ସମ୍ବଲପୁର : ବୁର୍ଲା ବଡ଼ ଡାକ୍ତରଖାନା (ଭିମସାର)ରେ ସୁରକ୍ଷିତ ପ୍ରସବ ଆଜିଯାଏଁ ସୁନିଶ୍ଚିତ ହୋଇପାରିଲା ନାହିଁ । ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଭିମସାରରେ ସଂଧ୍ୟା ୫.୩୦ରୁ ସକାଳ ୯ଟା ପର୍ଯ୍ୟନ୍ତ କୌଣସି ବରିଷ୍ଠ ଡାକ୍ତର ୱାର୍ଡରେ ରହୁ ନାହାନ୍ତି । ସ୍ଥିତି ଏଭଳି ହେଉଛି ଯେ ରାତିରେ ରୋଗୀଙ୍କ ଅବସ୍ଥା ଜଟିଳ ହେଲେ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଖୋଜିଲେ ମିଳୁନାହାନ୍ତି । ଯାଜ୍ଞସେନୀ ସାହୁ (୩୨) ନାମ୍ନୀ ଜଣେ ପ୍ରସୂତିଙ୍କ ସୁରକ୍ଷିତ ପ୍ରସବ ହୋଇପାରିଲା ନାହିଁ ।ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କ ଗର୍ଭରେ ଥିବା ଯମଜ ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଗଲା । ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଅନ୍ୟ ଶିଶୁଟି ମା’ ଗର୍ଭରୁ ବାହାରି ସିଧା ତଳେ ଥିବା ବାଲଟିରେ ଛିଟିକି ପଡ଼ିବା ଭଳି ଅଭାବନୀୟ ଘଟଣା ଘଟିଛି । ନବଜାତକକୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଡାକ୍ତରଖାନା ଅଧୀକ୍ଷକ ତଦନ୍ତ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।










