ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ଗଣ୍ଡଘୋରା ଛକ ନିକଟରେ ଆଜି ପୂର୍ବାହ୍ନରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।ମୃତ ବାଇକ ଆରୋହୀ ଜଣକ ସମ୍ବଲପୁର ଜିଲ୍ଲା ମହୁଲପାଣି ଥାନା ଅନ୍ତର୍ଗତ ବଗଡିହି ଗାଁର ପ୍ରଦୀପ ମୁଣ୍ଡା(୨୬) ବୋଲି ଜଣାପଡିଛି। ସେ ବ୍ରଜରାଜନଗରରେ ଏକ ଭଡ଼ା ଘରେ ରହି ଏକ ଫ୍ଲିପକାର୍ଟ କମ୍ପାନିରେ କାର୍ଯ୍ୟ କରୁଥିଲା। ଖବରପାଇ ବ୍ରଜରାଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅନୁସନ୍ଧାନ କରୁଛି।ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ।ସୂଚନା ଅନୁଯାୟୀ, ପ୍ରଦୀପ ଆଜି ଅନ୍ୟ ଜଣଙ୍କ ବାଇକ୍ରେ ସମ୍ବଲପୁରରୁ ବ୍ରଜରାଜନଗର ଫେରୁଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ବରଘାଟ ଛକ ନିକଟରେ କୌଣସି ଏକ ଅଜଣା ଯାନ ତାଙ୍କୁ ଜୋରରେ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲା। ଦୁର୍ଘଟଣା କରି ଫେରାର ହୋଇଯାଇଥିବା ଯାନକୁ ଚିହ୍ନଟ କରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।










