକ୍କା ଲାଗିଛି । ବମ୍ବେ ହାଇକୋର୍ଟଙ୍କ ରାୟ ପରୋକ୍ଷରେ ପ୍ରମାଣ କରିଦେଇଛି ଯେ ଉଦ୍ଧବ ଠାକରେ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ଦଳ । ସୁପ୍ରିମ କୋର୍ଟରେ ଏ ସଂପର୍କୀତ ମାମଲା ବିଚାରାଧିନ ଥିଲା ବେଳେ ବମ୍ବେ ହାଇକୋର୍ଟଙ୍କ ଏହି ରାୟ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି କୁହାଯାଉଛି । ବମ୍ବେ ହାଇକୋର୍ଟ ଉଦ୍ଧବ ଠାକ୍‌ରେ ନେତୃତ୍ୱାଧିନ ଶିବସେନା ଗୋଷ୍ଠୀକୁ ଶିବାଜୀ ପାର୍କରେ ଦଶହେରା ରାଲି କରିବାକୁ ଅନୁମତି ଦେଇଛନ୍ତି । ଏହି ମାମଲାରେ ସିନ୍ଦେ ଗୋଷ୍ଠୀର ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ମୁମ୍ବାଇର ଶିବାଜୀ ପାର୍କରେ ଶିବସେନା ୧୯୬୬ ମସିହାରୁ ଦଶହେରା ରାଲି କରିଆସୁଛି । ପ୍ରତିବର୍ଷ ଦଶହେରା ସମୟରେ ଏହି ରାଲି ଅନୁଷ୍ଠିତ ହେଉଥିଲେ ମଧ୍ୟ ଏହା ଏକ ରାଜନୈତିକ ରାଲି । ଶିବସେନା ଏହି ରାଲି ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିଥାଏ । ୨୦୨୦ ଓ ୨୦୨୧ରେ କୋଭିଡ ଯୋଗୁଁ ଏହି ରାଲି ହୋଇପାରି ନଥିଲା । ଚଳିତ ବର୍ଷର ଦଶହେରା ପୂର୍ବରୁ ଶିବସେନାରେ ବିଭାଜନ ଘଟିଛି । ତେଣୁ ଗୋଷ୍ଠୀ ଶିବାଜୀ ପାର୍କରେ ଦଶହେରା ରାଲି କରିବ ତାହାକୁ ନେଇ ବିବାଦ ଲାଗି ରହିଥିଲା । ଉଭୟ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ଶିବାଜୀ ପାର୍କରେ ଦଶହେରା ରାଲି କରିବାକୁ ବ୍ରିହାନ୍‌ମୁମ୍ବାଇ ମହାନଗର ନିଗମ (ବିଏମ୍‌ସି)କୁ ଆବେଦନ କରିଥିଲେ ।

କିନ୍ତୁ ମହାନଗର ନିଗମ ଆଇନ ଶୃଂଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାରେ କୌଣସି ଗୋଷ୍ଠୀକୁ ଦଶହେରା ରାଲି ପାଇଁ ଅନୁମତି ଦେଇନଥିଲେ । ପରେ ସିନ୍ଦେ ଗୋଷ୍ଠୀକୁ ବାନ୍ଦ୍ରା କୁର୍ଲା କମ୍ପେ୍ଳକ୍ସ ଗ୍ରାଉଣ୍ଡରେ ଦଶହେରା ରାଲି କରିବାକୁ ଅନୁମତି ମିଳିଥିଲା । ବ୍ରିହାନ୍‌ମୁମ୍ବାଇ ମହାନଗର ନିଗମର ନିଷ୍ପତ୍ତିକୁ ଉଦ୍ଧବ ଠାକରେ ଗୋଷ୍ଠୀ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ବିଏମ୍‌ସିର ଏଭଳି ନିଷ୍ପତ୍ତି ଆଇନ ଓ ବାସ୍ତବତାର ବିରୁଦ୍ଧାଚରଣ କରୁଛି ବୋଲି ଉଦ୍ଧବ ଠାକରେ ଗୋଷ୍ଠୀ ଯୁକ୍ତି ଦର୍ଶାଇଥିଲେ । ଅନ୍ୟପକ୍ଷରେ ସିନ୍ଦେ ଗୋଷ୍ଠୀର ଦାଦର ବିଧାୟକ ସଦା ସରଭଙ୍କର ଏହି ମାମଲାରେ ଏକ ପିଟିସନ ଦାଖଲ କରି କହିଥିଲେ ଯେ ଉଦ୍ଧବ ଠାକରେ ଗୋଷ୍ଠୀ ଏଭଳି ଏକ ମାମଲା ଜରିଆରେ ସେମାନେ ପ୍ରକୃତ ଶିବସେନା ଦଳ ବୋଲି ପ୍ରମାଣ କରିବାକୁ ଉଦ୍ୟମ କରୁଛନ୍ତି ।

ଏ ସଂପର୍କରେ ମାମଲା ସୁପ୍ରିମ କୋର୍ଟରେ ବିଚାରାଧିନ ଥିବା ବେଳେ ହାଇକୋର୍ଟ ଦଶହେରା ରାଲି ସଂପର୍କୀତ ମାମଲାରେ କୌଣସି ରାୟ ଦେବା ଉଚିତ ହେବ ନାହିଁ । କିନ୍ତୁ ହାଇକୋର୍ଟ ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିଲା ପରେ ଠାକରେ ଗୋଷ୍ଠୀକୁ ଶିବାଜୀ ପାର୍କରେ ଦଶହେରା ରାଲି କରିବାକୁ ଅନୁମତି ଦେଇଛନ୍ତି ଏବଂ ସିନ୍ଦେ ଗୋଷ୍ଠୀର ଆବେଦନକୁ ଖାରଜ କରିଦେଇଛନ୍ତି । ରାୟ ପ୍ରକାଶ ପରେ ଠାକ୍‌ରେ ଗୋଷ୍ଠୀ କହିଛନ୍ତି ଯେ ନ୍ୟାୟାଳୟ ଉପରେ ସେମାନଙ୍କର ବିଶ୍ୱାସ ଥିଲା ଓ ରହିଛି । ପ୍ରତିବର୍ଷ ଦଶହେରା ରାଲି ‘ଶିବ-ତୀର୍ଥ’ ଭାବରେ ଶିବାଜୀ ପାର୍କରେ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ସିନ୍ଦେ ଗୋଷ୍ଠୀ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ ଏବଂ ବିଜେପି ସେମାନଙ୍କୁ ସହଯୋଗ କରିଥିଲା ବୋଲି ସେନାର ସଚିବ ବିନାୟକ ରାଉତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking