28.1 C
Bhubaneswar
Friday, April 26, 2024
Homeଓଡିଶାରାଷ୍ଟ୍ରପତି ନିର୍ବାଚନକୁ ନେଇ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

ରାଷ୍ଟ୍ରପତି ନିର୍ବାଚନକୁ ନେଇ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଜାତୀୟ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ସିଧାସଳଖ କୌଣସି ଦଳକୁ ସମର୍ଥନ ଜଣାଇବ ନାହିଁ, ବରଂ ଭଲ ପ୍ରାର୍ଥୀ ଦେଖି ସମର୍ଥନ ଦେବ ବୋଲି ସ୍ପଷ୍ଟକରିଛନ୍ତି ମୁଖ୍ୟମନ୍ତ୍ରୀ । ପାଞ୍ଚଦିନିଆ ଗସ୍ତ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ଯାଇଥିବା ଶ୍ରୀ ପଟ୍ଟନାୟକ ଆଜି ବିଜ୍ଞାନ ଭବନ ଠାରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀରେ ଯୋଗଦେଇଥିଲେ । ଦୁଇମାସ ଭିତରେ ସେ ଦ୍ୱିତୀୟ ଥର ଲାଗି ନୂଆଦିଲ୍ଲୀ ଗସ୍ତ କରିଥିବାରୁ, ଏହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ରାଷ୍ଟ୍ରପତି ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଏନ୍‌ଡିଏ ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ, ଅନ୍ୟ ଦଳର ସହଯୋଗ ଲୋଡ଼ାପଡ଼ିବ । ଏପରି ସ୍ଥଳେ ବଡ଼ ରୋଲ୍ ପ୍ଲେ କରିବାକୁ ଯାଉଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ।

ବର୍ତ୍ତମାନ ବିଜେଡିର ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ମିଶାଇ ମୋଟ୍ ୨୧ ଜଣ ସାଂସଦ ରହିଛନ୍ତି । ଏନ୍‌ଡିଏ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆଉ ମାତ୍ର ୧.୨% ଭୋଟ୍ ଦରକାର କରୁଛି । ବର୍ତ୍ତମାନ ବିଜେଡି ପାଖରେ ୩.୨୨% ଭୋଟ୍ ରହିଛି । ଅର୍ଥାତ୍ କେବଳ ନବୀନ ରାଜିହେଲେ, ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଜିତିବା ପକ୍କା । ମାତ୍ର, ଦଳର ପକ୍ଷକୁ ଆଜି ବିଜେଡି ସୁପ୍ରିମୋ ସ୍ପଷ୍ଟ କରିଦେଇଛନ୍ତି । ବିଭିନ୍ନ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ହେବାପରେ, ବିଜେଡି ଭଲ ପ୍ରାର୍ଥୀଙ୍କୁ ଦେଖି ସମର୍ଥନ ଦେବ ବୋଲି ସେ କହିଛନ୍ତି । ତେଣୁ, ଗତଥର ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେଇଥିବା ବିଜେଡି, ଏଥର ଯେ ପୁଣି ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବ, ସେନେଇ କୌଣସି ନିଶ୍ଚିତତା ନାହିଁ । ପ୍ରକାଶ ଯେ ଦେଶର ୭୭୬ ସାଂସଦ ଏବଂ ୪,୧୨୦ ବିଧାୟକ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇଥାନ୍ତି ।

ସେହିଭଳି ୨୦୨୪ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଏନ୍‌ଡିଏ, ୟୁପିଏ ବାହାରେ ଏକ ତୃତୀୟ ସାମ୍ମୁଖ୍ୟ ଗଠନକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି, ସେନେଇ ମଧ୍ୟ ନବୀନ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ ଆମଦଳ ସବୁବେଳେ ନିଜର ସ୍ୱାଧୀନତା ଓ ସ୍ୱତନ୍ତ୍ରତା ବଜାୟ ରଖିଆସିଛି । ଆଗକୁ ମଧ୍ୟ ଏହା ଜାରିରଖିବ । ତେବେ ୨୦୨୪ ନିର୍ବାଚନ ପାଇଁ ଏବେ ବହୁ ସମୟ ଅଛି । ତେଣୁ, ତୃତୀୟ ମେଣ୍ଟ କଥା ଚିନ୍ତା କରିବା ନେଇ ବର୍ତ୍ତମାନ ଉପଯୁକ୍ତ ସମୟ ଆସିନି । ଯେତେବେଳେ ସେ ପ୍ରସଙ୍ଗ ଆସିବ, ଆମେ ଚିନ୍ତା କରିବୁ ବୋଲି କହିଛନ୍ତି ବିଜେଡି ମୁଖିଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking