ଭୁବନେଶ୍ୱର : ରବିବାର ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ରାଜ୍ୟ ସାରା ମୌସୁମୀ ସକ୍ରିୟ ରହିଥିବାବେଳେ ଅନ୍ୟ କେତେକ ଜିଲାରେ ଝଡ଼ବର୍ଷା, ବଜ୍ରପାତ ଏବଂ ଝଡ଼ ପବନ ହେବାର ସମ୍ଭାବନା ରହିଛି।ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୭ ଜିଲା ଯଥା କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ ନୂଆପଡ଼ାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।ଅନେକ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ପାଣିପାଗ କାର୍ଯ୍ୟାଳୟ କହିଛି, ସୋମବାର ପର୍ଯ୍ୟନ୍ତ ଏପରି ଜାରିରହିବ। ଯାହା ଉପକୂଳ, ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ଅଧିକ ମାତ୍ରାରେ ବର୍ଷା କରାଇବ।୧୫ଟି ଜିଲାକୁ ବଜ୍ରପାତ ଏବଂ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ବିଶେଷକରି ଜଳବନ୍ଦୀ ଏବଂ ବନ୍ୟା ସମ୍ଭାବନା ଥିବା ଅଞ୍ଚଳରେ କର୍ତ୍ତୃପକ୍ଷ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।










