39.1 C
Bhubaneswar
Friday, April 26, 2024
Homeଓଡିଶା“ଜୀ-ହଜୁର୍‌” କହି ଦସ୍ତଖତ କରି କ୍ୟାବିନେଟ ବୈଠକର ଔପଚାରିକତା ପୂରଣ କରାଯାଉଛି: ରମାରଞ୍ଜନ ବଳିୟାରସିଂହ

“ଜୀ-ହଜୁର୍‌” କହି ଦସ୍ତଖତ କରି କ୍ୟାବିନେଟ ବୈଠକର ଔପଚାରିକତା ପୂରଣ କରାଯାଉଛି: ରମାରଞ୍ଜନ ବଳିୟାରସିଂହ

 ୩୦ମିନିଟର କ୍ୟାବିନେଟ୍ ବୈଠକରେ ୩୨ଟି ପ୍ରସ୍ତାବ ପାରିତ କରି ସମସ୍ତ ନୀତି, ନିୟମକୁ ଜଳାଞ୍ଜଳି ଦେଇଛନ୍ତି ରାଜ୍ୟ ସରକାର
 ରାଜ୍ୟରେ ଆଇନର ଶାସନ ଚାଲୁ ନାହିଁ ବରଂ ବ୍ୟୁରୋକ୍ରେଟ ଶାସନ ଚାଲିଛି
 ରାଜ୍ୟବାସୀଙ୍କୁ କେବଳ ପ୍ରତାରିତ ଓ ପ୍ରଲୋଭିତ କରିବା ଉଦ୍ଦେଶ୍ୟରେ ଗତ କାଲିର ‘ରାଜ୍ୟ କ୍ୟାବିନେଟ୍ ବୈଠକ ଏବଂ ବୈଠକର ନିଷ୍ପତି’
 ସୁନେଲୀ ସ୍ୱପ୍ନରେ ଜନସାଧାରଣଙ୍କୁ ବିଭୋର କରିବା ପାଇଁ ରାଜ୍ୟ ସରକାରଙ୍କ ଅପଚେଷ୍ଟାର ପରଦା ଧୀରେ ଧୀରେ ହଟିବାରେ ଲାଗିଛି
 ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ରାଜ୍ୟବାସିଙ୍କୁ ସୁନେଲୀ ସ୍ୱପ୍ନ ଦେଖାଉଛନ୍ତି ସତ, କିନ୍ତୁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରିନାହାନ୍ତି
ଭୁବନେଶ୍ୱର,  : ମୋଦୀ ସରକାରଙ୍କ ଜନହିତକାରୀ, କଲ୍ୟାଣକାରୀ ଯୋଜନା ଜରିଆରେ ପର୍ଯ୍ୟାପ୍ତ ପରିମାଣର ସହାୟତା ରାଶି ଓଡ଼ିଶାକୁ ଦିଆଯାଉଥିଲେ ମଧ୍ୟ ତାହା ଲୋକଙ୍କ ଜ୍ଞାନ୍ତ ଆଢ଼ୁଆଳରେ ରଖି ନିଜ ନାଁରେ ରାଜ୍ୟ ସରକାର ପ୍ରଚାର କରୁଛନ୍ତି । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ପ୍ରଚାର ପ୍ରସାର କରିବା ସହ କେନ୍ଦ୍ରର ଲୋଗୋକୁ ଉଠାଇ ନିଜ ନାଁରେ ବ୍ରାଣ୍ଡିଂ କରି ଲୋକଙ୍କୁ ଠକୁଛନ୍ତି । ମହିଳା ସଶକ୍ତିକରଣ, ପାନୀୟ ଜଳ ଯୋଗାଣ, ଜଳସେଚନ, କୃଷିର ଉନ୍ନତି ପାଇଁ ମୋଦି ସରକାର କୋଟି କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାର ତାହାର ସଦବିନିଯୋଗ କରିବାରେ ବିଫଳ ହୋଇଛନ୍ତି । ଗତ କାଲି ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ମାତ୍ର ୩୦ମିନିଟ ପାଇଁ ହୋଇଥିଲା ଏହି ଅବଧିରେ ଗୁରୁତ୍ୱପୂର୍ଣ୍ଣ ୩୨ଟି ପ୍ରସଙ୍ଗ ଉପସ୍ଥାପନା କରି ସମସ୍ତ ନୀତି, ନିୟମକୁ ଜଳାଞ୍ଜଳି ଦିଆଯାଇଛି । କେବଳ “ଜୀ-ହଜୁର” କହି ଦସ୍ତଖତ କରି କ୍ୟାବିନେଟ ବୈଠକର ଔପଚାରିକତା ପୂରଣ କରାଯାଉଛି । ମନ୍ତ୍ରୀ ପରିଷଦର ସଦସ୍ୟଙ୍କୁ ଯଥେଷ୍ଟ ଆଗରୁ କୌଣସି ସୂଚନା ନଦେଇ ଅତ୍ୟନ୍ତ ତରବରିଆଭାବେ ପ୍ରଶାସନିକ ବାବୁମାନଙ୍କ ଦ୍ୱାରା ପ୍ରସ୍ତୁତ ଦସ୍ତାବିଜକୁ କ୍ୟାବିନେଟ୍ ମୋହର ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ଯୋଜନା ବା କେନ୍ଦ୍ରୀୟ ଅନୁଦାନ ସମ୍ପର୍କରେ କ୍ୟାବିନେଟ ବୈଠକରେ କୌଣସି ସୂଚନା ନରଖିବା ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟରେ ଆଇନର ଶାସନ ଚାଲୁ ନାହିଁ ବରଂ ବ୍ୟୁରୋକ୍ରେଟ ଶାସନ ଚାଲିଛି । ଗତ କାଲିର ‘ରାଜ୍ୟ କ୍ୟାବିନେଟ୍ ବୈଠକ ଏବଂ ବୈଠକର ନିଷ୍ପତି’ ରାଜ୍ୟବାସୀଙ୍କୁ କେବଳ ପ୍ରତାରିତ ଓ ପ୍ରଲୋଭିତ କରିବା ଉଦ୍ଦେଶ୍ୟ ବୋଲି ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବଳିୟାରସିଂହ କହିଛନ୍ତି ଯେ, ସୁନେଲୀ ସ୍ୱପ୍ନରେ ଜନସାଧାରଣଙ୍କୁ ବିଭୋର କରିବା ପାଇଁ ରାଜ୍ୟ ସରକାରଙ୍କ ଅପଚେଷ୍ଟାର ପରଦା ଧୀରେ ଧୀରେ ହଟିବାରେ ଲାଗିଛି । ରାଜ୍ୟ ସରକାର ଓଡ଼ିଶାର ଜନସାଧାରଣ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରତାରିତ ଓ ପ୍ରଲୋଭିତ କରୁଛନ୍ତି । ରାଜ୍ୟ ସରକାର ମିଶନ ଶକ୍ତି ଯୋଜନା ଆଳରେ ମହିଳାମାନଙ୍କୁ ଆସନ୍ତା ୫ବର୍ଷରେ ୧୨ଶହ କୋଟି ଟଙ୍କାର ସୁଧ ରିହାତି ଦେବେ ବୋଲି କ୍ୟାବିନେଟ୍‌ରେ ଉଲ୍ଲେଖ କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀକୁ ମାତ୍ର ୧୨୬ କୋଟି ଟଙ୍କା ସୁଧ ରିହାତି ଦେଇଥିଲାବେଳେ ଆସନ୍ତା ୫ବର୍ଷ ମଧ୍ୟରେ ୧୨ଶହ କୋଟି ଟଙ୍କା କିଭଳି ସୁଧ ରିହାତି ଦେବେ ତାହାହିଁ ପ୍ରଶ୍ନବାଚୀ । ସେହିଭଳି ୨୦୨୦-୨୧ରେ ବ୍ୟାଙ୍କ ଲିଙ୍କେଜ୍ ସହାୟତା ମାତ୍ର ୪୨୯୧କୋଟି ଟଙ୍କା ହୋଇଥିଲାବେଳେ ଆସନ୍ତା ୫ବର୍ଷରେ ୫୦ହଜାର କୋଟି ଟଙ୍କା ବ୍ୟାଙ୍କ ଲିଙ୍କେଜ୍ ସହାୟତା ଦିଆଯିବ ବୋଲି କହିବା ବାସ୍ତବତାଠାରୁ ବହୁ ଦୂରରେ ଅଛି । ୨୦୨୨-୨୩ରେ ମିଶନଶକ୍ତି ଅର୍ଥ ବ୍ୟବସ୍ଥା ରାଜ୍ୟସ୍ୱ କ୍ଷେତ୍ରରେ ୧୮୨୪କୋଟି, ପୁଞ୍ଜି କ୍ଷେତ୍ରରେ ୧୭୫କୋଟି ମୋଟ୍ ୨୦୦୦କୋଟି ହୋଇଥିବାବେଳେ ବିଧାନସଭାରେ ଉପସ୍ଥାପିତ ଲେଖା ଅନୁଦାନରେ ମିଶନଶକ୍ତି ରାଜସ୍ୱ ୯୧୨କୋଟି, ପୁଞ୍ଜି କ୍ଷେତ୍ରରେ ୮୭କୋଟି ମୋଟ୍ ୧୦୦୦କୋଟି ଦର୍ଶାଯାଇଛି । ଆଗାମୀ ୫ବର୍ଷରେ ଓଡ଼ିଶାରେ ୬୭୯୮ଗ୍ରାମ ପଂଚାୟତ, ୩୧୪ବ୍ଲକ ଓ ୩୦ଟି ଜିଲ୍ଲାରେ ମିଶନଶକ୍ତି ଭବନ ସ୍ଥାପନା କରିବା କେତେଦୂର ସମ୍ଭବ ତାହା ହିଁ ବିଚାର ଯୋଗ୍ୟ ବୋଲି ଶ୍ରୀ ବଳିୟାରସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ରାଜ୍ୟ ସରକାର ମିଶନଶକ୍ତି, ଜଳସେଚନ, ପାନୀୟଜଳ ଯୋଗାଣ ଆଦି ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ସୁନେଲୀ ସ୍ୱପ୍ନ ଦେଖାଉଛନ୍ତି କିନ୍ତୁ ରାଜ୍ୟ ବଜେଟ୍‌ରେ ଅର୍ଥ ନାହିଁ ଏବଂ ଏ ସମସ୍ତ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭରଶୀଳ । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରଲୁବ୍ଧ କରି ସେମାନଙ୍କୁ ଭୋଟ ରାଜନୀତିରେ ଏକ ପ୍ରମୁଖ ଆୟୂଧଭାବେ ବ୍ୟବହାର କରି ରାଜନୀତି ଉଦ୍ଦେଶ୍ୟ ସାଧନ କରିବା ଅପଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ମୋଟ୍ ୬ ଲକ୍ଷ ଏସଏଚଜି ଓ ୭୦ଲକ୍ଷ ସଭ୍ୟା ସୃଷ୍ଟି କରିଛନ୍ତି ବୋଲି ଦାବି କରୁଥିବା ରାଜ୍ୟ ସରକାର ସମସ୍ତ ମହିଳା ଗୋଷ୍ଠୀଙ୍କୁ ସଶକ୍ତିକରଣ କରିବା ପରିବର୍ତେ ଦଳୀୟ ପକ୍ଷପାତିତା ଏବଂ ଦଳ ସମର୍ôଥତ ଗୋଷ୍ଠୀଙ୍କୁ ସହାୟତ କରିବା କେତେଦୂର ଯଥାର୍ଥ ବୋଲି ଶ୍ରୀ ବଳିୟାରସିଂହ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାରଙ୍କ ପଂଚାୟତରାଜ ଓ ପାନୀୟଜଳ ବିଭାଗର ମିଳିତ ମୋଟ୍ ଅର୍ଥ ବ୍ୟବସ୍ଥା ୨୨ହଜାର ୨୪୬କୋଟି ହୋଇଥିବାବେଳେ ଲେଖା ଅନୁଦାନରେ ଅର୍ଥ ବ୍ୟବସ୍ଥା ୨୦୨୨-୨୩ ପାଇଁ ମାତ୍ର୧୧,୧୨୩ କୋଟି ଟଙ୍କା । ରାଜ୍ୟରେ ଘର ସଂଖ୍ୟା ୮୮ଲକ୍ଷ ୩୩ହଜାର ୫୩୬ ହୋଇଥିବାବେଳେ ପାଇପ ସଂଯୁକ୍ତ ପାନୀୟ ଜଳ ଯୋଗାଣ ଘର ସଂଖ୍ୟା ୩୯ଲକ୍ଷ ୧୬ହଜାର ୧୬୮ । ରାଜ୍ୟରେ ମୋଟ ୪୪.୩୩% ଘର ପାଇପ ଜଳ ସଂଯୁକ୍ତ ଓ ୫୫.୬୭% ଘର ସଂଯୁକ୍ତ ହୋଇନାହିଁ । ସେହିଭଳି ରାଜ୍ୟରେ ଗ୍ରାମ ସଂଖ୍ୟା ୪୭ହଜାର ୪୧୧ହୋଇଥିଲାବେଳେ ପଡା ଗ୍ରାମ ସଂଖ୍ୟା .୧,୫୭,୦୧୩ ମଧ୍ୟରୁ ଜଳ ଯୋଗାଣ ହୋଇନଥିବା ଗ୍ରାମ ସଂଖ୍ୟା ୧୬, ୮୮୧ ଓ ଜଳ ଯୋଗାଣ ହୋଇନଥିବା ପଡା ଗ୍ରାମ ସଂଖ୍ୟା ୧ଲକ୍ଷ ୩ହଜାର ୦୧୮ ଓ ଆଦିବାସୀ ଅଂଚଳରେ ଜଳ ଯୋଗାଣ କଥା ନକହିବା ଭଲ । ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଫେଲ ହୋଇଛନ୍ତି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ଓଡିଶାକୁ ପଂଚଦଶ ଅର୍ଥ କମିଶନ ସୁପାରିଶ କ୍ଷେତ୍ରରେ ୨୦୨୧-୨୬ ଆର୍ଥୀକ ୫ବର୍ଷ ମଧ୍ୟରେ କେନ୍ଦ୍ରୀୟ ସହଯୋଗ ୫ହଜାର ୨୮୦କୋଟି ଟଙ୍କା । ଏହା ବ୍ୟତୀତ କେନ୍ଦ୍ରୀୟ ଜଳଶକ୍ତି ମିଶନରେ ଓଡ଼ିଶାକୁ ମିଳିଛି ୩,୩୨୩କୋଟି ଟଙ୍କା । ରାଜ୍ୟ ସରକାରଙ୍କ ପାନୀୟ ଜଳ ନିମନ୍ତେ ଆର୍ôଥକ ବ୍ୟୟବ୍ୟବସ୍ଥା ନଥିବାବେଳେ ଏଭଳି କେନ୍ଦ୍ରରୁ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ସତ୍ୱେ ରାଜ୍ୟର ୩୧୪ବ୍ଲକରୁ ୧୬୦ଟି ବ୍ଲକରେ ପାଇପ ଯୋଗେ ଜଳ ଯୋଗାଣ କେବଳ କାଗଜ କଲମରେ ସୀମିତ । ଦୁର୍ନୀତିଗସ୍ତ ରାଜ୍ୟ ସରକାର କୌଣସି କେନ୍ଦ୍ରୀୟ ଯୋଜନା ନାମ ନନେଇ ବା ଫଳକ ନଲଗାଇ ପ୍ରଧାନମନ୍ତ୍ରୀଙ୍କ ଘୋଷିତ ୨୦୨୪ ସୁଦ୍ଧା ‘ନଲ୍ ପେ ଜଲ୍‌’ ଯୋଜନାକୁ ନକଲ କରି ଜଳଯୋଗାଇବା ଘୋଷଣା ହାସ୍ୟାସ୍ପଦ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ସେହିଭଳି ଜଳସେଚନ କ୍ଷେତ୍ରରେ ଦୀର୍ଘ ୨୨ବର୍ଷ ମଧ୍ୟରେ କୌଣସି ଉଲ୍ଲେଖନୀୟ ପଦକ୍ଷେପ ନେଇନଥିବା ରାଜ୍ୟ ସରକାର ବିଗତ ଦିନରେ ପ୍ରତ୍ୟେକ ବ୍ଲକର ୩୫% ଜଳ ସେଚନ କରିବା, ୧୦ହଜାର ହେକ୍ଟର ଜମିକୁ ଜଳ ସେଚନ କରିବା ଆଦି ମିଥ୍ୟା ପ୍ରତିଶ୍ରୁତି ଆଜି ପାଣିର ଗାର ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସିଚାଇ ଯୋଜନା ଅନ୍ତର୍ଭୁକ୍ତ ୧ଲକ୍ଷ ସେଚ ପ୍ରକଳ୍ପକୁ ରାଜ୍ୟ କରୁଛି ବୋଲି ମିଛ କହିବା ଦୁର୍ଭାଗ୍ୟଜନକ । ଅତୀତରେ ପୂର୍ବତନ ବିଧାୟକ ଶ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ବିଧାନସଭା ପ୍ରଶ୍ନ ଉତରରେ ଜଳସଂପଦମନ୍ତ୍ରୀଙ୍କ ୧୬୦ରୁ ଊଦ୍ଦ୍ୱର୍ ଏମଆଇପି ଜଳ ପ୍ରକଳ୍ପ ୨୦୦୭-୦୮ରୁ ଅଦ୍ୟାବଧି କାର୍ଯ୍ୟକ୍ଷମ ନହେବା ରାଜ୍ୟ ସରକାରଙ୍କ ଜଳ ସେଚନ ପ୍ରତି ଆନ୍ତରିକତା କେତେ ତାହା ସ୍ପଷ୍ଟ ବାରିହୋଇ ପଡିଛି । ସେହିଭଳି ବୃହତ ଜଳସେଚନ ପ୍ରକଳ୍ପ ଗୁଡିକର ଖର୍ଚ୍ଚ ବା ବ୍ୟୟ ୧୮୨% ରୁ ୪୫୯୬% ବଢ଼ିଥିବା ସଂପର୍କିତ ୨୦୨୨ରେ ପ୍ରକାଶିତ ସଦ୍ୟ ସିଏଜି ରିପୋର୍ଟରୁ ସ୍ପଷ୍ଟ ଅନୁମେୟ । ରାଜ୍ୟ ସରକାରଙ୍କ ଜଳ ସେଚନ ପାଇଁ ଆନ୍ତରିକତା ଓ ଘୋଷଣା ମଧ୍ୟରେ ଆକାଶପାତାଳ ପ୍ରଭେଦ ଥିବା କାରଣରୁ ଆଜି ଓଡ଼ିଶାର ଚାଷୀଙ୍କ ମାସିକ ଆୟ ମାତ୍ର ୫୧୧୨ଟଙ୍କା । ମୋଟାମୋଟି ଭାବେ ଦେଖିବାକୁ ଗଲେ କ୍ୟାବିନେଟ ବୈଠକ ଏକ ଔପଚାରିକତା ଓ ମନ୍ତ୍ରୀ ପରିଷଦର ସଦସ୍ୟମାନେ କିଛି ଜାଣୁନାହାନ୍ତି କିମ୍ବା ଜାଣିବାର ସୁଯୋଗ ନାହିଁ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ମୋହନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking