ନୂଆଦିଲ୍ଲୀ: ଆଜିଠୁ ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଗତକାଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ଏଥିରେ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ପ୍ରତିବାଦ । ବିଦ୍ରୋହୀ ୨୦ ସାଂସଦଙ୍କୁ ବୈଠକକୁ ଡକାଯିବାକୁ ନେଇ କିଛି ସମୟ ପାଇଁ ବୈଠକ ବର୍ଜ୍ଜନ କରିଥିଲେ ଟିଏମସି ସାଂସଦ । ଏହି ଅଧିବେଶନରେ ସରକାର ୭ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ‘ବନ୍ଦେ ମାତରମ୍’ ସମ୍ମାନ ରକ୍ଷା ବିଲ୍, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ବିଲ୍, ଆୟକର ସଂଶୋଧନ ବିଲ୍ -୨୦୨୬, ସୁପ୍ରିମକୋର୍ଟ ସଂଶୋଧନ ବିଲ୍ -୨୦୨୬, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍ -୨୦୨୬କୁ ମୋଦୀ ସରକାର ଚଳିତ ଅଧିବେଶନରେ ଉପସ୍ଥାପନ କରିବାର ଅଛି ।
ଗତ ଏପ୍ରିଲ ମାସରେ ମହିଳା ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣ ବିଲ୍ ସଂସଦରେ କାଟ ଖାଇଥିବାରୁ ଏଥର ପୁଣି ଆଣିପାରନ୍ତି ସରକାର। କାରଣ ଏହି ତିନି ମାସ ଭିତରେ ରାଜନୈତିକ ସମୀକରଣ ବଦଳିଛି । ମମତାଙ୍କ ହାତ ଛାଡ଼ି ଏନସିପିଆଇରେ ଯୋଡ଼ିହୋଇ ଏନଡିଏକୁ ସମର୍ଥନ ଦେଇଛନ୍ତି ୨୦ ବିଦ୍ରୋହୀ ସାଂସଦ । ମହାରାଷ୍ଟ୍ରରେ ୬ ସାଂସଦ ଉଦ୍ଧବଙ୍କୁ ଛାଡ଼ି ଏକନାଥ ସିନ୍ଦେଙ୍କ ଶିବସେନାରେ ମିଶିଛନ୍ତି । ତାମିଲନାଡ଼ୁର ଡିଏମ୍କେ ମଧ୍ୟ ଏନଡିଏକୁ ସମର୍ଥନ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।










